ଯିଏ ପକାଇଥିଲେ ଏସିଡ୍‌, ତାଙ୍କୁ ହେଲେ ବାହା

ତୁର୍କୀ,୨୬ା୧୨: ତୁର୍କୀର ଜଣେ ୨୦ ବର୍ଷୀୟା ଯୁବତୀଙ୍କ ଉଦାରତା ଏବେ ଚର୍ଚ୍ଚାରେ ରହିଛିି। ଯେଉଁ ଯୁବକ ତାଙ୍କ ମୁହଁକୁ ଏସିଡ୍‌ ପକାଇଥିଲେ ସେହି ଯୁବକଙ୍କୁ ବିବାହ କରିଛନ୍ତି ଯୁବତୀ।

ଏହି ଘଟଣାକୁ ନେଇ ଏବେ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ହେଉଛି। ଯୁବକ ଜଣକ କହିଛନ୍ତି, ମୁଁ ଏମିତି କରିବାକୁ ଚାହୁଁ ନ ଥିଲି। କିନ୍ତୁ ରାଗରେ କରି ଦେଇଥିଲି।

ଯୁବତୀଙ୍କ ନାମ ବେରଫିନ୍‌ ଓଜେକ୍‌। ଯେଉଁ ଯୁବକ ତାଙ୍କୁ ବିବାହ କରିଛନ୍ତି ତାଙ୍କ ନାମ ଓଜନ ସେଲ୍‌ଟି। ଦୁହିଁଙ୍କ ମଧ୍ୟରେ ରିଲେସନଶିପ୍‌ ଥିଲା। କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଫଳରେ ୨୦୧୯ ମସିହାରେ ଓଜନ ବେରଫିନ୍‌ଙ୍କ ଉପରକୁ ଏସିଡ୍‌ ଫିଙ୍ଗି ଥିଲେ। ପରେ ଓଜନଙ୍କୁ ୧୩ ବର୍ଷ ୬ ମାସ ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼ିଥିଲା। ମାତ୍ର କାନୁନ ବଦଳିବା ପରେ ତାଙ୍କୁ ସମୟସୀମା ପୂର୍ବରୁ ଜେଲ୍‌ରୁ ମୁକ୍ତି ମିଳିଥିଲା।

ବେରଫିନଙ୍କ ଉପରକୁ ଏସିଡ୍‌ ଫିଙ୍ଗିବା ପରଠାରୁ ସେ ଭାବି ନେଇଥିଲେ ‘ ମୁଁ ଓଜନଙ୍କର ନୁହେଁ ତ ଆଉ କାହାର ନୁହଁ’। ଯଦି ବିବାହ କରିବି ଓଜନଙ୍କୁ ହିଁ ବିବାହ କରିବି। ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସମୟରେ ସେ ଏହି କଥା ମଧ୍ୟ କହିଥିଲେ।

ତେବେ ଓଜନ ଜେଲ୍‌ରୁ ମୁକୁଳିବା ପରେ ବେରଫିନ୍‌ ତାଙ୍କୁ କ୍ଷମା କରିବା ସହ ବିବାହ ବି କରିଛନ୍ତି। ଜଣେ ୟୁଜର ଲେଖିଛନ୍ତି, କ୍ଷମା ମାଗିଦେଲେ କ’ଣ ଅପରାଧ କମିଯିବ? ମୁଁ ଭାବୁଛି ଏହି ବିବାହ ବେଶିଦିନ ତିଷ୍ଠିବ ନାହିଁ। ଆଉ ଜଣେ ୟୁଜର ଲେଖିଛନ୍ତି, ଯିଏ ଯୁବତୀଙ୍କ ସହ ବର୍ବରତା କରିଥିଲେ, ସେହି ଯୁବକଙ୍କ ସହ ତାଙ୍କୁ ରହିବାକୁ ହେବ।

Share