ଭୁଶୁଡ଼ିଲା ପଣସୁଆପାଲ ବ୍ରିଜ୍‌

ଯାଜପୁର ଅଫିସ,୩୦ା୫: ଯାଜପୁର ଜିଲା ବରୀ-ବଡ଼ଚଣା ରାସ୍ତାର ରତ୍ନଗିରି ପଞ୍ଚାୟତ ଅନ୍ତର୍ଗତ ପଣସୁଆପାଲ ନିକଟ କେଲୁଅ ଶାଖା ନାଳ ଉପରେ ଥିବା ବ୍ରିଜ୍‌ ରବିବାର ପୂର୍ବାହ୍ନରେ ଭୁଶୁଡ଼ି ପଡ଼ିଛି। ବର୍ଷା ହେଉ ନ ଥିଲେ ମଧ୍ୟ ଯାଜପୁର ଡ୍ରେନେଜ ବିଭାଗ ଅଧୀନ ଏହି ବ୍ରିଜ୍‌ ଭୁଶୁଡ଼ିବା ଘଟଣାକୁ ଅଞ୍ଚଳବାସୀ ସହଜେ ଗ୍ରହଣ କରି ପାରିନାହାନ୍ତି। ତେବେ ସୌଭାଗ୍ୟବଶତଃ ଆଖପାଖ ଗ୍ରାମର କେତେଜଣ ବ୍ୟକ୍ତି ବାଇକ ଯୋଗେ ଏହି ବ୍ରିଜ ଅତିକ୍ରମ କରିବା ପରେ ତାହା ଭୁଶୁଡ଼ି ଥିଲା ବୋଲି ପ୍ରତ୍ୟକ୍ଷଦର୍ଶୀଙ୍କଠାରୁ ସୂଚନା ମିଳିଛି। ଏହି ଘଟଣା ଯୋଗୁ ବରୀ ଓ ବଡ଼ଚଣାକୁ ଯୋଗାଯୋଗ ସମ୍ପୂର୍ଣ୍ଣ ଭାବେ ବିଚ୍ଛିନ୍ନ ହୋଇଛି। ପୂର୍ବରୁ ବ୍ରିଜ୍‌ ବିପଦାପନ୍ନ ଥିବା ଚିହ୍ନଟ ହୋଇ ନ ଥିଲା, ଯାହାକି ବିଭାଗୀୟ ଅଧିକାରୀଙ୍କ ଖାମଖିଆଲ ମନୋଭାବକୁ ସୂଚାଉଛି। ମିଳିଥିବା ସୂଚନା ଅନୁଯାୟୀ ଡ୍ରେନେଜ ବିଭାଗ ପକ୍ଷରୁ ପ୍ରାୟ ୧୫ ବର୍ଷ ତଳେ ଏହି ବ୍ରିଜ ନିର୍ମାଣ ହୋଇଥିଲା। ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ରତ୍ନଗିରିକୁ ଲୋକେ ବରୀ ଦେଇ ଏହି ରାସ୍ତାରେ ଯାଇଥାନ୍ତି। ଏହାସହ ଏହି ରାସ୍ତା ଉପରେ ରତ୍ନଗିରି, ପଣସୁଆପାଳ, କୋଲଣଗିରି ପ୍ରଭୃତି ଗ୍ରାମର ଲୋକେ ନିର୍ଭରଶୀଳ। ବ୍ରିଜ୍‌ ଦୁର୍ବଳ ଥିବା ନେଇ ସମ୍ପୃକ୍ତ ଅଞ୍ଚଳବାସୀ ଡ୍ରେନେଜ ବିଭାଗ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କିନ୍ତୁ ବିଭାଗୀୟ ଅଧିକାରୀମାନେ ଲୋକଙ୍କ କଥାକୁ ଗୁରୁତ୍ୱ ଦେଇ ନ ଥିଲେ। ଯଦି ଉପଯୁକ୍ତ ଭାବେ ମରାମତି କରାଯାଇଥାନ୍ତା ତେବେ ଏଭଳି ଘଟଣା ହୋଇ ନଥାନ୍ତା ବୋଲି ମତପ୍ରକାଶ ପାଇଛି। ଜିଲାର ନଦୀନାଳ ଉପରେ ଡ୍ରେନେଜ ବିଭାଗ ପକ୍ଷରୁ ବିପୁଳ ଅର୍ଥ ବ୍ୟୟ କରି ବ୍ରିଜ, ସାଇଡ୍‌ୱାଲ, ପୋଲ ଆଦିର ମରାମତି ଓ ନିର୍ମାଣ କରାଯାଉଛି। କିନ୍ତୁ ଠିକାଦାର ଓ ଯନ୍ତ୍ରୀଙ୍କ ଭିତରିଆ ବୁଝାମଣା କରି ଅଧିକାଂଶ ଅର୍ଥ ହରିଲୁଟ କରାଯାଉଛି। ଏହି ବ୍ରିଜ୍‌ ମରାମତି ପାଇଁ ପୂର୍ବରୁ ଅନୁଦାନ ମଞ୍ଜୁର ହୋଇଥିଲେ ହେଁ କୌଣସି କାମ ହୋଇ ନ ଥିଲା ବୋଲି ଆଖପାଖ ଗ୍ରାମବାସୀ କହିଛନ୍ତି।