ଅକଥନୀୟ ଦୁର୍ଦ୍ଦଶା ଭୋଗିଲେ ଜନସାଧାରଣ

ସମ୍ବଲପୁର,୧୬ା୪(ବ୍ୟୁରୋ): ହନୁମାନ ଜୟନ୍ତୀ ଶୋଭାଯାତ୍ରା ଓ ବାଇକ୍‌ ରାଲି ସମୟରେ ଘଟିଥିବା ହିଂସା ଘଟଣାକୁ ନେଇ ସମ୍ବଲପୁର ଜିଲା ପ୍ରଶାସନ ପକ୍ଷରୁ ସହରରେ କର୍ଫ୍ୟୁ ଲଗାଯାଇଛି। ଏହାସହ ଆଉ ୪୮ଘଣ୍ଟା ଇଣ୍ଟରନେଟ୍‌ ସେବାକୁ ବନ୍ଦ କରି ଦିଆଯାଇଛି। ଫଳରେ ସମ୍ବଲପୁର ଜିଲାବାସୀ ଗତ ୩ଦିନ ହେଲା ଅକଥନୀୟ ଦୁର୍ଦ୍ଦଶା ଭୋଗିଆସୁଛନ୍ତି। ଶୁକ୍ରବାର ରାତିଅଧିଆ କର୍ଫ୍ୟୁ ଘୋଷଣା ହେବାରୁ ଜନସାଧାରଣ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କିଣାବିକା କରିପାରି ନ ଥିଲେ। ଶନିବାର ସକାଳେ ହଠାତ୍‌ ବଜାରରେ ଭିଡ ଦେଖିବାକୁ ମିଳିଥିଲା। ହାତଗଣତି କେତେକ ଦୋକାନବଜାର ଖୋଲା ରହିଥିଲା। ସାମଗ୍ରୀ କିଣିବାକୁ ଉକ୍ତ ଦୋକାନଗୁଡିକରେ ଲମ୍ବା ଧାଡି ଲାଗି ରହିଥିଲା। ସମସ୍ତ ପନିପରିବା ବଜାର ଖୋଲି ନ ଥିଲା। ହାତଗଣତି କେତେଜଣ ବ୍ୟବସାୟୀ ଦେକାନ ଖୋଲିଥିବାବେଳେ ସେମାନେ ମନଇଚ୍ଛା ଦର ବୃଦ୍ଧି କରୁଥିଲେ। ଜରୁରୀ ଆବଶ୍ୟକ ଥିବାରୁ ଲୋକମାନେ ମଧ୍ୟ ବାଧ୍ୟ ହୋଇ କିଣିଥିଲେ। ଦରଦାମ ବୃଦ୍ଧି ନେଇ ଏସ୍‌ଏମ୍‌ସି କିମ୍ବା ଯୋଗାଣ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିଲା ବୋଲି ଲୋକେ ଅଭିଯୋଗ କରିଥିଲେ। କର୍ଫ୍ୟୁ ଲାଗୁ କରିବା ପୂର୍ବରୁ କିମ୍ବା ପରେ ପ୍ରଶାସନ ଠିକ୍‌ ଭାବେ ପରିଚାଳନା କରୁ ନ ଥିବା ମଧ୍ୟ ସେମାନେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ବସ୍‌, ଅଟୋ ଚଳାଚଳ ପ୍ରଭାବିତ ହୋଇଥିଲା। ଫଳରେ ଯାତ୍ରୀମାନେ ଗନ୍ତବ୍ୟ ସ୍ଥଳରେ ପହଞ୍ଚତ୍ପାରି ନ ଥିଲେ। ଦୋକାନ ବାଜର ବନ୍ଦ ହେବାରୁ କୋଟି କୋଟି ଟଙ୍କା ବ୍ୟବସାୟ କ୍ଷତି ହୋଇଥିଲା। ଅନ୍ୟପଟେ ଜିଲାପାଳ ଅନନ୍ୟା ଦାସ କହିଛନ୍ତି, ଖୁବ୍‌ଶୀଘ୍ର ଶାନ୍ତି ଫେରିଆସିବ। ଉତ୍ତେଜନା ନିୟନ୍ତ୍ରଣକୁ ଆସୁଛି। କର୍ଫ୍ୟୁ ଲାଗି ରହିବ। ପ୍ରଶାସନକୁ ସହଯୋଗ କରିବାକୁ ସେ ଅନୁରୋଧ କରିଥିଲେ।