ଶୌଚ ହେବାକୁ ଯାଇଥିଲେ ବୃଦ୍ଧା, ଦଳିଦେଲା ଦନ୍ତା

ଝାରସୁଗୁଡ଼ା ଅଫିସ,୧୧ା୮: ଝାରସୁଗୁଡ଼ା ଜିଲା ବାଗଡିହି ଫରେଷ୍ଟ ରେଞ୍ଜ ଅଧୀନ ବୁଡ଼ାପଡ଼ା ଗ୍ରାମ ନିକଟରେ ଏକ ଦନ୍ତା ଜଣେ ବୃଦ୍ଧାଙ୍କୁ ଦଳି ମାରିଦେଇଛି। ମୃତ ବୃଦ୍ଧା ଜଣଙ୍କ ହେଲେ ବୁଡ଼ାପଡ଼ା ଗ୍ରାମ ରକ୍ସାପାଲିର ସୁବାସି ସିଂନାଏକ(୬୨)। ଏ ସମ୍ପର୍କରେ ଖବରପାଇ ରେଞ୍ଜର ବ୍ରଜ ମୋହନ ପଟ୍ଟନାୟକ, ଫରେଷ୍ଟର ବୁଦ୍ଧୁରାମ ରୋହିଦାସ ପ୍ରମୁଖ ବନ ବିଭାଗ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରି ଦନ୍ତାକୁ ଜଙ୍ଗଲକୁ ଘଉଡ଼ାଇଥିଲେ। ରେଞ୍ଜର ନିକଟସ୍ଥ ବାଗଡିହି ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ଫାଣ୍ଡି ଅଧିକାରୀ ଶରତ ଚନ୍ଦ୍ର ଦ୍ୱିବେଦୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଗୁରୁବାର  ବ୍ୟବଚ୍ଛେଦ ପାଇଁ ଝାରସୁଗୁଡ଼ା ପଠାଇଛନ୍ତି । ଏନେଇ ଲଇକେରା ପୋଲିସ କେସ୍‌ ନଂ ୧୫/୨୨ରେ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଛି।

ସୂଚନାଯୋଗ୍ୟ, ବୃଦ୍ଧା ଜଣଙ୍କ ବାହାରକୁ ଶୌଚ ପାଇଁ ଯାଇଥିବାବେଳେ ଦନ୍ତା ହାବୁଡ଼ରେ ପଡ଼ିଯାଇଥିଲେ। ଫଳରେ ଦନ୍ତା ତାଙ୍କୁ ଦଳିଦେଇଥିଲା। ଏଭଳି ସ୍ଥିତିରେ ବନବିଭାଗ ତରଫର ମୃତକଙ୍କ ପରିବାରଙ୍କୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ଦାବି ହେଉଛି।