ଅକ୍ଟୋବର ୯ରେ ଜମି ଅଧିଗ୍ରହଣ ଜନଶୁଣାଣି

ପୁରୀ ଅଫିସ, ୨୪।୯:ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ସୁରକ୍ଷା ବଳୟ ଉନ୍ନତୀକରଣ କରାଯିବ। ଏହି ପ୍ରକଳ୍ପ ନିମନ୍ତେ ଜମି ଅଧିଗ୍ରହଣ ପାଇଁ ଓଡ଼ିଶା ସାମାଜିକ ପ୍ରଭାବ ଆକଳନ ୟୁନିଟ୍‌ ଏକ ଚିଠା ସାମାଜିକ ପ୍ରଭାବ ବିବରଣୀ ପ୍ରସ୍ତୁତ କରିଛନ୍ତି। ସୁରକ୍ଷା ବଳୟ ମଧ୍ୟରେ ଥିବା ବାସେଳିସାହି ମୌଜା ୱାର୍ଡ ନଂ.୩ର ଜମି ଅଧିଗ୍ରହଣ ଲାଗି ଜନଶୁଣାଣି କରାଯିବ। ଆସନ୍ତା ଅକେ୍‌ଟାବର ୯ ତାରିଖ ପୂର୍ବାହ୍ନ ୧୧ଟାରେ ନୀଳାଦ୍ରି ଭକ୍ତନିବାସ ପରିସରରେ ଏହି ଜନଶୁଣାଣି ପାଇଁ ସମୟ ଧାର୍ଯ୍ୟ ହୋଇଛି। ସେହିପରି ଦୋଳମଣ୍ଡପ ସାହି ୧୫ ନଂ. ଓ୍ବାର୍ଡରେ ଅପରାହ୍ନ ୪ଟାରେ ଜନଶୁଣାଣି ହେବ। ପ୍ରକଳ୍ପ ପ୍ରଭାବିତ ୱାର୍ଡବାସୀ ଏଥିରେ ଉପସ୍ଥିତ ରହି ଜମି ଅଧିଗ୍ରହଣ ଏବଂ ତତ୍‌ଜନିତ ସାମାଜିକ ପ୍ରଭାବ ବିବରଣୀ ଉପରେ ନିଜ ମତାମତ ଉପସ୍ଥାପନ କରିପାରିବେ। ବୁଧବାର ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ପ୍ରଶାସନ ଜନଶୁଣାଣିର ବିଜ୍ଞପ୍ତି ଲଗାଇଛି। ଧାର୍ଯ୍ୟ ତାରିଖ ଓ ସମୟରେ ଜନଶୁଣାଣିରେ ପ୍ରକଳ୍ପ ପ୍ରଭାବିତ ୱାର୍ଡବାସୀ ଉପସ୍ଥିତ ରହି ସେମାନଙ୍କ ମତ ପ୍ରଦାନ କରିବାକୁ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।

ସୂଚନାଯୋଗ୍ୟ, ଶ୍ରୀଜଗନ୍ନାଥ ମନ୍ଦିର ଚତୁଃପାର୍ଶ୍ୱ ନିରାପତ୍ତା ବଳୟ ଉନ୍ନତୀକରଣ ପାଇଁ ମୋଟ ୧୫.୧୯୧ ଏକର ଜମି ଅଧିଗ୍ରହଣ କରାଯିବାକୁ ସ୍ଥିର ହୋଇଛି, ଯେଉଁଥିରେ ୧୨.୫୪୪୫ ଏକର ଘରୋଇ ଏବଂ ୨.୬୪୬୫ ଏକର ସରକାରୀ ଜମି ରହିଛି। ଏଥିମଧ୍ୟରେ ପୁରୀ ତହସିଲ ଅଧୀନ ୫ଟି ମୌଜା ବାସେଳିସାହି, ମଣିକର୍ଣ୍ଣିକା ସାହି, କାଳିକାଦେବୀ ସାହି, ଦୋଳମଣ୍ଡ ସାହି ଓ ଚୂଡ଼ଙ୍ଗ ସାହିର ଜମି ରହିଛି। ଏଥିମଧ୍ୟରୁ ପ୍ରାୟ ୮୦ ପ୍ରତିଶତରୁ ଊର୍ଦ୍ଧ୍ୱ ଜମି ଆସିସାରିଥିବାବେଳେ ପ୍ରଶାସନ ପକ୍ଷରୁ ଉଚ୍ଛେଦ କାର୍ଯ୍ୟ ଜାରି ରହିଛି।