ଗୁଳିମାଡ଼ରେ ଟ୍ରଲର ମାଲିକଙ୍କ ମୃତ୍ୟୁ

ବାଲେଶ୍ୱର ଅଫିସ,୧୬।୩: ବାଲେଶ୍ୱର ଜିଲା ମେରାଇନ୍‌ ଥାନା ବଳରାମଗଡ଼ି ନିକଟ ନାଉପାଳଗଡ଼ିରେ ସୋମବାର ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଜଣେ ଟ୍ରଲର ମାଲିକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବଇଞ୍ଚା ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ଘୋଡ଼ାପଦା ଅଞ୍ଚଳର ବିଜୟ କୁମାର ପ୍ରଧାନ (୫୨)। ୪ରୁ ୫ ଦୁର୍ବୃତ୍ତ ଅତର୍କିତ ଭାବେ ତାଙ୍କୁ ପ୍ରଥମେ ଖଣ୍ଡା ଓ ଭୁଜାଲିରେ ଆକ୍ରମଣ କରିଥିଲେ। ଭୟରେ ସେ ଟ୍ରଲର ଭିତରକୁ ପଶି ଯାଉଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ୪ ରାଉଣ୍ଡ ଗୁଳି ଚଳାଇଥିଲେ। ଦୁଇ ରାଉଣ୍ଡ ଗୁଳି ଛାତି ଓ ବେକରେ ବାଜିବାରୁ ଘଟଣାସ୍ଥଳରେ ବିଜୟଙ୍କ ମୃତ୍ୟୁ ଘଟିଥିଲା। ମେରାଇନ୍‌ ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି। ଆଖପାଖରେ ଲାଗିଥିବା ସିସିଟିଭି କ୍ୟାମେରାକୁ ଯାଞ୍ଚ କରି ପୋଲିସ ଦୁର୍ବୃତ୍ତମାନଙ୍କୁ ଠାବ କରିବା ପାଇଁ ଚେଷ୍ଟା ଜାରି ରଖିଛି।
ସୂଚନା ଅନୁଯାୟୀ, ବିଜୟଙ୍କର ୪ଟି ଟ୍ରଲର ରହିଛି। ଅପରାହ୍ନ ୪ଟା ବେଳେ ‘ଦୀପା ତାରିଣୀ’ ନାମକ ଟ୍ରଲର ସମୁଦ୍ରରୁ ମାଛ ନେଇ ନାଉପାଳଗଡ଼ିରେ ଲାଗିଥିଲା। ବିଜୟଙ୍କ ଉପସ୍ଥିତିରେ ମାଛ ଧରାଳିମାନେ ଟ୍ରଲରରୁ ମାଛ ବାହାର କରୁଥିଲେ। ଏହି ସମୟରେ ୪ରୁ ୫ଜଣ ଯୁବକ ସେଠାରେ ପହଞ୍ଚତ୍ ବିଜୟଙ୍କ ସହିତ ଯୁକ୍ତିତର୍କ ଓ ଗଣ୍ଡଗୋଳ ଆରମ୍ଭ କରିଥିଲେ। ପରେ ସେମାନେ ଗୁଳିମାଡ଼ କରି ଫେରାର ହୋଇଯାଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ବିଜୟଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୂର୍ବ ଶତ୍ରୁତାରୁ ଏପରି ଘଟଣା ଘଟିଥିବା ଆଶଙ୍କା କରାଯାଉଛି। ମେରାଇନ୍‌ ଥାନା ଅଧିକାରୀ ଗୋପାଳ ଚନ୍ଦ୍ର ସିଂଙ୍କୁ ପଚାରିବାରୁ ଘଟଣା ଘଟିବାର ଅଳ୍ପ ସମୟ ମଧ୍ୟରେ ପୋଲିସ ସେଠାରେ ପହଞ୍ଚତ୍ଥିଲା। ଦୁଇଟି ପଲ୍‌ସର ବାଇକ୍‌ରେ କଳାମୁଖା ପିନ୍ଧା ୪ ଦୁର୍ବୃତ୍ତ ଆସି ଗୁଳିମାଡ଼ କରି ଫେରାର ହୋଇଯାଇଛନ୍ତି। ତଦନ୍ତ ଜାରି ରହିଛି। ଖୁବ୍‌ଶୀଘ୍ର ଅପରାଧୀମାନଙ୍କୁ ଧରାଯିବ ବୋଲି ସେ କହିଛନ୍ତି। ଚାନ୍ଦିପୁର ଆଇଆଇସି ପ୍ରଭୁ କଲ୍ୟାଣ ଆଚାର୍ଯ୍ୟ,ଏସ୍‌ଡିପିଓ ପ୍ରଭାସ ଚନ୍ଦ୍ର ପାଲ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ରହି ତଦନ୍ତ କାର୍ଯ୍ୟରେ ସହଯୋଗ କରୁଛନ୍ତି।