Categories: ଖେଳ

ଓସିଏ ଆୟୋଜନ କରିବ ଟି-୨୦ ଲିଗ୍‌

ଭୁବନେଶ୍ୱର, ୩୦ା୧୧ (ସ୍ପୋଟର୍‌ସ ବ୍ୟୁରୋ)-କଟକସ୍ଥିତ ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) କ୍ଲବ ପରିସରରେ ଏହାର କର୍ମକର୍ତ୍ତା, ଫାଇନାନ୍ସ କମିଟି ଓ ଟୁର୍ନାମେଣ୍ଟ କମିଟି ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶା କ୍ରିକେଟର ଭବିଷ୍ୟତ ଯୋଜନା ସମ୍ପର୍କରେ ଆଲୋଚନା ହୋଇଥିଲା। ଆଗାମି ଓଡ଼ିଶା କ୍ରିକେଟ ଲିଗ୍‌ (ଓସିଏଲ୍‌) ଟି୨୦ ଏବଂ ବିସିସିଆଇ ଦ୍ୱାରା ହେବାକୁଥିବା ସୟଦ ମୁସ୍ତାକ ଅଲୀ ଟ୍ରଫି ଲାଗି ପ୍ରସ୍ତୁତି ଲାଗି ଏକ ସିଲେକ୍ସନ ଟ୍ରାଏଲ ପାଇଁ ଓସିଏ ଯୋଜନା କରିଛି। ଟ୍ରାଏଲ ମ୍ୟାଚ ପାଇଁ ସିଲେକ୍ସନ କମିଟି ୧୬୮ କ୍ରିକେଟରଙ୍କୁ ମନୋନୀତ କରିବ। ଟିସିଏମ୍‌ ସ୍ପୋଟର୍‌ସ ପ୍ରାଇଭେଟ ଲିମିଟେଡ୍‌ର ସହଯୋଗରେ ଓସିଏଲ୍‌ ଟି୨୦ ଲିଗ୍‌ ଆୟୋଜନ ହେବ। ଟିସିଏମ୍‌ ଆଇପିଏଲ୍‌, ଆଇସିସି ବିଶ୍ୱକପ୍‌, ଖେଲୋ ଇଣ୍ଡିଆ ଓ ଆଇଏସ୍‌ଏଲ୍‌ ଭଳି ଇଭେଣ୍ଟ ସହିତ କାର୍ଯ୍ୟକରି ଆସିଛି। ଓଡ଼ିଶାର ଶ୍ରେଷ୍ଠ ୮୪ ଖେଳାଳିଙ୍କୁ ୬ଟି ଦଳରେ ବିଭକ୍ତ କରାଯାଇ ଓସିଏଲ୍‌ ଟି୨୦ ଲିଗ୍‌ ଖେଳାଯିବ। ଏଥିଲାଗି ଖେଳାଳି ମନୋନୟନ ପାଇଁ ଡିସେମ୍ବର ୫ରୁ ଟ୍ରାଏଲ ମ୍ୟାଚ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ମହିଳା କ୍ରିକେଟର ସୁଶ୍ରୀ ଦିବ୍ୟଦର୍ଶିନୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଦିବ୍ୟଦର୍ଶିନୀ ଓସିଏର ଏକମାତ୍ର ଖେଳାଳି ଭାବେ ୟୁଏଇରେ ଅନୁଷ୍ଠିତ ମହିଳା ଟି୨୦ ଚ୍ୟାଲେଞ୍ଜରେ ଟିମ୍‌ ଭେଲୋସିଟି ତରଫରୁ ପ୍ରତିନିଧିତ୍ୱ କରିଥିଲେ। ଏହି ବୈଠକରେ ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି ଏବଂ ସମ୍ପାଦକ ସଞ୍ଜୟ ବେହେରାଙ୍କ ସମେତ ଅନ୍ୟ କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ।

Share