ଦଶାହ କାର୍ଯ୍ୟ ଶେଷ କରି ଫେରୁଥିବା ବେଳେ ପିକ୍‌ଅପ୍‌ ଭ୍ୟାନ୍‌ ଓଲଟି ୯ମୃତ

କୋଟପାଡ଼, ୩୧।୧: କୋରାପୁଟ ଜିଲା କୋଟପାଡ଼ ଥାନା ମୂର୍ତ୍ତାହାଣ୍ଡିରେ ରବିବାର ରାତି ପ୍ରାୟ ସାଢେ ୮ଟାରେ ପିକ୍‌ଅପ୍‌ ଭ୍ୟାନ୍‌ ଓଲଟି ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯ରୁ ଊର୍ଦ୍ଧ୍ୱ ଆହତ ହୋଇଥିବା ସୂଚନା ମିଳିଛି। ମୃତକମାନଙ୍କ ପରିଚୟ ମିଳି ନ ଥିବାବେଳେ ସେମାନେ ସମସ୍ତେ ଛତିଶଗଡ଼ ଅଞ୍ଚଳର ବୋଲି ଜଣାପଡିଛି।
ସୂଚନା ଅନୁଯାୟୀ, ଛତିଶଗଡ଼ର କୋଲଚା ଗ୍ରାମରୁ ଏକ ପିକ୍‌ଅପ୍‌ ଭ୍ୟାନ୍‌ରେ ପ୍ରାୟ ୩୦ ଜଣ କୋରାପୁଟ ଜିଲା କୋଟପାଡ଼ଠାରୁ ୨୦ କି.ମି. ଦୂର ମୂର୍ତ୍ତହାଣ୍ଡିକୁ ଦଶାହ କାର୍ଯ୍ୟରେ ଯୋଗଦେବାକୁ ଆସିଥିଲେ। ସନ୍ଧ୍ୟାରେ ଫେରିବା ସମୟରେ ମୁର୍ତ୍ତାହାଣ୍ଡିରୁ ୩ କି.ମି. ଦୂରରେ ଏକ ବୁଲାଣିରେ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତାପାଖର ଏକ ଗଛରେ ପିଟି ହୋଇ ଓଲଟି ପଡ଼ିଥିଲା। ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟ କରିଥିବା ବେଳେ ଖବରପାଇ ଚାନ୍ଦିଲି ଫାଣ୍ଡି ଓ କୋଟପାଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚଥିଲା। ଆହତଙ୍କୁ ସ୍ଥାନୀୟ ମୂର୍ତ୍ତାହାଣ୍ଡି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅନ୍ଧାର ଯୋଗୁ ଉଦ୍ଧାର କାର୍ଯ୍ୟରେ ବାଧା ଦେଖାଯାଇଛି।