ବାସନ ମାଜୁଥିବା ବେଳେ ଟଳିପଡ଼ିଲେ ବୃଦ୍ଧା, ଅଂଶୁଘାତ ଆଶଙ୍କା

ରାୟଗଡ଼ା/ଟିକିରି,୨୭ା୪(ଆଶିଷ ରଞ୍ଜନ ପଣ୍ଡା/ପ୍ରଫୁଲ୍ଲ କୁମାର ବେହେରା): ରାୟଗଡ଼ା ଜିଲା କାଶୀପୁର ବ୍ଲକ ଟିକିରି ପଞ୍ଚାୟତର ଜଣେ ବୃଦ୍ଧା ବାସନ ମାଜୁଥିବା ସମୟରେ ଟଳି ପଡ଼ିଥିଲେ। ମୃତ ବୃଦ୍ଧା ମହିଳା ଜଣକ ଟିକିରି ପଞ୍ଚାୟତ ଝୋଡ଼ିଆପଡ଼ାର ଅର୍ଜୁନ ମାଝିଙ୍କ ସ୍ତ୍ରୀ ପଅଁଳା (୬୦) ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନାନୁସାରେ, ପଅଁଳା ପ୍ରତିଦିନ ଭଳି ଶନିବାର ସକାଳୁ ଛେଳି ଚରାଇବା ପାଇଁ ପାଖ ଅଞ୍ଚଳକୁ ଯାଇଥିଲେ। ସେଠାରୁ ଫେରିବା ପରେ ଘରେ ବାସନ ମାଜିବା ସମୟରେ ଅଚେତ ହୋଇପଡ଼ିଥିଲେ। ଫଳରେ ସ୍ବାମୀ ଅର୍ଜୁନ ତାଙ୍କୁ ଟିକିରି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଯାଇଥିଲେ। ସେଠାରେ ଡାକ୍ତର ପଅଁଳାଙ୍କୁ ଉଷାପଡ଼ା ମେଡିକାଲ ନେବା ପାଇଁ ପରାମର୍ଶ ଦେଇଥିଲେ। ଏହାପରେ ସ୍ବାମୀ ଅର୍ଜୁନ ସ୍ତ୍ରୀଙ୍କୁ ଉଷାପଡ଼ା ମେଡିକାଲ ନେଇଯାଇଥିଲେ। ତେବେ ସେଠାରେ ଡାକ୍ତର ପଅଁଳାଙ୍କୁ ମୃତ ଘୋଷଣା କରିଥିଲେ। ଅତ୍ୟଧିକ ଖରା ଯୋଗୁ ଅଂଶୁଘାତର ଶିକାର ହୋଇ ମୃତ୍ୟୁବରଣ କରିଥିବା ମେଡିକାଲରୁ ସୂଚନା ମିଳିଛି। ବର୍ତ୍ତମାନ ମୃତଦେହ ବ୍ୟବଚ୍ଛେଦ ପାଇଁ ପଅଁଳାଙ୍କ ମୃତଦେହକୁ କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଯାଇଛି। ମୃତ ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ସରପଞ୍ଚ ଜଗବନ୍ଧୁ ମାଝି କହିଛନ୍ତି।