ଧାନ ଜମି ଫାଟି ଆଁ କଲାଣି

ପଟ୍ଟାମୁଣ୍ଡାଇ ୫ା୧୧(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳରେ ଧାନ ଥୋଡ଼ ଧରୁଥିବା ବେଳେ ବର୍ଷା ଏକପ୍ରକାର ଉଭାନ୍‌ ହୋଇଯାଇଛି। ପଟ୍ଟାମୁଣ୍ଡାଇ ମୁଖ୍ୟ କେନାଲରେ ପାଣି ନ ଥିବାରୁ ସମସ୍ତ ଶାଖା ଓ ମାଇନର କେନାଲ ଶୁଖିଲା ପଡିଛି। ଫଳରେ ଧାନ ଥୋଡ଼ ବେଳେ ଗଛ ଶୁଖିଯିବାକୁ ବସିଲାଣି। ଶୁଖିଲା ଧାନକ୍ଷେତ ବହୁ ସ୍ଥାନରେ ଫାଟି ଅଁା କଲାଣି। କେତେଜଣ ଚାଷୀ ପମ୍ପ୍‌ ଯୋଗେ, ଖାଲ, ପୋଖରୀରେ ଥିବା ପାଣି ତେଣ୍ଡା ଓ ସେଣାରେ ଜମିକୁ ମଡ଼ାଉଥିବା ଦେଖିବାକୁ ମିଳିଛି।
ଚଳିତବର୍ଷ ଖରିଫ ଋତୁ ଆରମ୍ଭରେ ସ୍ବଳ୍ପବୃଷ୍ଟି କାରଣରୁ ଗଜା ମରୁଡ଼ି ହୋଇଥିଲା। ଚାଷୀ ବିଳମ୍ବରେ ହେଉ ପଛେ ଜମିରେ ରୁଆପୋତା କାର୍ଯ୍ୟ କରିଥିଲେ। ଫଳସ୍ବରୂପ ବିଳମ୍ବରେ ରୁଆ ପୋତା ଯାଇଥିବା ଧାନଗଛରେ ବର୍ତ୍ତମାନ ଥୋଡ଼ ଧରୁଛି। ମାତ୍ର ପାଣି ଅଭାବରୁ ଚାଷଜମି ଫାଟି ଅଁା କରିଛି। କେନ୍ଦ୍ରାପଡା ଜିଲାର ଭାତହାଣ୍ଡି କୁହାଯାଉଥିବା ଉତିକଣ, ଭେଡା ସମେତ ପଟ୍ଟାମୁଣ୍ଡାଇର ଧୋୟାଞ୍ଚଳରେ ସମାନ ପରିସ୍ଥିତି। ପଟ୍ଟାମୁଣ୍ଡାଇ ବ୍ଲକର ଡାମରପୁର, ବଳଭଦ୍ରପୁର, ଶାସନ, ଚନ୍ଦନନଗର, ଖଣତା, ସଂସାରଫଳ, ଦୋଷିଆ, ବିଲିକଣା, ଦିହୁଡିପୁର, ଓଉପଦା, ବଡ଼ପଡା, ବଡ଼ମୋହନପୁର, ସାନଜରିଆ, ଗଙ୍ଗାରାମପୁର, ଅରଡ଼ପଲ୍ଲୀ, ଖଡ଼ଇଣ୍ଟା, କଖାରୁଣୀ, ନରସିଂହପୁର, ଡିହାପଡା, ବଡ଼ମୂଳବସନ୍ତ, ନୀଳକଣ୍ଠପୁର (ଆଂଶିକ) ପ୍ରଭୃତି ଭେଡା ଅଞ୍ଚଳର ପଞ୍ଚାୟତଗୁଡିକରେ ୧୧ ହଜାର ହେକ୍ଟରରୁ ଊର୍ଦ୍ଧ୍ୱ ଚାଷଜମିରେ ଥୋଡ଼ ମରୁଡ଼ି ହେବାର ଆଶଙ୍କା ଘନୀଭୂତ ହୋଇଛି। ପାଣି ଅଭାବରୁ ଧୋୟାଞ୍ଚଳର ପେଣ୍ଠପାଳ, ତରଡିପାଳ, ଅଣ୍ଢରା, ଅମୃତମଣୋହି, ସିଂହଗାଁ, ବଲୁରିଆ, ଅଳପୁଆ, ବାଛରା, ବାଲିପାଟଣା, ଶ୍ରୀରାମପୁର ଆଦି ପଞ୍ଚାୟତ ଓ ପୌରାଞ୍ଚଳ ଧୋୟାଞ୍ଚଳରେ ଥିବା ଷଣ୍ଢପଲ୍ଲୀ, ତନୁପୁର, କଷଣଅଣ୍ଟା, ବାଲିପଡା, ସିଦ୍ଧପାଟଣା, ତଳବାଲିପଡା, ବଳଦେବନଗର, ଅଳଭା (ଆଂଶିକ), ନୂଆଗଁା, କାକୁଡିପଲ୍ଲୀ ଆଦି ଗ୍ରାମର ଶତାଧିକ ଏକର ଜମିରେ ଚାଷ ହୋଇଥିବା ପନିପରିବା ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି। ପାଣି ଅଭାବରୁ ଉଭୟ ଜଳସେଚିତ ଓ ଅଣଜଳସେଚିତ ଚଜମିର ଧାନ ଫସଲ ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି। ଏ ସମ୍ପର୍କରେ କେନ୍ଦ୍ରାପଡ଼ା ଜଳସେଚନ ଅଧୀକ୍ଷଣ ଯନ୍ତ୍ରୀ ଉମେଶ ଚନ୍ଦ୍ର ସେଠୀଙ୍କୁ ପଚାରିବାରେ ପଟ୍ଟାମୁଣ୍ଡାଇ ମୁଖ୍ୟ କେନାଲର ମାହାଙ୍ଗା ନିକଟରେ ସୃଷ୍ଟି ହୋଇଥିବା ଘାଇକୁ ମରାମତି କରାଯାଇଛି। କେନାଲରେ ପାଣି ଛଡାଯାଇଛି। ଶନିବାର ସୁଦ୍ଧା ପାଣି ପଟ୍ଟାମୁଣ୍ଡାଇର ସମସ୍ତ କେନାଲରେ ପହଞ୍ଚତ୍ୟିବ ବୋଲି ସେ କହିଛନ୍ତି।