Categories: ଜାତୀୟ

ଅନୁମତି ପତ୍ର ଚିରିଲେ, ପଣ୍ଡିତଙ୍କୁ ମାରିଲେ ଚାପୁଡ଼ା; ବନ୍ଦ ରହିଲା ବାହାଘର

ଅଗରତାଲା,୨୮।୪: କରୋନା ମହାମାରୀ ସମୟରେ ବିବାହକୁ ନେଇ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ମାତ୍ର କିଛି ଲୋକ ଏହାକୁ ଉଲ୍ଲଂଘନ କରୁଥିବାରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଏପରି ଏକ ଘଟଣା ଦେଖିବାକୁ ମିଳିଛି ଅଗରତାଲାରେ। ଏଠାରେ କୋଭିଡ୍‌ ନିୟମ ଉଲ୍ଲଂଘନ କରି ବିବାହରେ ବଡ଼ ପାର୍ଟି ଚାଲିଥିଲା। ଜିଲାପାଳ ଶୈଳେଶ ଯାଦବ ଘଟଣାସ୍ଥଳରେ ପହଞ୍ଚି ବିବାହ ବନ୍ଦ କରିଛନ୍ତି। ଏହି ବିବାହରେ ଅଧିକ ଲୋକ ଉପସ୍ଥିତ ଥିବା ବେଳେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ବିବାହ ଉତ୍ସବ ଚାଲିଥିଲା। ବରଯାତ୍ରୀଙ୍କ ସହ ପୋଲିସ ଉପସ୍ଥିତ ଥିବା ଜିଲାପାଳ ଦେଖିବାକୁ ପାଇଥିଲେ। ପ୍ରଥମେ ବ୍ୟାଣ୍ଡ ପାର୍ଟିକୁ ତଡ଼ି ଦେଇଥିଲେ। ପରେ ପୋଲିସ ଉପରେ ବର୍ଷିଥିଲେ। ଏହା ପରେ ଜିଲାପାଳ ବିବାହ କରିବାକୁ ଆସିଥିବା ପଣ୍ଡିତଙ୍କୁ ମାରିବା ସହ ଅନୁମତି ପତ୍ର ଚିରି ଫିଙ୍ଗି ଦେଇଥିଲେ। ବିବାହ ମଣ୍ଡପ ସହିତ ଆଉ ଦୁଇଟି ମଣ୍ଡପକୁ ଜିଲାପାଳ ବର୍ଷେ ପାଇଁ ସିଲ୍‌ କରିଦେଇଛନ୍ତି। ଭାଜପା ବିଧାୟକ ସୁଶାନ୍ତ ଚୌଧୁରୀ କୁହନ୍ତି, ଜିଲାପାଳ ଯାହା କରିଛନ୍ତି ଠିକ୍‌ କରିନାହାନ୍ତି। ଜଣେ ୭୦ ବର୍ଷ ପଣ୍ଡିତଙ୍କୁ ହାତ ଉଠାଇବା ଅଶୋଭନୀୟ କାର୍ଯ୍ୟ। କୁହାଯାଉଛି, ପରେ ଜିଲାପାଳ ଏଥିପାଇଁ କ୍ଷମା ବି ମାଗିଛନ୍ତି।

Share