ସରିବାକୁ ଯାଉଛି ଧାନ କିଣାବିକା ଅବଧି: ମଣ୍ଡିରେ ପଡିଛି ୪ଲକ୍ଷ ୩୮ହଜାର ବସ୍ତାଧାନ

ପଦ୍ମପୁର, ୨୭।୬(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡରେ ଗତ ଖରିଫ ଭଳି ଚଳିତବର୍ଷ ରବିରେ ମଧ୍ୟ ମଣ୍ଡିରେ ଧାନ ବିକ୍ରିକୁ ନେଇ ଚାଷୀ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏବେ ଖରିଫ ଚାଷ ପାଇଁ ପ୍ରସ୍ତୁତି ହେଉଥିବା ଚାଷୀ ମଣ୍ଡିରୁ କେବେ ଧାନ ଉଠିବ ସେହି ଚିନ୍ତାରେ ପଡିଛନ୍ତି। ଚାଷୀମାନେ ନିଜର ଜମି ପ୍ରସ୍ତୁତି କାମ ଛାଡି ପ୍ରତିଦିନ ମଣ୍ଡିକୁ ଦୌଡୁଥିବା ଦେଖିବାକୁ ମିଳିଛି। ମଣ୍ଡିକୁ ଧାନ ଆସୁଛି, କିନ୍ତୁ ଆବଶ୍ୟକ ଟାର୍ଗେଟ ନ ଥିବାରୁ ଧାନ ଉଠାଇବା ପାଇଁ ମିଲର୍ସ ଆସୁ ନାହାନ୍ତି ବୋଲି ଚାଷୀମାନେ କହୁଛନ୍ତି। କିନ୍ତୁ ଉପଖଣ୍ଡ ଯୋଗାଣ ଅଧିକାରୀ ସନ୍ତୋଷ କୁମାର ପଧାନ କହିଛନ୍ତି, ମିଲର୍ସଙ୍କୁ ଆବଶ୍ୟକ ଟାର୍ଗେଟ ଦିଆହୋଇଛି। ମାତ୍ର ଧାନ ଉଠାଣ ମନ୍ଥର ହୋଇଛି। ସେହିପରି ମୌସୁମୀ ବର୍ଷା ଯୋଗୁ ଚାଷୀ ଆତଙ୍କିତ ହୋଇ ପଡୁଛନ୍ତି। ଯଦି ବର୍ଷାରେ ସେମାନଙ୍କ ଧାନ ଭିଜିଯାଏ ତା’ହେଲେ ଧାନ ବିକ୍ରିଯୋଗ୍ୟ ହୋଇପାରିବ ନାହିଁ। ପଦ୍ମପୁର ଉପଖଣ୍ଡରେ ରବିଧାନ ସଂଗ୍ରହ ପାଇଁ ପ୍ରଶାସନ ତରଫରୁ ୫୯ଟି ମଣ୍ଡି ଖୋଲାଯାଇଛି। ସର୍ବାଧିକ ସୋହେଲା ବ୍ଲକରେ ଧାନ ସଂଗ୍ରହ ପାଇଁ ୧୬ଟି ମଣ୍ଡି ଖୋଲିଥିବାବେଳେ ବିଜେପୁରରେ ୧୩, ଗାଇସିଲେଟରେ ୩, ଝାରବନ୍ଧରେ ୧୨, ପାଇକମାଳରେ ୯, ପଦ୍ମପୁର ବ୍ଲକରେ ୬ଟି ମଣ୍ଡି ଖୋଲିଛି। ବିଶେଷକରି ଉପଖଣ୍ଡର ପାଇକମାଳ ମଣ୍ଡିରେ ସର୍ବାଧିକ ୬୮ହଜାର ୯୭୫ ବସ୍ତାଧାନ, ଧାରୋଲ ମଣ୍ଡିରେ ୫୯ ହଜାର ୧୨୯ ବସ୍ତାଧାନ, ଜାମସେଟରେ ୧୮ହଜାର ୬୨୯ ବସ୍ତାଧାନ, ଝାରବନ୍ଧ ବ୍ଲକ ଡଭା ମଣ୍ଡିରେ ୨୪ହଜାର ବସ୍ତାଧାନ ପଡ଼ିରହିଛି। ଶୁକ୍ରବାର ସୁଦ୍ଧା ଉପଖଣ୍ଡର ୧୭ହଜାର ୨ଶହ ୧୫ଜଣ ଚାଷୀ ୧୭ଲକ୍ଷ ୨୨ ହଜାର ବସ୍ତାଧାନ ବିକ୍ରି କରିଥିବାବେଳେ ବିଭିନ୍ନ ମଣ୍ଡିରେ ୪ ଲକ୍ଷ ୩୮ ହଜାର ୮୨୯ ବସ୍ତାଧାନ ପଡିଥିବା ଆର୍‌ଏମ୍‌ସି ସମ୍ପାଦକ ରବି ନାରାୟଣ ପଣ୍ଡା ସୂଚନା ଦେଇଛନ୍ତି। ସରକାର ଗତ ମେ ୧୧ରୁ ଧାନ ମଣ୍ଡି ଆରମ୍ଭ କରିଥିଲେ ଏବଂ ଧାର୍ଯ୍ୟ ମୁତାବକ ଜୁନ ୩୦ସୁଦ୍ଧା ରବି ଧାନ କିଣାବିକା ଶେଷ ହେବା କଥା। ଧାନ କିଣାବିକା ଅବଧି ସରିବାକୁ ଯାଉଥିବାବେଳେ ଏବେ ବି ମଣ୍ଡିଗୁଡ଼ିକରେ ହଜାର ହଜାର ବସ୍ତାଧାନ ପଡିଛି। ସରକାର ଶୀଘ୍ର ମିଲର୍ସମାନଙ୍କୁ ଧାନ ଉଠାଣ ଟାର୍ଗେଟ ଦେଇ ଶୀଘ୍ର ଧାନ ଉଠାଇବା ପାଇଁ ଚାଷୀମାନେ ଦାବି କରିଛନ୍ତି।

 

Dharitri – Odisha’s No.1 Odia Daily

 

Share