ଆସନ୍ନ ବିପଦକୁ ନେଇ ବଢ଼ିଲା ଯାତ୍ରୀଙ୍କ ଚିନ୍ତା

ଖଇରା,୬।୩(ଡି.ଏନ.ଏ.):ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ମହତୀପୁର- ଗୋଳିହା ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତାର କଣ୍ଟାବଣିଆଠାରୁ ପତିରାଜପୁର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ନିକଟରେ ଶେଷ ହୋଇଛି। ହେଲେ ପତିରାଜପୁର ଦୋଳ ମେଳନକୁ ଦୃଷ୍ଟିରେ ନ ରଖି ବେପରୁଆ ଭାବେ ଅଣଓସାରିଆ ରାସ୍ତା ନିର୍ମାଣ ଯୋଗୁ ଯାତ୍ରୀମାନେ ଦୁର୍ଘଟଣାର ସମ୍ମୁଖିନ ହେବା ନେଇ ଯଥେଷ୍ଟ ସମ୍ଭାବନା ଦେଖା ଦେଇଛି। ଆସନ୍ନ ବିପଦକୁ ନେଇ ଯାତ୍ରୀମାନଙ୍କ ଚିନ୍ତା ବଢ଼ିବାରେ ଲାଗିଛି।
ରାସ୍ତାଟି ପ୍ରସିଦ୍ଧ ପତିରାଜପୁର ଦୋଳମେଳନ ପଡ଼ିଆକୁ ସଂଯୋଗ କରୁଛି। ପ୍ରତ୍ୟେକ ବର୍ଷ ଫାଲଗୁନ ପୂର୍ଣ୍ଣମୀଠାରୁ ୧ମାସ ଧରି ଏହି ରାସ୍ତାରେ ଶତାଧିକ ଗାଡ଼ିମୋଟର ବିଶେଷ ଭାବେ ଯାତାୟତ କରୁଥିବା ବେଳେ ବର୍ଷ ତମାମ୍‌ ଯାତ୍ରୀବହୁଳ ରାସ୍ତା ହୋଇଥିବାରୁ ଏହାକୁ ଓସାରିଆ କରିବାକୁ ଦାବି କରାଯାଇଥିଲା। ଏହି କଂକ୍ରିଟ ରାସ୍ତାଟିର ଅବସ୍ଥା ଶୋଚନୀୟ ହୋଇ ପଡ଼ିଥିବାରୁ ନିକଟରେ ୨୨ଲକ୍ଷ ଟଙ୍କା ବ୍ୟୟରେ ପୁନଃନିର୍ମାଣ କରାଯାଇଛି। ତେବେ ଯାତାୟତ ଉପଯୋଗୀ ହେବା ବଦଳରେ ରାସ୍ତା ବିପଦ ସଙ୍କୁଳ ହୋଇ ପଡ଼ିଛି। ୨ପାର୍ଶ୍ୱରେ ମାଟି ଫିଲିଂ କରାଯାଇ ନ ଥିବାରୁ କଂକ୍ରିଟ୍‌ ଧାରରେ ପଡ଼ି ଯାତ୍ରୀ ମୃତାହତ ହେବା ନେଇ ରାସ୍ତା ଦେଇ ଯାତାୟାତ କରୁଥିବା ସିଂହିପୁର, ମୁସ୍ତଫାବାଦ, ଦାମୋଦରପୁର, ସାରଡ଼ାଙ୍ଗ, ଆମ୍ବଗଡ଼ିଆ, ଭୋଗୁପୁର, ଅଲିପୁର ଇତ୍ୟାଦି ଗ୍ରାମର ଅଧିବାସୀ ତଥା ଦୂରଦୁରାନ୍ତର ଯାତ୍ରୀମାନେ ଅଭିଯୋଗ କରିଛନ୍ତି। ତରବିରିଆ ଭାବେ ରାସ୍ତାକୁ ଅଣ ଓସାରିଆ କରି ୨୨ଲକ୍ଷ ଚଳୁ କରିବାକୁ ଏହା ଏକ ମସୁଧା ବୋଲି ଯାତ୍ରୀମାନେ ଅଭିଯୋଗ କରିଛନ୍ତି। କୌଣସୀ ଅପ୍ରିତିକର ପରିସ୍ଥିତି ପାଇଁ ଉଭୟ ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ସମ୍ପୃକ୍ତ ଠିକାଦାର ଦାୟୀ ରହିବେ ବୋଲି ଯାତ୍ରୀମାନେ କହିଛନ୍ତି। ଏ ସମ୍ପର୍କରେ ବିଭାଗୀୟ ନିବର୍ର୍ାହୀ ଯନ୍ତ୍ରୀ ପ୍ରୀତିକାନ୍ତ ସାମଲଙ୍କୁ ପଚାରିବାରୁ ରାସ୍ତା ଅବସ୍ଥା ସମ୍ପର୍କରେ ଖବରନେବା ପରେ ଯାହା ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ା