ଭବାନୀପାଟଣା, ୨୨ା୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ସର୍ବପୁରାତନ ଏକମାତ୍ର ସରକାରୀ ମହିଳା ମହାବିଦ୍ୟାଳୟ ମୁଖ୍ୟାଳୟ ଭବାନୀପାଟଣା ସହରରେ ଥାଇ ମଧ୍ୟ ଅବହେଳିତ ହୋଇପଡିଛି। ୪୫ବର୍ଷ ପରେ ଯୁକ୍ତ ୨ରେ ୮ଟି ବିଭାଗ ଓ ଯୁକ୍ତ ୩ରେ ୭ଟି ବିଭାଗରେ ଅଧ୍ୟାପକ ନ ଥିବାରୁ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି। ବିନା ଅଧ୍ୟାପକରେ ଶିକ୍ଷାଦାନ ଚାଲିଥିବା ଯୋଗୁ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ଭବାନୀପାଟଣା ସହରର ନକଟିଗୁଡାଠାରେ ୧୯୮୧ ମସିହାରେ ସରକାରୀ ମହିଳା ମହାବିଦ୍ୟାଳୟ ଘରୋଇ ଭାବେ ଆରମ୍ଭ ହୋଇଥିଲା। ୧୯୮୩ରେ ଏହି ମହାବିଦ୍ୟାଳୟକୁ ସରକାର ହାତକୁ ନେଇଥିଲେ। ବର୍ତ୍ତମାନ ଏହି ମହାବିଦ୍ୟାଳୟରେ ଯୁକ୍ତ ୨ରେ ୫୮୪ ଜଣ ଓ ଯୁକ୍ତ ୩ରେ ୧୧୧୯ଜଣ ଛାତ୍ରୀ ଅଧ୍ୟୟନ କରୁଛନ୍ତି। ସମୁଦାୟ ୧୭୦୩ ଛାତ୍ରୀ ଯୁକ୍ତ ୨ରେ ୯ଟି ବିଭାଗରେ ଓ ଯୁକ୍ତ ୩ରେ ୧୨ଟି ବିଭାଗରେ ଅଧ୍ୟୟନ କରୁଛନ୍ତି। ଯୁକ୍ତ ୨ର କେବଳ ଭୂଗୋଳ ବିଭାଗରେ ଜଣେ ଅଧ୍ୟାପକ ଥିବାବେଳେ ଓଡିଆ, ଇଂରାଜୀ, ଅର୍ଥନୀତି, ଇତିହାସ, ରାଜନୀତି ବିଜ୍ଞାନ, ଶିକ୍ଷା, ମନସ୍ତତ୍ତ୍ବ ଓ ହୋମ ସାଇନ୍ସ ବିଭାଗ ସମେତ ୮ଟି ବିଭାଗରେ ଆଦୌ ଅଧ୍ୟାପକ ନାହାନ୍ତି। ସେହିଭଳି ଯୁକ୍ତ ୩ର ୧୨ଟି ବିଭାଗ ମଧ୍ୟରୁ ସଂସ୍କୃତ, ନୃତତ୍ତ୍ବ, ହୋମ ସାଇନ୍ସ, ଶିକ୍ଷା, ମନସ୍ତତ୍ତ୍ବ ଓ ରାଜନୀତି ବିଜ୍ଞାନ, ସାମାଜିକ ବିଜ୍ଞାନ ସମେତ ୭ଟି ବିଭାଗରେ ଅଧ୍ୟାପକ ପଦବୀ ଖାଲି ପଡିଛି। ସେହିଭଳି ପିଇଟି, ମୁଖ୍ୟକିରାଣି ଓ ଲାଇବ୍ରେରିଆନ ପଦବୀ ଖାଲି ପଡିଛି। ଲାଇବ୍ରେରି ଆଟେଣ୍ଡାଣ୍ଟ ୩ଟି, ପିଅନ ପଦବୀ ୪ଟି, ଗୋଟିଏ ସୁଇପର ଓ ନାଇଟ ୱାଚର ପଦବୀ ଖାଲି ପଡିଛି। କଲେଜରେ ୨.୯ ଏକର ଜମି ଥିବାବେଳେ ଖେଳ ପଡିଆ ନାହିଁ। ଜାଗା ଅଭାବ ଯୋଗୁ ବିଜ୍ଞାନ ଓ ବାଣିଜ୍ୟ ବିଭାଗ ଖୋଲାଯାଇ ପାରୁନାହିଁ। ଏହି ସମସ୍ୟାକୁ ନେଇ ବାରମ୍ବାର ରାଜ୍ୟ ସରକାରଙ୍କୁ ଅବଗତ କରାଯାଉଥିଲେ ମଧ୍ୟ ପଦବୀ ପୂରଣ ହୋଇପାରୁନାହିଁ। ସେହିଭଳି ଯୁକ୍ତ ୩ରେ ଅଧ୍ୟାପକ ପଦବୀ ନ ଥିବା ଯୋଗୁ ଅନର୍ସ ବିଭାଗ ଖୋଲାଯାଇ ପାରୁନାହିଁ। ୪ଶହ ଶଯ୍ୟା ବିଶିଷ୍ଟ ୨ଟି ହଷ୍ଟେଲ ଥିଲେ ମଧ୍ୟ ପାଚେରି ନ ଥିବାରୁ ଅସୁରକ୍ଷିତ ରହିଛି। ଉଚ୍ଚଶିକ୍ଷା ବିଭାଗ ତୁରନ୍ତ ଏଥିରେ ହସ୍ତକ୍ଷେପ କରିବାକୁ ସହରବାସୀ ଦାବି କରିଛନ୍ତି।


