୧୫ରେ ସରିବ ଓଭରବ୍ରିଜ୍‌ ନିର୍ମାଣ କାମ

ଜଟଣୀ,୩ା୭(ରବୀନ୍ଦ୍ର ନାଥ ମହାକୁଡ଼): ଖୋର୍ଦ୍ଧା ଜିଲା ଜଟଣୀ ସୀତାରାମ ଛକ(ଆନ୍ଧ୍ରବ୍ୟାଙ୍କ)ରୁ କୁଦିଆରୀ ବଜାର (ଚିତ୍ରାଳୟ ପ୍ରେକ୍ଷାଳୟ) ପର୍ଯ୍ୟନ୍ତ ଚାଲିଥିବା ଓଭର ବ୍ରିଜ ନିର୍ମାଣ କାର୍ଯ୍ୟ ଆସନ୍ତା ୧୫ ତାରିଖରେ ସରିବ ବୋଲି ପୂର୍ତ୍ତ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ରବିବାର ଏନେଇ ପୂର୍ତ୍ତ ବିଭାଗ ପକ୍ଷରୁ କୁଦିଆରୀ ବଜାର (ଚିତ୍ରାଳୟ ପ୍ରେକ୍ଷାଳୟ)ନିକଟରେ ସୂଚନା ଫଳକ ଲଗାଯାଇ ଉକ୍ତ ଓଭରବ୍ରିଜ ନିର୍ମାଣ କାର୍ଯ୍ୟର ବିବରଣୀ ପ୍ରଦାନ କରାଯାଇଛି। ପ୍ରକଳ୍ପ ଆକଳିତ ମୂଲ୍ୟ ୧୦୪.୬୯୮ ଟଙ୍କା ରହିଥିବା ବେଳେ ନିର୍ମାଣକାରୀ ସଂସ୍ଥା, ଠିକାଦାରଙ୍କ ନାମ ଓ ଫୋନ ନମ୍ବର ଉଲ୍ଲେଖ ରହିଛି। ଓଭରବ୍ରିଜ୍‌ କେବେ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ ହେବ ସେନେଇ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ଉକ୍ତ ଓଭରବ୍ରିଜ ଉଦ୍‌ଘାଟନ ଓ ଶ୍ରେୟ ନେବା ପାଇଁ ରାଜନୈତିକ ନେତାଙ୍କ ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଯାଇଛି।
କି, ରାଜ୍ୟ ସରକାର ୨୦୧୫ରେ ୫୪ କୋଟି ୯୭ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଜଟଣୀ ଆନ୍ଧ୍ର ବ୍ୟାଙ୍କ ଛକଠାରୁ କୁଦିଆରୀ ବଜାର ପର୍ଯ୍ୟନ୍ତ ୧୧୩୩ ମିଟର ଲମ୍ବ ଏହି ଓଭରବ୍ରିଜ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ୨୦୧୭ ମସିହା ସୁଦ୍ଧା ଏହି ବ୍ରିଜ ନିର୍ମାଣ କାର୍ଯ୍ୟ ଶେଷ ହେବା ନେଇ ଆଶା ରଖିଥିଲେ। ତେବେ ବାଦବିବାଦ ଓ ଦୁର୍ନୀତି ଅଭିଯୋଗ ଫଳରେ ଓଭରବ୍ରିଜ ନିର୍ମାଣ କାର୍ଯ୍ୟ ଶେଷହେବାକୁ ୮ବର୍ଷ ବିତିଗଲା। ଏହି ଓଭରବ୍ରିଜ ନିର୍ମାଣ ଖର୍ଚ୍ଚ ବର୍ତ୍ତମାନ ୧୦୪ କୋଟିରୁ ଊର୍ଦ୍ଧ୍ୱ ଟଙ୍କାରେ ପହଞ୍ଚିଛି। ତେବେ ଆଉ କିଛିଦିନ ପରେ କାର୍ଯ୍ୟ ସରିବାକୁ ଥିବା ବେଳେ ଓଭରବ୍ରିଜ୍‌ ଉଦ୍‌ଘାଟନ ଓ ଶ୍ରେୟ ନେବା ପାଇଁ ରାଜନୈତିକ ନେତାଙ୍କ ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଯାଇଛି। ସ୍ଥାନୀୟ ବିଜେଡି ନେତାଙ୍କଠାରୁ ଆରମ୍ଭ କରି କର୍ମୀ ଏବଂ ବିରୋଧୀ ତଥା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ମଧ୍ୟରେ ଏକପ୍ରକାର ବାକ୍‌ଯୁଦ୍ଧ ଲାଗିରହିଛି। ବିଧାୟକ ରାଉତରାୟ ଓଭରବ୍ରିଜ ଉଦ୍‌ଘାଟନକୁ ନେଇ ବାରମ୍ବାର ତାରିଖ ଘୋଷଣା କରୁଥିବା ବେଳେ ରବିବାର ସୂଚନା ଫଳକ ଲାଗିବା ପରେ ଆଶଙ୍କାର ଅନ୍ତ ଘଟିଛି। ଓଭରବ୍ରିଜ ଆସନ୍ତା ୧୫ ତାରିଖରେ ସମ୍ପୂର୍ଣ୍ଣ ହେବା ପରେ ଉଦ୍‌ଘାଟନ କରାଯିବ। ତେବେ ଉପଯୁକ୍ତ ସର୍ଭିସ ରୋଡ୍‌ ନ ଥିବା ଏବଂ ସର୍ଭିସ ରୋଡ୍‌ ଖାଲଖମାରେ ଭର୍ତ୍ତି ଥିବାରୁ ପ୍ରତିଦିନ ଦୁର୍ଘଟଣା ଘଟୁଥିବା ନଜିର ରହିଛି। ଜନସାଧାରଣ ଏହି ରାସ୍ତାରେ ଯାତାୟାତ କରୁଥିବାରୁ କେତେବେଳେ ଯେ ଦୁର୍ଘଟଣା ଘଟିବ ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ। ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହୋଇଛି।