ରାଜ୍ୟରେ ଝିଅ ସଂଖ୍ୟା ହ୍ରାସ

ଓଡ଼ିଶାରେ ଗତ ୧ ଦଶନ୍ଧି ଧରି ପୁଅଙ୍କ ତୁଳନାରେ ଝିଅଙ୍କ ସଂଖ୍ୟା ଲଗାତର ହ୍ରାସ ପାଇବାରେ ଲାଗିଛି। ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ (ଏନ୍‌ଏଫ୍‌ଏଚ୍‌ଏସ୍‌) ସମେତ ବିଭିନ୍ନ ସରକାରୀ ଏଜେନ୍ସି ପକ୍ଷରୁ ୨୦୧୯-୨୧ରେ କରାଯାଇଥିବା ସର୍ବେକ୍ଷଣ ଅନୁସାରେ ଦେଶରେ ପ୍ରତି ୧,୦୦୦ ପୁଅରେ ଝିଅଙ୍କ ସଂଖ୍ୟା ୯୩୨ ଥିବାବେଳେ ଓଡ଼ିଶାରେ ଏହା ୮୯୪ ରହିଥିଲା। କଟକ ଜିଲାରେ ଏହି ତାରତମ୍ୟ ସର୍ବାଧିକ ରହିଛି। ଜିଲାର ପ୍ରତି ୧,୦୦୦ ପୁଅରେ ମାତ୍ର ୭୪୫ ଝିଅ ରହିଛନ୍ତି। ଅନ୍ଧବିଶ୍ୱାସ ଓ ରକ୍ଷଣଶୀଳ ମନୋଭାବ ଯୋଗୁ ଏହି ତାରତମ୍ୟ ବଢ଼ିବାରେ ଲାଗିଛି। ଏନ୍‌ଏଚ୍‌ଏଫ୍‌ଏସ୍‌ର ଶେଷ ରିପୋର୍ଟ ଅନୁଯାୟୀ ରାଜ୍ୟର ୪ଟି ଜିଲାରେ ପୁଅଙ୍କ ତୁଳନାରେ ଝିଅଙ୍କ ସଂଖ୍ୟା ଅଧିକ ଥିଲା। ହେଲେ ସିଭିଲ ରେଜିଷ୍ଟ୍ରେଶନ୍‌ ସିଷ୍ଟମ୍‌ (ସିଆର୍‌ଏସ୍‌)ର ସଦ୍ୟତମ ରିପୋର୍ଟ ଅନୁସାରେ ସବୁ ଜିଲାରେ ଝିଅଙ୍କ ସଂଖ୍ୟା ପୁଅଙ୍କଠାରୁ କମ୍‌ ରହିଛି। ଲିଙ୍ଗଗତ ଅନୁପାତରେ ଏଭଳି ଅସମାନତା ଭବିଷ୍ୟତରେ ଭୟାବହ ସ୍ଥିତି ଉପୁଜାଇପାରେ ବୋଲି ବିଶେଷଜ୍ଞମାନେ ଚିନ୍ତାବ୍ୟକ୍ତ କରିଛନ୍ତି।

