ଭାଜପା ଜିଲା ସଭାପତିଙ୍କ ଆପତ୍ତିଜନକ ଫଟୋ ଭାଇରାଲ

ବାଲେଶ୍ୱର ଅଫିସ, ୧୭।୧୨:ବାଲେଶ୍ୱର ଜିଲା ଭାଜପା ସଭାପତି ଉମାକାନ୍ତ ମହାପାତ୍ରଙ୍କ ସହ ଜଣେ ମହିଳାଙ୍କ ଆପତ୍ତିଜନକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ଚର୍ଚ୍ଚାର ବିଷୟ ହୋଇଛି। ତେବେ ମହିଳା ଜଣକ କିଏ, କେଉଁ ଉଦ୍ଦେଶ୍ୟରେ ଏହି ଫଟୋ ପୋଷ୍ଟ କରାଯାଇଛି ତାହା ସ୍ପଷ୍ଟ ହୋଇନାହିଁ। ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ତାଙ୍କୁ ବଦ୍‌ନାମ କରିବା ପାଇଁ ଏହା ବିରୋଧୀ ଦଳର ଚକ୍ରାନ୍ତ ବୋଲି ଉମାକାନ୍ତ ଗୁରୁବାର ଅପରାହ୍ନରେ ଏକ ଖବରଦାତା ସମ୍ମିଳନୀ ଡାକି ସ୍ପଷ୍ଟୀକରଣ ଦେଇଛନ୍ତି।
ତାଙ୍କ କହିବାନୁସାରେ ସାମାଜିକ ଗଣମାଧ୍ୟମରେ ଶାସକ ଦଳରେ ନାମ ଥିବା କେତେକ ଫେସବୁକ୍‌ ଗ୍ରୁପ୍‌ରେ ଉକ୍ତ ଫଟୋ ଯୋଡ଼ାଯାଇ ଭାଇରାଲ କରାଯାଇଛି। ତାଙ୍କ ସମ୍ମାନହାନି ଉଦ୍ଦେଶ୍ୟରେ ଏଭଳି ଲେଖାଯାଇଥିବା ସେ କହିଛନ୍ତି। ଏନେଇ ସେ ଜିଲା ଏସ୍‌ପିଙ୍କ ସହ ଆଲୋଚନା କରି ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏଥିସହିତ ଉକ୍ତ ଫଟୋ ଓ ତା’ ସହିତ ଯାହା ଲେଖାଯାଇଛି ତାହା ସମ୍ପୂର୍ଣ୍ଣ ମିଥ୍ୟା ବୋଲି ଜିଲା ଭାଜପା ପକ୍ଷରୁ କୁହାଯାଇଛି। ଜିଲା ସଭାପତିଙ୍କ ମର୍ଯ୍ୟାଦାହାନି କରିବା ପାଇଁ ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ଏପରି କରାଯାଇଥିବା ଭାଜପା ଜିଲା ଗଣମାଧ୍ୟମ ସଂଯୋଜକ ଶ୍ରୀନିବାସ ପ୍ରଧାନ କହିଛନ୍ତି। ଖବରଦାତା ସମ୍ମିଳନୀରେ ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଶୋଭନା ମହାନ୍ତି, ଟାଉନ ସଭାପତି ଚିତ୍ତରଞ୍ଜନ ପଣ୍ଡା ଉପସ୍ଥିତ ଥିଲେ। ଏ ସମ୍ପର୍କରେ ଥାନାରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଥିବା ପୋଲିସ କହିଛି।