ଭାରରେ ବୁହା ହୋଇ ହସ୍ପିଟାଲ ଯାଉଥିଲେ ରୋଗୀ, ଅଧା ରାସ୍ତାରେ ଗଲା ଜୀବନ

ଶିମଲା,୨୧।୮: ସ୍ବାଧୀନତାର ଏତେ ବର୍ଷ ପରେ ବି ଏଭଳି ଅଞ୍ଚଳ ଓ ଗାଁ ରହିଛି ଯେଉଁଠି ଲୋକମାନେ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ରହିଛନ୍ତି। ଆଜି ବି ଭଲଟିଏ ରାସ୍ତାପାଇଁ ଅପକ୍ଷୋରେ ରହିଛନ୍ତି ଲୋକେ। ଭଲ ରାସ୍ତା ନ ଥିବାରୁ ଲୋକଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ବେଳେବେଳେ ଏହି ରାସ୍ତାଯୋଗୁ ଲୋକଙ୍କ ଜୀବନ ମଧ୍ୟ ଯାଉଛି। କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ହିମାଚଳପ୍ରଦେଶର ଚମ୍ବା ଜିଲାର କୋହଲଡିର ଧାମାଙ୍ଗ୍ରା ଗାଁରେ। ଧାମାଙ୍ଗ୍ରାରୁ ଜଣେ ୭୦ବର୍ଷୀୟ ରୋଗାଗ୍ରସ୍ତ ବୃଦ୍ଧଙ୍କୁ ଭାରରେ ବୁହା ହୋଇ ହସ୍ପିଟାଲକୁ ନେଇକି ଯାଉଥିବା ବେଳେ ଅଧାରାସ୍ତାରେ ତାଙ୍କର ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ, ଶୁକ୍ରବାର ସକାଳେ ଉକ୍ତ ଗାଁର ଚମନ ଲାଲ ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲେ। ସ୍ଥାନୀୟ ଲୋକ ଓ ସମ୍ପର୍କୀୟ ତାଙ୍କୁ ଚମ୍ବା ହସ୍ପିଟାଲକୁ ନେବାକୁ ସ୍ଥିର କରିଥିଲେ। ହେଲେ ରାସ୍ତା ଭଲ ନ ଥିବାରୁ ଗାଁକୁ ଗାଡ଼ି ଯାଇପାରିବ ନାହିଁ। ତେଣୁ ସେମାନେ ଚମନ ଲାଲଙ୍କୁ ଭାରରେ ବୋହି ଗାଁରୁ ୨ କିଲୋମିଟର ଦୂର ଖଜିଆରକୁ ନେବାକୁ ସ୍ଥିର କରିଥିଲେ। ଏହାପରେ ସେଠାରୁ ଗାଡ଼ିରେ ଚମ୍ବା ହସ୍ପିଟାଲକୁ ନେଇଥାନ୍ତେ। ହେଲେ ଭାଗ୍ୟର ବିଡମ୍ବନା ଯେ, ହସ୍ପିଟାଲ ପହଞ୍ଚିବା ପୂର୍ବରୁ ଅଧ ରାସ୍ତାରେ ବା ଗଙ୍ଗୁବାଇ ଗ୍ରାମ ନିକଟରେ ଚମନ ଲାଲ ମୃତ୍ୟୁ ହୋଇଥିଲା। ଏହାପରେ ପୁଣି ଥରେ ଭାରରେ ବୋହି ତାଙ୍କୁ ଧାମାଙ୍ଗ୍ରାକୁ ନେଇଥିଲେ। ସେଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା। ତେବେ ଗାଁ ରାସ୍ତା ନ ଥିବା ବେଳେ ଆଉ ଏଭଳି ଘଟଣା ବାରମ୍ବାର ଘଟିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

Share