ଜଗତ୍‌ସିଂହପୁର, ୨୯।୧୨ (ପ୍ରମୋଦ କୁମାର ନାୟକ): ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅଧୀନ ହେଲ୍‌ଥ ମ୍ୟାନେଜମେଣ୍ଟ ଇନ୍‌ଫର୍ମେଶନ୍‌ ସେଣ୍ଟର (ଏଚ୍‌ଏମ୍‌ଆଇଏସ୍‌)ର ତଥ୍ୟ ଅନୁସାରେ ୨୦୧୪-୧୫ରେ ଜାତୀୟ ସ୍ତରରେ ଲିଙ୍ଗଗତ ଜନ୍ମ ଅନୁପାତ ୯୧୮ ଥିବାବେଳେ ୨୦୨୩-୨୪ରେ ସାମାନ୍ୟ ଉନ୍ନତି ଆସି ୯୩୦ରେ ପହଞ୍ଚତ୍ଛି। କିନ୍ତୁ ଓଡ଼ିଶାରେ ୨୦୧୪-୧୫ରେ ପ୍ରତି ୧,୦୦୦ ପୁଅଙ୍କ ତୁଳନାରେ ଝିଅଙ୍କ ସଂଖ୍ୟା ୯୪୮ ରହିଥିଲା, ଯାହାକି ୨୦୨୩-୨୪ରେ ୯୨୬କୁ ଖସିଆସିଥିଲା। ଓଡ଼ିଶାରେ ମା’ବାପା ହେବାକୁ ଯାଉଥିବା ଦମ୍ପତିମାନେ ଝିଅଙ୍କ ଅପେକ୍ଷା ପୁଅ ଜନ୍ମ କରିବାକୁ ଅଧିକ ଚାହୁଁଥିବା ଏହି ଧାରା ଦର୍ଶାଉଛି।
୨୦୧୧ ଜନଗଣନା ଅନୁଯାୟୀ ଦେଶରେ ୧,୦୦୦ ପୁଅରେ ୯୧୯ ଝିଅ ଥିବାବେଳେ ଓଡ଼ିଶାରେ ଏହି ସଂଖ୍ୟା ୯୪୧ ଥିଲା। କିନ୍ତୁ ପରେ ଅର୍ଥାତ୍‌ ୨୦୧୫-୧୬ ଓ ୨୦୧୯-୨୧ରେ ପିଲାଙ୍କ ଜନ୍ମ ସମୟରେ କରାଯାଇଥିବା ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ (ଏନ୍‌ଏଫ୍‌ଏଚ୍‌ଏସ୍‌-୪ ଓ ୫) ତଥ୍ୟ ଅନୁଯାୟୀ ଓଡ଼ିଶାରେ ଏହି ସଂଖ୍ୟା ଆହୁରି କମି ଯଥାକ୍ରମେ ୯୩୨ ଓ ୮୯୪କୁ ଖସି ଆସିଛି। ଝିଅ ସଂଖ୍ୟା କମିବାକୁ ନେଇ ନାନା କଥା ଆଲୋଚନା ଚାଲିଥିବାବେଳେ ଅନ୍ଧବିଶ୍ୱାସ ହିଁ ମୁଖ୍ୟ କାରଣ ବୋଲି କୁହାଯାଉଛି। ଆଧୁନିକ ଯୁଗରେ ଲୋକଙ୍କ ମନରେ ଝିଅ ଅପେକ୍ଷା ପୁଅ ପ୍ରତି ଦୁର୍ବଳତା ରହିଛି। ବାର୍ଦ୍ଧକ୍ୟ ଅବସ୍ଥାରେ ପୁଅ ପୋଷିବା ସାଙ୍ଗକୁ ମୃତ୍ୟୁ ବେଳେ ମୁଖାଗ୍ନି ଦେବ ବୋଲି ଭାବୁଛନ୍ତି। ଏହି କାରଣରୁ ଅନେକେ ଅଲଟ୍ରାସାଉଣ୍ଡ ମାଧ୍ୟମରେ ଲିଙ୍ଗ ନିରୂପଣ କରି ଝିଅ ଜାଣିଲା ପରେ ଭ୍ରୂଣହତ୍ୟା କରିବାକୁ ପଛାଉନାହାନ୍ତି। ସମାଜ ପୁରୁଷକୈନ୍ଦ୍ରିକ ହୋଇଥିବାରୁ ଝିଅଙ୍କୁ କେତେଜଣ ବୋଝ ବୋଲି ଭାବି ଅବହେଳା କରୁଛନ୍ତି। ଏହି ଧାରା ଜାରି ରହିଲେ ଆଗମୀ ଦିନରେ ସ୍ଥିତି ଜଟିଳ ରୂପ ନେବ। ସରକାର ମଧ୍ୟ ପ୍ରସଙ୍ଗର ଗମ୍ଭୀରତା ଦୃଷ୍ଟିରୁ ବ୍ୟାପକ ସଚେତନତା ଓ ଆଇନକୁ କଡ଼ାକଡ଼ି କରିବାକୁ ଚେଷ୍ଟା କରୁଛନ୍ତି। ହେଲେ ଝିଅ ସଂଖ୍ୟା ବଢୁନାହିଁ। ଉପରଠାଉରିଆ ସଚେତନତା ଯୋଗୁ ବାସ୍ତବ ଲକ୍ଷ୍ୟ ପୂରଣ ହୋଇପାରୁ ନ ଥିବା ସାଧାରଣରେ ଅଭିଯୋଗ ହେଉଛି।
ଏନ୍‌ଏଫ୍‌ଏଚ୍‌ଏସ୍‌-୫ ଅନୁଯାୟୀ ରାଜ୍ୟରେ କଟକ ଜିଲା ସ୍ଥିତି ସବୁଠୁ ସଙ୍ଗିନ ରହିଛି। ଅର୍ଥାତ୍‌ ୧୦୦୦ ପୁଅରେ ମାତ୍ର ୭୪୫ ଜଣ ଝିଅ ରହିଛନ୍ତି। ଏହାପରେ ପୁରୀ ଜିଲାରେ ୧୦୦୦ ପୁଅରେ ୭୮୨ ଝିଅ ଅଛନ୍ତି। ଅନୁରୂପ ଭାବେ ଝାରସୁଗୁଡ଼ା ଜିଲାରେ ୭୯୩, ସୁନ୍ଦରଗଡ଼ ୮୦୯, ଖୋର୍ଦ୍ଧା ୮୧୦, ଦେବଗଡ଼ ୮୨୨, ମୟୂରଭଞ୍ଜ ୮୩୭, ଜଗତ୍‌ସିଂହପୁର ୮୪୩, ବୌଦ୍ଧ ୮୪୪, ନୟାଗଡ଼ ୮୪୫, ଗଞ୍ଜାମ ୮୫୫, କେନ୍ଦ୍ରାପଡ଼ା ୮୬୦, ବାଲେଶ୍ୱର ୮୬୬, ଅନୁଗୋଳ ୮୬୮, ଢେଙ୍କାନାଳ ୮୯୫, ଯାଜପୁର ୮୯୮, କଳାହାଣ୍ଡି ୯୦୩, ବଲାଙ୍ଗୀର ୯୧୯, ସୋନପୁର ୯୨୪, ବରଗଡ଼ ୯୫୦, ରାୟଗଡ଼ା ୯୫୧, ଭଦ୍ରକ ୯୮୦, ମାଲକାନଗିରି ୯୮୧, କେନ୍ଦୁଝର ୯୮୪, କନ୍ଧମାଳ ୯୮୫ ଓ ଗଜପତି ଜିଲାରେ ୯୯୯ ଝିଅ ରହିଛନ୍ତି। ଅନ୍ୟ ୪ଟି ଜିଲା ଯଥା କୋରାପୁଟ, ନୂଆପଡ଼ା, ନବରଙ୍ଗପୁର ଏବଂ ସମ୍ବଲପୁରରେ ୧୦୦୦ରୁ ଅଧିକ ଝିଅ ଅଛନ୍ତି। ଅନ୍ୟ ଏକ ସର୍ଭେ ଅର୍ଥାତ୍‌ ସିଭିଲ ରେଜିଷ୍ଟ୍ରେଶନ୍‌ ସିଷ୍ଟମ ଅନୁଯାୟୀ ଜିଲାୱାରି