ନିର୍ବାହୀ ଅଧିକାରୀ, ପୌରାଧ୍ୟକ୍ଷାଙ୍କ ଅଡୁଆ ବଢ଼ିଲା

ବଲାଙ୍ଗୀର,୭ା୧୦(ବୀରେନ୍ଦ୍ର କୁମାର ଝାଙ୍କର): ସଦ୍ୟ ସମାପ୍ତ ହୋଇଥିବା ବିଧାନସଭା ଅଧିବେଶନରେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ବଲାଙ୍ଗୀର ପୌରାଧ୍ୟକ୍ଷା ଏବଂ ପୌର ନିର୍ବାହୀ ଅଧିକାରୀ ସ୍ବାଧିକାର ଭଙ୍ଗ କରିଥିବା ନେଇ ଅଭିଯୋଗ କରିଥିଲେ। ବିଧାୟକ ମିଶ୍ରଙ୍କ ଅଭିଯୋଗକୁ ଭିତ୍ତିକରି ବଲାଙ୍ଗୀର ପୌରାଧ୍ୟକ୍ଷା ଲିକା ସାହୁ ଏବଂ ପୌର ନିର୍ବାହୀ ଅଧିକାରୀ ବିଶ୍ୱମ୍ବର ମିଶ୍ରଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ ଜାରି ହୋଇଥିବା ଜଣାପଡିଛି। ଏଭଳି ନୋଟିସ ପରେ ପୌରାଧ୍ୟକ୍ଷା ସାହୁ ଏବଂ ନିର୍ବାହୀ ଅଧିକାରୀ ମିଶ୍ର ଅଡୁଆରେ ପଡିଥିବା ଆଲୋଚନାର ବିଷୟ ହୋଇଛି। ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୌଣସି ବି ସରକାରୀ କାର୍ଯ୍ୟକ୍ରମରେ ସମ୍ପୃକ୍ତ କ୍ଷେତ୍ରର ବିଧାୟକଙ୍କୁ ନିମନ୍ତ୍ରଣ କରିବା ପାଇଁ ସରକାରୀ ନିର୍ଦ୍ଦେଶ ରହିଛି। ଏହା ସତ୍ତ୍ୱେ ବଲାଙ୍ଗୀର ପୌରପାଳିକା ପକ୍ଷରୁ କୌଣସି ବି କାର୍ଯ୍ୟକ୍ରମକୁ ବଲାଙ୍ଗୀର ବିଧାୟକ ମିଶ୍ରଙ୍କୁ ନିମନ୍ତ୍ରଣ କରାଯାଇ ନ ଥିଲା ଏବଂ ଏପରିକି ବଲାଙ୍ଗୀର ବିଧାୟକ ମିଶ୍ରଙ୍କୁ କୌଣସି କାର୍ଯ୍ୟକ୍ରମରେ ନିମନ୍ତ୍ରଣ କରାଯିବ ନାହିଁ ବୋଲି ବଲାଙ୍ଗୀର ପୌରାଧ୍ୟକ୍ଷା ସାହୁ ବିଭିନ୍ନ ଗଣମାଧ୍ୟମରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନରେ ପ୍ରତିକ୍ରିୟା ଦେଇଥିଲେ। ଏହି ବିଷୟକୁ ନେଇ ବିଧାୟକ ମିଶ୍ର ଏହା ବିଧାୟକମାନଙ୍କ ପ୍ରତି ଅପମାନ ଏବଂ ଏହାଦ୍ୱାରା ବିଧାୟକଙ୍କ ସ୍ବାଧୀକାର ଭଙ୍ଗ ହୋଇଛି ବୋଲି ବାଚସ୍ପତିଙ୍କୁ ନୋଟିସ ମାଧ୍ୟମରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ବାଚସ୍ପତି ଗ୍ରହଣ କରିଥିଲେ ଏବଂ ବିଧାନସଭାରେ ଆଲୋଚନା ହୋଇଥିଲା। ଆଲୋଚନାବେଳେ ବିଧାୟକ ମିଶ୍ର ନିଜେ ଅଭିଯୋଗ ଆଣିଥିଲେ ଯେ ଉଭୟ ପୌରଧ୍ୟକ୍ଷା ଏବଂ ନିର୍ବାହୀ ଅଧିକାରୀ ଉଦ୍ଦେଶ୍ୟମୂଳକ ଭାବେ ନିଜ ବିଧାନସଭା ନିର୍ବାଚନ ମଣ୍ଡଳୀରେ ପୌରପାଳିକା ତରଫରୁ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମରେ ନିମନ୍ତ୍ରଣ ନ କରି ଅପମାନିତ କରିଛନ୍ତି। ଫଳରେ ତାଙ୍କର ସ୍ବାଧିକାର ଭଙ୍ଗ ହୋଇଛି। ତେଣୁ ଏଇଥି ପାଇଁ ଦାୟୀ ଉଭୟ ପୌରାଧ୍ୟାକ୍ଷା ଓ ପୌର ନିର୍ବାହୀ ଅଧିକାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ଦଣ୍ଡ ବିଧାନ ପାଇଁ ଦାବି କରିଥିଲେ। ଗୃହରେ ବାଚସ୍ପତି ତାଙ୍କ ଦାବିକୁ ଗ୍ରହଣ କରିବା ସହ ଉଭୟ ପୌରଧ୍ୟାକ୍ଷା ଓ ନିର୍ବାହୀ ଅଧିକାରୀଙ୍କୁ ଜବାବ ତଲବ ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ବଳରେ ବିଧାନସଭା ସଚିବ ଦାଶରଥି ଶତପଥି ରାଜ୍ୟ ଗୃହ ଏବଂ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବଙ୍କୁ ଚିଠି ଲେଖି ୭ ଦିନ ମଧ୍ୟରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି। ଏହି ପ୍ରସଙ୍ଗ ଏବେ ବଲାଙ୍ଗୀରରେ ଚର୍ଚ୍ଚାର ବିଷୟ ହୋଇଛି।