ଓଡ଼ିଶାରେ କମୁଛି କଲରାପତରିଆ ବାଘଙ୍କ ସଂଖ୍ୟା

ଭୁବନେଶ୍ୱର,୧ା୩(ଅସମାପିକା ସାହୁ):ରାଜ୍ୟରେ କଲରାପତରିଆ ବାଘଙ୍କ ସଂଖ୍ୟା ହ୍ରାସ ପାଇଛି। ଦେଶରେ ହୋଇଥିବା କଲରାପତରିଆ ଗଣନା ରିପୋର୍ଟ-୨୦୨୨ରୁ ଏହି ତଥ୍ୟ ସାମନାକୁ ଆସିଛି। ଗତ ୪ବର୍ଷରେ ୧୯୨ଟି କଲରପତରିଆ ବାଘ କମିଥିବା ଜଣାପଡ଼ିଛି। ରିପୋର୍ଟ ଅନୁସାରେ ୨୦୧୮ରେ ହୋଇଥିବା କଲରାପତରିଆ ଗଣନା ବେଳେ ରାଜ୍ୟରେ ୭୬୦ କଲରାପତରିଆ ବାଘ ଥିବାବେଳେ ବର୍ତ୍ତମାନ ରାଜ୍ୟରେ ୫୬୮ ରହିଛି। ଯଦିଓ ରାଜ୍ୟରେ କଲରାପତରିଆଙ୍କ ସଂଖ୍ୟା ହ୍ରାସ ପାଉଛି, ମାତ୍ର ଶିମିଳିପାଳ, ସାତକୋଶିଆରେ ସଂଖ୍ୟା ବୃଦ୍ଧି ହୋଇଛି। ସାତକୋଶିଆ ଓ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ମଧ୍ୟରେ ଯଥାକ୍ରମେ ୮୦ ଓ ୯୧ ବାଘ କ୍ୟାମେରା ଟ୍ରାପରେ ଠାବ ହୋଇଛନ୍ତି। ଅନ୍ୟପଟେ ନୟାଗଡ଼ ଓ ଘୁମୁସର ବନଖଣ୍ଡରେ କୌଣସି ବାଘ ନଜର ଆସି ନ ଥିବା ରିପୋର୍ଟରେ ଦର୍ଶାଯାଇଛି।
ଶିମିଳିପାଳ, ସାତକୋଶିଆରେ କଲରାପତରିଆଙ୍କ ସଂଖ୍ୟା ବୃଦ୍ଧି ସନ୍ତୋଷଜନକ ଥିବାବେଳେ ଅଣସଂରକ୍ଷିତ ଅଞ୍ଚଳରେ ୫୫ପ୍ରତିଶତ କଲରାପତରିଆ ଚିହ୍ନଟ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି, ଯାହାକୁ ନେଇ ଏନ୍‌ଟିସିଏ ଚିନ୍ତା ପ୍ରକଟ କରିଛି। କେବଳ ବ୍ୟାଘ୍ର ପ୍ରକଳ୍ପରେ ସୁରକ୍ଷା ଓ ସଂରକ୍ଷଣକୁ ଦୃଷ୍ଟି ଦିଆଯାଇଥିବାବେଳେ ବାକି ଅନ୍ୟ ସ୍ଥାନରେ ଦୃଷ୍ଟାନ୍ତମୂଳକ ଭାବେ ସଂଖ୍ୟା ହ୍ରାସ ପାଉଛି। ତେଣୁ ରାଜ୍ୟ ବନ ବିଭାଗ ଅନ୍ୟ ସ୍ଥାନଗୁଡ଼ିକରେ ମଧ୍ୟ ପାଟ୍ରୋଲିଂ ବଢ଼ାଇବା ପାଇଁ ପରାମର୍ଶ ଦିଆଯାଇଛି।