ମୟୂରଭଞ୍ଜ ଜିଲାବାସୀ ପୁଣି ନିରାଶ

ବାରିପଦା ଅଫିସ,୪।୨ରେଳପଥର ବିକାଶ ନିମନ୍ତେ କେନ୍ଦ୍ର ବଜେଟରେ ମୟୂରଭଞ୍ଜ ଜିଲାବାସୀଙ୍କୁ ଉପହାସ କରାଯାଇଥିବା ଅଭିଯୋଗ ହୋଇଛି। ଦୀର୍ଘ ଦିନରୁ ହୋଇଆସୁଥିବା ଦାବି ପ୍ରତି ଗୁରୁତ୍ୱ ଦିଆଯାଇନାହିଁ। ଏଥର ମାତ୍ର ଏକ କୋଟି ଟଙ୍କାର ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ ଜିଲା ପାଇଁ ହାସ୍ୟାଷ୍ପଦ ସଦୃଶ ହୋଇଛି। ବାଙ୍ଗରିପୋଷି-ଦେଓଘର ଭାୟା ବାଦାମପାହାଡ଼ ଓ ଚମ୍ପୁଆ ମଧ୍ୟରେ ଦୀର୍ଘ ୧୧୦କି.ମି. ନୂତନ ରେଳପଥ ପାଇଁ ସର୍ଭେ କାର୍ଯ୍ୟକୁ ବଜେଟରେ ମଞ୍ଜୁରୀ ମିଳିଛି। ଚଳିତ ବଜେଟରେ ଓଡ଼ିଶାକୁ ବିପୁଳ ପରିମାଣର ଅନୁଦାନ ପ୍ରଦାନ କରାଯାଇଥିଲେ ହେଁ ଆଦିବାସୀ ଅଧ୍ୟୁଷିତ ଏହି ଜିଲା ପାଇଁ କୌଣସି ଆଖି ଦୃଶିଆ ବ୍ୟବସ୍ଥା କରାଯାଇ ନାହିଁ। ଏହାର ପ୍ରତିବାଦରେ ଆଗାମୀ ଦିନରେ ଜିଲାବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ସଜବାଜ ହେଉଥିବା ସୂଚନା ମିଳିଛି।

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ରେଳପଥର ବିକାଶ ପାଇଁ ଓଡ଼ିଶାକୁ ୯ହଜାର ୭୩୪କୋଟି ଟଙ୍କା ପ୍ରଦାନ ଲାଗି ବଜେଟରେ ବ୍ୟବସ୍ଥା କରାଯାଇଛି। ସେଥିମଧ୍ୟରୁ ଦୀର୍ଘ ଦିନରୁ ଦାବି ହୋଇ ଆସୁଥିବା ବାଙ୍ଗରିପୋଷି-ଗୋରୁମହିଷାଣୀ, ବାଦାମପାହାଡ଼-କେନ୍ଦୁଝରଗଡ଼ ନୂତନ ରେଳଲାଇନ ନିର୍ମାଣ ପାଇଁ ସର୍ଭେ କାର୍ଯ୍ୟ କରିବାକୁ ବଜେଟରେ ସ୍ବତନ୍ତ୍ର ଭାବେ ବ୍ୟୟବରାଦ କରାଯାଇଛି । ଦୀର୍ଘ ଦିନ ଧରି ବିଭିନ୍ନ ସଙ୍ଗଠନ ଓ ଦଳ ପକ୍ଷରୁ ଭଦ୍ରାଚଳମ-ଖଡଗପୁର(ଭାୟା-ଶରତ, କପ୍ତିପଦା, ଉଦଳା, ଖୁଣ୍ଟା ଓ ଶୁଳିଆପଦା), ବୁଢ଼ାମରା-ଚାକୁଳିଆ ନୂତନ ରେଳପଥ, ବାଦାମପାହାଡ଼-ରାଉରକେଲା ମଧ୍ୟରେ ନୂତନ ରେଳ ଚଳାଚଳ ପାଇଁ ବାରମ୍ବାର ଦାବି ହୋଇଆସୁଥିଲା। କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ମୟୂରଭଞ୍ଜ ଏମ୍‌ପି ତଥା କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ରହିଛନ୍ତି। ଓଡ଼ିଶାର ସର୍ବବୃହତ ତଥା ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ସୀମାନ୍ତରେ ଥିବା ମୟୂରଭଞ୍ଜ ଜିଲାରେ ରେଳପଥର ବିକାଶ ଦିଗରେ ଉଭୟ ମନ୍ତ୍ରୀ ବୈମାତୃିକ ମନୋଭାବ ପୋଷଣ କରିଛନ୍ତି। ବିଗତ ତ୍ରିସ୍ତରୀୟ ଓ ସାଧାରଣ ନିର୍ବାଚନରେ ଭାଜପା ପ୍ରତି ଜିଲାବାସୀ ଦୃଢ ସମର୍ଥନ ଜଣାଇଥିବା ବେଳେ ପ୍ରତିଦାନ ସ୍ବରୂପ ଭାଜପା ପକ୍ଷରୁ ଜିଲାର ବିକାଶ ଦିଗରେ ଆଶାନୁରୂପ ପଦକ୍ଷେପ ଗ୍ରହଣ କରାଯାଇନାହିଁ।