ଲିଙ୍ଗ ଅନୁପାତ (ଏସ୍‌ଆର୍‌ବି) ଦେଖିଲେ ଜଣାଯାଏ ୨୦୨୧ ଓ ୨୦୨୨ରେ ରାଜ୍ୟର କୌଣସି ଜିଲାରେ ୧୦୦୦ ପୁଅରେ ୧୦୦୦ ଝିଅ ନାହାନ୍ତି। ୨୦୨୧ରେ ନୟାଗଡ଼, ଅନୁଗୋଳ, ଢେଙ୍କାନାଳ, ଖୋର୍ଦ୍ଧା ଓ ଗଞ୍ଜାମ ଜିଲାରେ ୧୦୦୦ ପୁଅରେ ୯୦୦ରୁ କମ୍‌ ଝିଅ ଥିବା ଚିହ୍ନଟ କରାଯାଇଛି। ସେହିପରି ୨୦୨୨ରେ ନୟାଗଡ଼, କଟକ, ସମ୍ବଲପୁର, ଗଞ୍ଜାମ, ଜଗତ୍‌ସିଂହପୁର, ଢେଙ୍କାନାଳ ଓ ଝାରସୁଗୁଡ଼ା ଜିଲାରେ ୧୦୦୦ ପୁଅରେ ୯୦୦ ଭିତରେ ଝିଅ ଥିବାରୁ ଏହି ସଂଖ୍ୟା କିପରି ବୃଦ୍ଧି ପାଇବ ତା’ ଉପରେ ବିଭାଗୀୟ ମାନସ ମନ୍ଥନ ଚାଲିଥିବା କୁହାଯାଉଛି।
ସାମାଜିକ କର୍ମୀ ସୁଷମା ପ୍ରଧାନ, ପ୍ରଦୀପ୍ତ ମିତ୍ର ଓ ବୁଦ୍ଧିଜୀବୀମାନେ ପ୍ରତିକ୍ରିୟାରେ କହିଛନ୍ତି, ସରକାର ଏହି ସମ୍ବେଦନଶୀଳ ପ୍ରସଙ୍ଗକୁ ଯେଉଁଭଳି ଗମ୍ଭୀରତାର ସହ ନେବା କଥା ସେଭଳି ନେଉନାହାନ୍ତି। କେବଳ ଔପଚାରିକତା ପୂରଣ ପାଇଁ ବିଭିନ୍ନ ସମୟରେ ସଚେତନତା କାର୍ଯ୍ୟକ୍ରମ ହେଉଛି, ଯାହା ଗତ ୨୩ ତାରିଖରେ ଜଗତ୍‌ସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟ ସଭାଗୃହରେ ଲିଙ୍ଗ ଅନୁପାତ ବୃଦ୍ଧି ସଂକ୍ରାନ୍ତୀୟ କର୍ମଶାଳାରେ ଦେଖିବାକୁ ମିଳିଥିଲା। ଜିଲାର ସରପଞ୍ଚ ଓ ଜିଲା ପରିଷଦ ସଭ୍ୟମାନଙ୍କ ଉଦ୍ଦେଶ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ହାତଗଣତି ଅର୍ଥାତ୍‌ ୧୪ ସରପଞ୍ଚ ଓ ୬ ଜଣ ଜିଲା ପରିଷଦ ସଭ୍ୟ ଯୋଗ ଦେଇଥିଲେ, ଯାହାକି ଜିଲାସ୍ତରୀୟ ସଚେତନତା ଅସଫଳ ହେଲା ବୋଲି କୁହାଯାଇଛି। ଏ ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସା ତଥା ଜନସ୍ବାସ୍ଥ୍ୟ ଅଧିକାରୀ ଡା. ରଘୁନାଥ ନାୟକଙ୍କୁ ପଚାରିବାରେ ବାସ୍ତବରେ ଝିଅ ସଂଖ୍ୟା କମିବା ଚିନ୍ତାର ବିଷୟ। ଅଧିକାଂଶ ପ୍ରଥମ ସନ୍ତାନ ପୁଅ ହେଲେ ଖୁସି ହେଉଛନ୍ତି। କିନ୍ତୁ ଝିଅ ହେଲେ ଦ୍ୱିତୀୟ ସନ୍ତାନ ପୁଅ ଚାହୁଁଛନ୍ତି। କେହି ଦ୍ୱିତୀୟ ସନ୍ତାନ ଝିଅ ହେଉ ବୋଲି ଭାବୁନାହାନ୍ତି। ଅନେକେ ଗୋଟିଏ ପୁଅରେ ବି ରହି ଯାଉଛନ୍ତି। ଏସବୁ କାରଣରୁ ପୁଅ, ଝିଅ ଅନୁପାତ ବଢୁଛି। କେହି ଦ୍ୱିତୀୟ ସନ୍ତାନ କନ୍ୟା ନ ହେଉ ବୋଲି ଜାଣିବାକୁ ବ୍ୟଗ୍ର ହୋଇ ନିର୍ଭରଯୋଗ୍ୟ ଅଲଟ୍ରାସାଉଣ୍ଡ କ୍ଲିନିକ ଯାଇ ଲିଙ୍ଗନିରୂପଣ ପାଇଁ ଚେଷ୍ଟା କରୁଛନ୍ତି। ଭ୍ରୂଣହତ୍ୟା ସମ୍ପର୍କରେ ଅନେକ ସମୟରେ ତଥ୍ୟ ଲୁଚିଯାଉଛି। ଏ ପରିସ୍ଥିତିରେ ବ୍ୟାପକ ସଚେତନତା ହିଁ ସମାଧାନର ବାଟ ଫିଟାଇବ ବୋଲି ସେ କହିଛନ୍ତି।
ସମାଜ ସଂସ୍କାର କ୍ଷେତ୍ରରେ କାର୍ଯ୍ୟରତ ଦିବାକର ଦାସ କହିଛନ୍ତି, ମଧ୍ୟସ୍ଥ ବୁଲିବେ ଘର ଘର ହୋଇ, କନିଆ ମିଳିବେ ନାହିଁ, କଳିଯୁଗ ପ୍ରତି ବଡ଼ ଭୟଙ୍କର ଦେଖି ଚକିତ ମୁଁ ହୋଇ’। ୬୦୦ ବର୍ଷ ପୂର୍ବେ ସମାଜର ବିପରୀତ ଗତିକୁ ଦେଖି ମହାପୁରୁଷ ଯଶୋବନ୍ତ ଦାସ ଭବିଷ୍ୟ ମାଳିକାରେ ଏଭଳି ଆଶଙ୍କା ବ୍ୟକ୍ତ କରିଥିଲେ, ଯାହା ସତ୍ୟ ହେବାକୁ ଯାଉଛି। ଏବେ ବି ନାରୀମାନେ ଶ୍ରାଦ୍ଧ, ପିଣ୍ଡ ଦେଇପାରିବେ ନାହିଁ, ବଂଶନାଶରୁ କେବଳ ପୁରୁଷମାନେ ହିଁ ରକ୍ଷା କରିପାରିବେ ବୋଲି ସାମାଜିକ ବ୍ୟାଧି ଅଛି, ଯାହା ଦୂରହେବା ଦରକାର। ମହାପୁରୁଷ ଅଚ୍ୟୁତାନନ୍ଦ ଲେଖିଥିଲେ, ରମଣୀ ହାତରେ ହେବ ଶାସନ, ଚନ୍ଦ୍ର ପରେ ଯିବ କ୍ଷେପଣ ଯାନ। ଅର୍ଥାତ୍‌ ନାରୀମାନେ ଉଚ୍ଚ ପଦବୀରେ ଅବସ୍ଥାନ କରିବେ। ପୁଅ ଅପେକ୍ଷା ଝିଅମାନେ ୧୦୦ ଗୁଣ ଅନେକ କାର୍ଯ୍ୟରେ ଆଗୁଆ। ନାରୀ ଚନ୍ଦ୍ରାୟନ ଯାତ୍ରା ସହ ଦେଶର ସର୍ବୋଚ୍ଚ କୀର୍ତ୍ତି ହେବାର ସୌଭାଗ୍ୟ ଲାଭ କରିଛନ୍ତି। ଯେଉଁମାନେ ଭାବୁଛନ୍ତି ଝିଅ ଜନ୍ମ କରି ଅପରାଧ କରିଛନ୍ତି, ସେ ମନରୁ ପୋଛିଦେବା ଦରକାର। ଶାସ୍ତ୍ରରେ ଏକଥା ମଧ୍ୟ ସ୍ପଷ୍ଟ ଅଛି ଯେ, ଭଗବାନ ସମସ୍ତଙ୍କୁ ଝିଅ ଦିଅନ୍ତି ନାହିଁି। ଯେଉଁ ମା’, ବାପାଙ୍କ ସେତିକି ସାମର୍ଥ୍ୟ ଦେଖନ୍ତି ସେମାନଙ୍କୁ ଝିଅ ପ୍ରଦାନ କରିଥାନ୍ତି। କାରଣ ଗୋଟିଏ କନ୍ୟା ଦାନ କରିବା ଏକ ସହସ୍ର ଅଶ୍ୱମେଧ ଯଜ୍ଞ ସହ ସମାନ। ଅଶ୍ୱମେଧ ଯଜ୍ଞ ନ କରି କନ୍ୟାଦାନ କଲେ ଅପାର ପୁଣ୍ୟ ହୁଏ ବୋଲି ଉଲ୍ଲେଖ ଅଛି। ତେଣୁ ଝିଅଙ୍କୁ ପ୍ରାଧାନ୍ୟ ଦେବା, ଭ୍ରୂଣହତ୍ୟା ବନ୍ଦ କରିବା ଜରୁରୀ।
କଟକ ଏସ୍‌ସିବି ମେଡିକାଲ କଲେଜ ପ୍ରସୂତି ବିଭାଗ ପ୍ରଫେସର ଡ. କୀର୍ତ୍ତିରେଖା ମହାପାତ୍ରଙ୍କ ମତରେ ହରିୟାଣା ସମେତ କେତେକ ରାଜ୍ୟରେ ଏହି ସମସ୍ୟା ସୃଷ୍ଟି ହୋଇଥିବାରୁ ଓଡ଼ିଶାରେ ବେଶି ଦୂର ହୋଇ ନ ପାରେ ବୋଲି ପୂର୍ବାନୁମାନ କରାଯାଉଥିଲା। ସେ କହିଛନ୍ତି, ଭ୍ରୂଣହତ୍ୟାକୁ ବେଆଇନ ଘୋଷଣା କରାଯିବା ସତ୍ତ୍ବେ କିଛି ସ୍ଥାନରେ ଚାଲିଛି। ଏକ୍ଷେତ୍ରରେ ଯେଉଁ ପରିବାର ଭ୍ରୂଣହତ୍ୟା କରୁଛନ୍ତି ସେମାନଙ୍କ ଉପରେ କଠୋର ଦଣ୍ଡବିଧାନ ହେଲେ ଅଧିକ ଫଳପ୍ରଦ ହୁଅନ୍ତା। ମୋଟାମୋଟି ଭାବେ ସମାଜରେ ସଂସ୍କାର ଦରକାର। ଯେଉଁମାନେ ସଚେତନତା ଦାୟିତ୍ୱରେ ଅଛନ୍ତି ସେମାନେ ନିଜେ ଆଗ ଭଲଭାବେ ବୁଝିବାକୁ ଚେଷ୍ଟା କଲେ ଭଲ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଜୁଆଆଡ୍ଡା ଚାଲିଥିବା ବେଳେ ହଠାତ୍‌ ପହଞ୍ଚିଲା ପୋଲିସ

