ଟାର୍ଗେଟ ଶେଷ: ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ

ବିଜେପୁର,୧୬।୧(ଡି.ଏନ୍‌.ଏ.): ବରଗଡ଼ ଜିଲା ବିଜେପୁର ବ୍ଲକରେ ଖରିଫ ଧାନ ବିକ୍ରିରେ ଚାଷୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଟୋକନ ପାଇ ଚାଷୀ ବିକ୍ରି ପାଇଁ ଉତ୍ପାଦିତ ଧାନକୁ ମଣ୍ଡିକୁ ଆଣିଥିଲେ। ହେଲେ ସପ୍ତାହ ଅତିକ୍ରମ କଲେ ମଧ୍ୟ ଧାନ ବିକ୍ରି ନ ହୋଇ ପଡ଼ିରହିଛି। ଟାର୍ଗେଟ ଶେଷ ହୋଇଥିବାରୁ ଧାନ ମଣ୍ଡିରୁ ଉଠୁ ନ ଥିବା ଜାଣିବା ପରେ ଚାଷୀର ଆଖିରୁ ନିଦ ହଜି ଯାଇଛି। ଚାଷୀମାନଙ୍କର ବାରମ୍ବାର ଦାବି ହେବାରୁ ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ପ୍ରଶାସନ ଶନିବାରରୁ ମଣ୍ଡିରେ ପଡ଼ି ରହିଥିବା ଧାନ ବସ୍ତା ଗଣତି କାମ ଆରମ୍ଭ କରିଛି। ବିଜେପୁର ବ୍ଲକର କେଉଁଟିପାଲି ମଣ୍ଡିରୁ ଏହା ଆରମ୍ଭ ହୋଇଛି। ଏହି ମଣ୍ଡିରେ ବିଜେପୁର ଓ ଏମ୍‌ଶ୍ରୀଗିଡ଼ା ସେବା ସମବାୟ ସମିତିର ଚାଷୀମାନେ ଧାନ ପକାଇଛନ୍ତି। ଏଠାରେ ସମୁଦାୟ ୨୩୦୦୦ବସ୍ତା ଧାନ ବିକ୍ରି ନ ହୋଇ ପଡ଼ି ରହିଥିବା ଜଣାପଡିଛି। ଉକ୍ତ ପ୍ରଶାସନିକ ଦଳରେ ବିଡିଓ ପଦ୍ମନାଭ ସାମନ୍ତରାୟଙ୍କ ସମେତ ରାଜସ୍ବ ବିଭାଗ, ଯୋଗାଣ ବିଭାଗ, ସମବାୟ ସମିତିର କର୍ମକର୍ତ୍ତା, ସମବାୟ ବ୍ୟାଙ୍କର ଅଧିକାରୀ ସାମିଲ ହୋଇଥିଲେ। ଏହି ବ୍ଲକର ୧୧ଟି ଯାକ ମଣ୍ଡିକୁ ଉକ୍ତ ପ୍ରଶାସନିକ ଦଳ ପହଞ୍ଚି ଧାନ ବସ୍ତା ଗଣତି କରି ଜିଲାପାଳଙ୍କୁ ରିପୋର୍ଟ ଦାଖଲ କରିବେ। ଏହା ପରେ ଧାନ ବିକ୍ରି ଆରମ୍ଭ ହେବ ବୋଲି ଜଣାପଡ଼ିଛି।