୨ ସପ୍ତାହ ପରେ ଆରମ୍ଭ ହେବ ଅଣ୍ଡାଦାନ ପ୍ରକ୍ରିୟା: ବସା ପାଇଁ ସୁରକ୍ଷିତ ସ୍ଥାନ ଖୋଜୁଛି ବଉଳା କୁମ୍ଭୀର

ମହାକାଳପଡ଼ା,୩ା୬(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ମହାନଦୀ, ପାଇକା, ଲୁଣା ଓ ଗୋବରୀ ସଂଲଗ୍ନ ନଦୀନାଳରେ ବହୁସଂଖ୍ୟାରେ କୁମ୍ଭୀର ଭାସୁଥିବା ଦେଖିବାକୁ ମିଳୁଛି। ବତୀଘର ଖରିନାସି , ଜମ୍ବୁ ଗୋବରୀ ନଦୀ ଓ ନାଳକୂଳରେ ସେମାନେ ବସା ବାନ୍ଧିଥାନ୍ତି। ଜୁନ୍‌-ଜୁଲାଇ ମଧ୍ୟରେ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଥାଏ। ଏହି ସମୟରେ ସାଧାରଣତଃ ପୁରୁଷ କୁମ୍ଭୀର ବସା ବାନ୍ଧିବା ପାଇଁ ବିଭିନ୍ନ ଉପକରଣ ଅନୁସନ୍ଧାନ ସଂଗ୍ରହ କରିଥାଏ। ବିଶେଷ କରି ଏମାନଙ୍କ ପାଇଁ ମୁଖ୍ୟତଃ ନାଳିଆ ଘାସ, ଖରଖରି ଡାଳ ପତ୍ର, ସରୁ କାଠି ସଂଗ୍ରହକରି ଉଚ୍ଚ ଓ ନିଗିଡିଆ ସୁରକ୍ଷିତ ସ୍ଥାନ ବଣବୁଦାମୂଳେ ବସା ବାନ୍ଧିଥାଏ। ବସା ବାନ୍ଧିବା ମଞ୍ଚା ଉପରେ ମା’ କୁମ୍ଭୀର ୬୦ରୁ ୭୦ ଅଣ୍ଡା ଦାନ କରିଥାଏ। ଅଣ୍ଡାଦାନ ପ୍ରକ୍ରିୟା ସରିବା ପରେ ଦେଢ଼ମାସ ପର୍ଯ୍ୟନ୍ତ ମା’ କୁମ୍ଭୀର ବସାକୁ ପୁରୁଷ କୁମ୍ଭୀର ଜଗି ରହିଥାଏ। ବସାରେ ମା’ କୁମ୍ଭୀର ଅଣ୍ଡା ଉଷୁମ କରୁଥିବା ବେଳେ ପୁରୁଷ କୁମ୍ଭୀର ନଦୀ ନାଳରେ ମାଛ କଙ୍କଡ଼ା ଓ ଅନ୍ୟାନ୍ୟ ଖାଦ୍ୟ ସଂଗ୍ରହ କରି ମା’ କୁମ୍ଭୀରକୁ ଦେଇଥାଏ। ମା’ କୁମ୍ଭୀର ବସାରେ ଦେଢ଼ ମାସ ପରେ ଅଣ୍ଡା ଫୁଟିଲେ ଶାବକମାନଙ୍କୁ ନଦୀ ନାଳରେ ଉଚ୍ଚ ଜୁଆର ଢେଉରେ ପହଁରିବା ଶିଖାଇବା ପାଇଁ ଆଗରେ ପୁରୁଷ କୁମ୍ଭୀର ଓ ଶାବକ ପଛେ ପଛେ ମା’ କୁମ୍ଭୀର ଲହଡ଼ା ପାର କରିଥାନ୍ତି। ଯେଉଁ ଶାବକ ଉଚ୍ଚ ଲହଡ଼ି ପାର ନ ହେଲା ସେ ଶାବକ ବଞ୍ଚିବା କଷ୍ଟକର ବୋଲି ପରିବେଶବିତ୍‌ ସମରେନ୍ଦ୍ର ମାହାଳି ଓ ସୁବାସ ସ୍ବାଇଁ ପ୍ରମୁଖ କହିଛନ୍ତି। ପ୍ରତିବର୍ଷ ଏହି ସମୟରେ କୁମ୍ଭୀର ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ସୁରକ୍ଷା ଓ ସଂରକ୍ଷଣ ପାଇଁ ବନ ବିଭାଗ ପକ୍ଷରୁ ବସା ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଥାଏ ବୋଲି ବିଭାଗୀୟ ସୂତ୍ରରୁ କୁହାଯାଉଛି। ଏ ସଂକ୍ରାନ୍ତରେ ରାଜନଗର ବନଖଣ୍ଡ ଅଧିକାରୀ ଭରଦ୍ୱାଜ ଗାଁଓଙ୍କରଙ୍କୁ ପଚାରିବାରେ କୁମ୍ଭୀର ଅଣ୍ଡାଦାନସ୍ଥଳୀ ଚିହ୍ନଟ ପାଇଁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି।

Dharitri – Odisha’s No.1 Odia Daily

Share