ଗାଁକୁ ଗଲାନି ଆମ୍ବୁଲାନ୍ସ: ରୋଗୀଙ୍କୁ ଷ୍ଟ୍ରେଚରରେ ବୋହିଲେ କର୍ମଚାରୀ

ବରଗଡ଼ ଅଫିସ,୧।୮: ବରଗଡ଼ ବ୍ଲକ ତୋରା ପଞ୍ଚାୟତ ଅନ୍ତର୍ଗତ ବଡ଼ଟିକ୍ରା ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ଶୋଚନୀୟ ହୋଇ ପଡିଛି । ଫଳରେ ଗ୍ରାମବାସୀଙ୍କୁ ବହୁତ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି। ରବିବାର ଗ୍ରାମକୁ ଆମ୍ବୁଲାନ୍ସ ଯାଇ ନ ପାରିବାରୁ ଜଣେ ଅସହାୟ ରୋଗୀଙ୍କୁ ଷ୍ଟ୍ରେଚରରେ ବୋହି ପ୍ରାୟ ୨କି.ମି. ଦୂରରେ ରହିଥିବା ଆମ୍ବୁଲାନ୍ସକୁ ଅଣାଯାଇଥିଲା। ଆମ୍ବୁଲାନ୍ସ ଡ୍ରାଇଭର ଏବଂ ତାଙ୍କ ସହିତ ଯାଇଥିବା ସ୍ବାସ୍ଥ୍ୟ କର୍ମଚାରୀ ସମ୍ପୃକ୍ତ ରୋଗୀଙ୍କୁ ବୋହି ଆଣି ଆମ୍ବୁଲାନ୍ସରେ ରଖିଥିଲେ ଏବଂ ବରଗଡ଼ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ଏହି ଅଭାବନୀୟ ଘଟଣା ଅଞ୍ଚଳରେ ଆଲୋଡ଼ନ ଖେଲାଇ ଦେଇଥିବାବେଳେ ଆମ୍ବୁଲାନ୍ସ ଡ୍ରାଇଭର ଏବଂ ସ୍ବାସ୍ଥ୍ୟ କର୍ମଚାରୀଙ୍କ ବଦାନ୍ୟତାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।