ବିରୋଧୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟ

ଭୁବନେଶ୍ୱର,୧୩ା୫(ବ୍ୟୁରୋ): ଝାରସୁଗୁଡ଼ାରେ ବିଜେଡି ବିପୁଳ ଭୋଟ୍‌ରେ ବିଜୟ ଲାଭ କରିବା ପରେ ବିଜେଡି ବିଜୟ ଉତ୍ସବ ପାଳନ କରିଛି। ଆଜି ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମୋଡରେ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି। ନବୀନ କହିଛନ୍ତି, ବିଜେଡି ମା’ମାନଙ୍କୁ ହାଣ୍ଡିଶାଳରୁ ବାହାରକୁ ଆଣି ସଶକ୍ତ କରିଛି। ବିରୋଧୀ କିନ୍ତୁ ମା’ ଭଉଣୀମାନଙ୍କୁ ଗାଳିଗୁଲଜ କରୁଛନ୍ତି। ଅସମ୍ମାନ କରୁଛନ୍ତି। ପଦ୍ମପୁର ଉପନିର୍ବାଚନ ବେଳେ ବିରୋଧୀ ନକାରାତ୍ମକ ରାଜନୀତିର ଫର୍ମୁଲା ଆପଣାଇ ଗୋଟିଏ ଝିଅକୁ ଯେମିତି ଗାଳି କରୁଥିଲେ ଝାରସୁଗୁଡ଼ାରେ ସମାନ ଆଚରଣ ପ୍ରଦର୍ଶନ କରିଥିଲେ। ଲୋକ ଏହାର ଜବାବ ଦେଇଛନ୍ତି। ମା’ମାନଙ୍କୁ ଅସମ୍ମାନକୁ ଓଡ଼ିଶାବାସୀ କେବେ ହେଲେ ବରଦାସ୍ତ  କରିବେ ନାହିଁ।

ଆହୁରି ମଧ୍ୟ କହିଛନ୍ତି, ମୁଁ ଝାରସୁଗୁଡ଼ାବାସୀଙ୍କ ନିକଟରେ ଋଣୀ। ଏ ବିଜୟ ଝାରସୁଗୁଡ଼ାବସୀଙ୍କର। ନବଦାସଙ୍କ ବିକାଶ କାର୍ଯ୍ୟକୁ ଆହୁରି ଆଗକୁ ନିଆଯିବ। ଓଡ଼ିଶାର ଲୋକମାନଙ୍କ ପାଖରେ ବିଜେଡି ସବୁବେଳେ ଠିଆ ହୋଇଛି। ମହିଳାଙ୍କ ପାଇଁ ବିଜେଡି କାର୍ଯ୍ୟ କରୁଛି। ଆମର ଝିଅମାନେ ଆମର ଗର୍ବ। ବିଜୁ ଜନତା ଦଳ ସବୁବେଳେ ସମାଜର ବିଭିନ୍ନ କ୍ଷେତ୍ରରେ ମା’ମାନଙ୍କ ଯୋଗଦାନକୁ ଉତ୍ସାହିତ କରିଆସିଛି। ସେମାନଙ୍କ ଅଧିକାର ପାଇଁ ଦୃଢ଼ ଭାବରେ ସେମାନଙ୍କ କଥା କହିବା ପାଇଁ ମିଶନ ଶକ୍ତି ଭଳି ପ୍ଲାଟଫର୍ମ ଯୋଗାଇ ଦେଇଛି । ମା’ ମାନଙ୍କର ସଶକ୍ତିକରଣରେ ବିଜେଡି ବିଶ୍ୱାସ କରେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମେ ସମସ୍ତେ ମିଳିମିଶି ଓଡ଼ିଶାର ଉନ୍ନତି ପାଇଁ ଆମ ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ଆମ ସଂସ୍କୃତି ଏବଂ ମା’ମାନଙ୍କ ସମ୍ମାନ ଓ ଅଧିକାର ସୁରକ୍ଷା ପାଇଁ କାମ କରିଚାଲିବା । ଶଙ୍ଖ ଭବନରେ ଆୟୋଜିତ ଝାରସୁଗୁଡା ବିଜୟ ଉତ୍ସବରେ ନବୀନଙ୍କ ଉପସ୍ଥିତି ପାଇଁ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କୃତଜ୍ଞତା ଜଣାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପର୍ଯ୍ୟବେକ୍ଷକ ଦେବୀ ପ୍ରସାଦ ମିଶ୍ର, ପ୍ରସନ୍ନ ଆଚାର୍ଯ୍ୟ ଓ ସାରଦା ନାୟକନିଜର ଅଭିଭାଷଣ ରଖିଥିଲେ। ଦୀପାଳି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। କହିଥିଲେ, ମୋ’ ଉପରେ ଏତେ ବିଶ୍ୱାସ ରଖିଥିବାରୁ ଝାରସୁଗୁଡ଼ାବାସୀଙ୍କୁ ଧନ୍ୟବାଦ।