ବଢ଼ିଛନ୍ତି ଭୋଟର କମିଛି ଓ୍ବାର୍ଡ

ଭୁବନେଶ୍ୱର, ୧୬।୧୨(ବ୍ୟୁରୋ): ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ଚଳିତ ମାସ ଶେଷ ସପ୍ତାହ ସୁଦ୍ଧା ଲାଗୁ ହୋଇପାରେ। ଏହା ପୂର୍ବରୁ ପଞ୍ଚାୟତ ନିର୍ବାଚନ ନେଇ ପ୍ରସ୍ତୁତି ପ୍ରାୟ ଶେଷ ହୋଇସାରିଛି। ଡିସେମ୍ବର ୪ରେ ଜିଲାସ୍ତରରେ ଚୁଡାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି। ଗତଥର ଅପେକ୍ଷା ଏଥର ଭୋଟରଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ରାଜ୍ୟ ନିର୍ବାଚନ ଆୟୋଗ ସଚିବ ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, ପଞ୍ଚାୟତ ନିର୍ବାଚନ ନେଇ ଖୁବଶୀଘ୍ର ସର୍ବଦଳୀୟ ବୈଠକ ଡକାଯିବ। ସର୍ବଦଳୀୟ ବୈଠକ ପରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ଚୁଡାନ୍ତ ତାରିଖ ଘୋଷଣା କରାଯିବ। ଏଥର ଭୋଟର ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ଓ୍ବାର୍ଡ ସଂଖ୍ୟା କିନ୍ତୁ ହ୍ରାସ ପାଇଛି। ୯୧ ହଜାର ୯୧୩ ଓ୍ବାର୍ଡରେ ଭୋଟ ଗ୍ରହଣ କରାଯିବ। ୨୦୧୭ରେ ଭୋଟର ସଂଖ୍ୟା ୨ କୋଟି ୬୧ ଲକ୍ଷ ଥିଲା। ଏଥର କିନ୍ତୁ ଏହା ୨ କୋଟି ୬୩ ଲକ୍ଷ ୪୭ ହଜାର ହେବା ସମ୍ଭାବନା ରହିଥିବା ଜଣାପଡିଛି।
ପଞ୍ଚାୟତ ନିର୍ବାଚନ ସକାଶେ ସବୁ ଦଳ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି। ନେତାଙ୍କୁ ଆଉ ପୂର୍ବଭଳି ରାଜଧାନୀରେ ସେତେଟା ଦେଖିବାକୁ ମିଳୁନାହିଁ। ନିର୍ବାଚନ ଲାଗି ତୃଣମୂଳସ୍ତରକୁ ସବୁ ଦଳର ନେତା ଗସ୍ତ କରି ନିଜର ସାମାଜିକ ଗଣମାଧ୍ୟମ ଜରିଆରେ ଭିନ୍ନଭିନ୍ନ ଫଟୋ ଶେୟାର କରୁଥିବା ଦେଖିବାକୁ ମିଳୁଛି। ବିଜେଡି ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ଓ ଦରଦାମ ବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କ ବିଫଳତାକୁ ପ୍ରସଙ୍ଗ କରି ଲୋକଙ୍କ ନିକଟତର ହେବାକୁ ପ୍ରୟାସ ଜାରି ରଖିଛି। ସେହିପରି ଭାଜପା ମଧ୍ୟ କେନ୍ଦ୍ର ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ସହ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିକୁ ମୁଖ୍ୟ ପ୍ରସଙ୍ଗ କରିବାକୁ ଚେଷ୍ଟା ଚଳାଇଛି। କଂଗ୍ରେସ କିନ୍ତୁ ପଞ୍ଚାୟତ ନିର୍ବାଚନ ଲାଗି ବିଜେଡି, ଭାଜପା ଭଳି ପ୍ରସ୍ତୁତ ହୋଇପାରି ନାହିଁ।