ତଥ୍ୟ ସଂଗ୍ରହ କଲା ପିସିସି ପ୍ରତିନିଧି ଦଳ

ଚିତ୍ରକୋଣ୍ଡା/ମାଲକାନଗିରି,୮ା୭(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ନୂଆଗୁଡ଼ା ପଞ୍ଚାୟତର ଆର୍‌ଏସ୍‌ସି-୧୩ ଗ୍ରାମରେ ଜୁନ୍‌ ୭ରେ ପୋଲିସ ଟିମ୍‌ ରାତିଅଧିଆ ଚଢ଼ାଉକରି ଗଞ୍ଜେଇ ଜବତ ନାଁରେ ମହିଳାମାନଙ୍କୁ ମାଡ଼ ମାରିବା ଅଭିଯୋଗ ହୋଇଥିଲା। ଏହି ଘଟଣାର ତଦନ୍ତ ଲାଗି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି(ପିସିସି)ର ୫ ଜଣିଆ ପ୍ରତିନିଧି ଦଳ ଗାଁକୁ ଯାଇ ଘର ଘର ବୁଲି ଘଟଣା ବିଷୟରେ ତଥ୍ୟ ସଂଗ୍ରହ କରିଛି। ଟିମ୍‌ରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା, ଖରିଆର ବିଧାୟକ ଅଧିରାଜ ପାଣିଗ୍ରାହୀ, ରାଜଗାଙ୍ଗପୁର ବିଧାୟକ ସି.ଏସ୍‌. ରାଜେନ ଏକ୍କା, ଡାବୁଗାଁର ପୂର୍ବତନ ବିଧାୟକ ଭୁଜବଳ ମାଝି ରହିଥିଲେ। ଆର୍‌ଏସ୍‌ସି-୧୩ ଗ୍ରାମରେ ପ୍ରତିନିଧି ଦଳ ଏକ ସଭାର ଆୟୋଜନ କରି ଆଦିବାସୀ ମହିଳାଙ୍କୁ ନ୍ୟାୟ ପ୍ରଦାନ ସହ ଚିତ୍ରକୋଣ୍ଡା ଏସ୍‌ଡିପିଓ ଅଂଶୁମାନ ଦ୍ୱିବେଦୀଙ୍କୁ ଚାକିରିରୁ ବରଖାସ୍ତ ଏବଂ ଗିରଫ ଦାବି କରିଛି। ଏହି ଘଟଣା ବିଷୟରେ ବିଧାନସଭାରେ ପ୍ରଶ୍ନ ଉଠାଯିବ ବୋଲି ମଧ୍ୟ କୁହାଯାଇଛି। ଅନ୍ୟପକ୍ଷରେ ଏହି ପ୍ରତିନିଧି ଦଳ ମାଲକାନଗିରିରେ ପହଞ୍ଚି ଏକ ଖବରଦାତା ସମ୍ମିଳନୀରେ ଏସ୍‌ଡିପିଓଙ୍କୁ ବଦଳି ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ତାହା ନ ହେଲେ ଆଗାମୀ ଦିନରେ କଂଗ୍ରେସ ଦଳ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବ ବୋଲି ଚେତାବନୀ ଦିଆଯାଇଛି। ସୂଚନାଯୋଗ୍ୟ, ଗାଁରେ ପୋଲିସ ପଶି ମହିଳାମାନଙ୍କୁ ଆକ୍ରମଣ କରିବା ଘଟଣାରେ ଜୁନ୍‌ ୨୦ରେ କଂଗ୍ରେସ ପକ୍ଷରୁ ଚିତ୍ରକୋଣ୍ଡାରେ ଗଣବିକ୍ଷୋଭ, ଶୋଭାଯାତ୍ରା କରାଯାଇଥିଲା। ଏଥିରେ ଆଦିବାସୀ ଗ୍ରାମବାସୀ ପାରମ୍ପରିକ ଅସ୍ତ୍ରଶସ୍ତ୍ର ସହ ସାମିଲ ହୋଇଥିଲେ। ଏହି ସମୟରେ ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇ ଚିତ୍ରକୋଣ୍ଡା ଥାନା ପରିସରରେ ଭଙ୍ଗାରୁଜା କରିଥିଲେ। ଉକ୍ତ ଘଟଣାରେ ୧୮ କଂଗ୍ରେସ କର୍ମୀଙ୍କୁ ଗିରଫ କରାଯାଇଥିଲା।