ବଢ଼ିଲା ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା

କଟକ ଅଫିସ,୯।୨: ଓଡ଼ିଶା ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୩୩କୁ ବୃଦ୍ଧି ପାଇଛି । ପୂର୍ବରୁ ହାଇକୋର୍ଟରେ ଅନୁମୋଦିତ ବିଚାରପତିଙ୍କ ସଂଖ୍ୟା ୨୭ ଥିଲା । ତେବେ ଆଉ ୬ ଜଣ ବିଚାରପତିଙ୍କ ସଂଖ୍ୟା ବୃଦ୍ଧି କରାଯିବା ନେଇ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ଆଇନ ବିଭାଗ ଓ ହାଇକୋର୍ଟକୁ ଚିଠି ଆସିଛି । ବିଚାରପତିଙ୍କ ସଂଖ୍ୟା ୨୫ ପ୍ରତିଶତ ବୃଦ୍ଧି କରିବାକୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡକ୍ଟର ଏସ. ମୁରଲୀଧର ଜାନୁୟାରୀ ପ୍ରଥମ ସପ୍ତାହରେ କେନ୍ଦ୍ର ସରକାର ଓ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ସୁପାରିସ କରିଥିଲେ । ଯାହା ଫଳରେ ଆଉ ୬ ଜଣ ବିଚାରପତିଙ୍କ ପଦ ଅନୁମୋଦିତ ହୋଇଛି ମୁଖ୍ୟ ବିଚାରପତିଙ୍କୁ ମିଶାଇ ଓଡ଼ିଶା ହାଇକୋର୍ଟରେ ଏବେ ୧୮ ଜଣ ବିଚାରପତି କାର୍ଯ୍ୟରତ ଅଛନ୍ତି । ନିକଟରେ ସୁପ୍ରିମକୋର୍ଟଙ୍କ କଲେଜିୟମ ଆଉ ୪ ଜଣଙ୍କ ନାମ ବିଚାରପତି ପାଇଁ ସୁପାରିସ କରିଛନ୍ତି ।