ଗିରଫଦାରି ଚିତ୍ର ଅସ୍ପଷ୍ଟ

ଢେଙ୍କାନାଳ ଅଫିସ୍‌/ ରାସୋଳ(ଡି.ଏନ୍‌.ଏ.), ୧୫ା୧ ଢେଙ୍କାନାଳ ଜିଲା ରାସୋଳସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଡକାୟତି ଘଟଣାକୁ ଶୁକ୍ରବାର ୩ଦିନ ବିତିଥିବାବେଳେ ଗିରଫଦାରି ସମ୍ପର୍କରେ ପୋଲିସ ସ୍ପଷ୍ଟ ସୂଚନା ଦେଉନାହିଁ। ଏହି ଘଟଣାର ୨ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା କରାଯାଉଛି। ଶନିବାର ଏସ୍‌ପିଙ୍କ ଉପସ୍ଥିତିରେ ଗଣମାଧ୍ୟମକୁ ସବିଶେଷ ସୂଚନା ଦିଆଯିବ ବୋଲି ଏସ୍‌ଡିପିଓ ମଳୟ ନାୟକ କହିଛନ୍ତି। ଅନ୍ୟପଟେ ଏହି ଘଟଣାରେ ସଦର ଥାନା ଗୋବିନ୍ଦପୁର ଅଞ୍ଚଳର ଜଣେ, ରାସୋଳ ଥାନା ନୂଆପାଟଣା ଅଞ୍ଚଳର ୨ଜଣଙ୍କୁ ପୋଲିସ ଗିରଫ କରିଛି ଏବଂ ଅନ୍ୟ ଜଣଙ୍କୁ ଅଟକ ରଖି ପଚରାଉଚୁରା କରାଯାଉଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ତେବେ ତଦନ୍ତରେ ବ୍ୟାଘାତ ସୃଷ୍ଟି ଆଶଙ୍କା ଥିବାରୁ ଅଭିଯୁକ୍ତଙ୍କ ନାମ ପୋଲିସ ସାର୍ବଜନୀନ କରୁନାହିଁ। ଏହି ଘଟଣାରେ କେତେଜଣ ବଡ଼ବଡ଼ିଆଙ୍କ ସମ୍ପୃକ୍ତି ଥିବାରୁ ପୋଲିସର ମୁଣ୍ଡବ୍ୟଥା ବଢ଼ିଥିବା ଚର୍ଚ୍ଚା ହେଉଛି।
ଅପରପକ୍ଷେ ଡକାୟତି ଘଟଣାର ଦିନକ ପରେ ଶୁକ୍ରବାର ବ୍ୟାଙ୍କ କାର୍ଯ୍ୟ ସ୍ବାଭାବିକ ହୋଇଛି। ସନ୍ଧ୍ୟାରେ ରାସୋଳ ଥାନାରେ ଅତିରିକ୍ତ ଏସ୍‌ପି ଶିଶୁରଞ୍ଜନ ମହାପାତ୍ର, ଏସ୍‌ଡିପିଓ ମଳୟ ନାୟକ, ଥାନାଧିକାରୀ ବିଜୟ କୁମାର ହାଇବ୍ରୁ, ବ୍ୟାଙ୍କର ରିଜିଓନାଲ ମ୍ୟାନେଜର ଆଶିଷ ରଞ୍ଜନ ନାୟକ, ମ୍ୟାନେଜର ମୋନିକା ଓରାମ୍‌ ଏବଂ ଅନ୍ୟ ପଦାଧିକାରୀଙ୍କ ଉପସ୍ଥିତିରେ ଜବତ ସୁନା ଅଳଙ୍କାର ଓ ଟଙ୍କାର ହିସାବ କରାଯାଇଛି। ବ୍ୟାଙ୍କ ଶାଖାରୁ ଏଭଳି ବଡ଼ଧରଣର ଡକାୟତି ପରେ ହୁଗୁଳା ସୁରକ୍ଷା ବ୍ୟବସ୍ଥାକୁ ନେଇ ସମାଲୋଚନାର ଶିକାର ହୋଇଥିଲେ କର୍ତ୍ତୃପକ୍ଷ। ଖୁବ୍‌ଶୀଘ୍ର ମ୍ୟାନେଜମେଣ୍ଟ କମିଟି ସହିତ ଆଲୋଚନା କରି ସୁରକ୍ଷା କର୍ମୀ ମୁତୟନ କରାଯିବ ବୋଲି ରିଜିଓନାଲ ମ୍ୟାନେଜର ଗଣମାଧ୍ୟମକୁ କହିଛନ୍ତି। ସୂଚନାଯୋଗ୍ୟ, ଗତ ବୁଧବାର ଅପରାହ୍ନ ୩ଟାରେ ରାସୋଳ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ ସଶସ୍ତ୍ର ଡକାୟତି ହୋଇଥିଲା। ୪ଜଣ ଦୁର୍ବୃତ୍ତ ବ୍ୟାଙ୍କରେ ପଶି କର୍ମଚାରୀଙ୍କୁ ନିସ୍ତୁକ ପିଟିବା ସହିତ ଲକରରେ ଥିବା କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ସୁନାଅଳଙ୍କାର ଏବଂ ଜମାକାରୀଙ୍କ ଲକ୍ଷାଧିକ ଟଙ୍କା ନେଇ ଫେରାର ହୋଇଯାଇଥିଲେ। ଘଟଣାର ମାତ୍ର ୨ ଘଣ୍ଟା ପରେ ଗୋବିନ୍ଦପୁର ନିକଟରୁ ପୋଲିସ କାର୍‌ରେ ଫେରାର ହୋଇଯାଉଥିବା ଅଭିଯୁକ୍ତଙ୍କୁ ମଧ୍ୟରୁ ଜଣଙ୍କୁ ଗିରଫ କରିଥିଲା। କାର୍‌ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ପୋଲିସକୁ ଏହି ସଫଳତା ମିଳିଥିଲା। ଅଭିଯୁକ୍ତଙ୍କ ତଥ୍ୟ ଆଧାରରେ ଅନ୍ୟ ୪ ଜଣଙ୍କୁ ପୋଲିସ ଉଠାଇ ଆଣିଥିଲା। ଏଥିସହ ଡକାୟତିରେ ବ୍ୟବହାର ୨ ବାଇକ୍‌ ଏବଂ ଗୋଟିଏ କାର୍‌ ଜବତ କରାଯାଇଥିଲା।