ଗଜପତି,୬।୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଝାମିଙ୍ଗା ନିକଟରେ ଜୁଆଆଡ୍ଡା ଚାଲିଥିବା ବେଳେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ଅତର୍କିତ ଚଢ଼ାଉ କରିଛି। ଏଥିରେ…

ହାତ ଯୋଡ଼ି ପ୍ରାର୍ଥନା କଲେ, ପରେ ୧୭ ମହଲାରୁ ଡେଇଁ ପଡ଼ିଲେ; ଚମକାଉଛି ବେକରୀ ମାଲିକଙ୍କ ମୃତ୍ୟୁ ପୂର୍ବର ଭିଡିଓ… 

ମୁମ୍ବାଇ,୬।୨: ମହାରାଷ୍ଟ୍ରର ସୋଲାପୁରରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏଠାର ପ୍ରସିଦ୍ଧ ମୁଲତାନି ବେକେରୀର ୬୦ ବର୍ଷୀୟ ମାଲିକ ସୁନୀଲ ସଦରଙ୍ଗାନୀ ବିଜୟପୁର ରୋଡରେ…

ଛାନିଆ ହୋଇଗଲେ କି ଯାତ୍ରା ମାଲିକ ନାଣ୍ଡୁ! ସାଇ ସତ୍ୟଜିତଙ୍କ ମା’ଙ୍କ ଅଭିଯୋଗ ପରେ…

ଭୁବନେଶ୍ୱର,୬।୨: ଖଳନାୟକ ସାଇ ସତ୍ୟଜିତଙ୍କ ମା’ଙ୍କ ଅଭିଯୋଗ ପରେ ଖଣ୍ଡଗିରି ଥାନାରେ ହାଜର ହେଲେ ‘ତୁଳସୀ’ ଗଣନାଟ୍ୟ ମାଲିକ ଅନନ୍ତ ଧଳ ଓରଫ ନାଣ୍ଡୁ। ସାଇଙ୍କ ମା’ଙ୍କ…

ରାଜଧାନୀରୁ ନକଲି ଡାକ୍ତର ଗିରଫ: ପ୍ରେମ ଜାଲରେ ଫସାଇଲେ ମହିଳା ଡାକ୍ତରଙ୍କୁ

ଭୁବନେଶ୍ୱର,୬।୨:ରାଜଧାନୀରୁ ନକଲି ଡାକ୍ତର ସରୋଜ ମିଶ୍ର ଓରଫ ସିଦ୍ଧାର୍ଥ ଶଙ୍କରଙ୍କୁ ଗିରଫ କରାଯାଇଛି। ମଞ୍ଚେଶ୍ୱର ପୋଲିସ ସିଦ୍ଧାର୍ଥଙ୍କୁ ୧ଲକ୍ଷ ୩୦ ହଜାର ଟଙ୍କା ଠକେଇ ଅଭିଯୋଗରେ ଗିରଫ…

ଅଲିମ୍ପିଆନ ସୁଶୀଲଙ୍କ ଜାମିନ ଖାରଜ

ନୂଆଦିଲ୍ଲୀ,୬ା୨: ସ୍ଥାନୀୟ ଛତ୍ରସାଲ ଷ୍ଟାଡିୟମରେ ପୂର୍ବତନ ଜାତୀୟ ଜୁନିୟର କୁସ୍ତି ଚାମ୍ପିୟନ ସାଗର ଧନକରଙ୍କ ହତ୍ୟା ମାମଲାରେ ଗିରଫ ଅଲିମ୍ପିଆନ ସୁଶିଲ କୁମାରଙ୍କ ଜାମିନ ଆବେଦନକୁ ଦିଲ୍ଲୀର…

ଭାରତକୁ ବଡ଼ ଝଟ୍‌କା: ଟି୨୦ ବିଶ୍ୱକପ୍‌ରୁ ବାଦ୍‌ ପଡ଼ି ପାରନ୍ତି ହର୍ଷିତ ରାଣା

ମୁମ୍ବାଇ,୬ା୨: ଅଭ୍ୟାସ ମ୍ୟାଚରେ ଆଣ୍ଠୁରେ ଆଘାତ ଲାଗିଥିବାରୁ ଭାରତର ଯୁବ ସ୍ପିଡଷ୍ଟର ହର୍ଷିତ ରାଣା ଟି୨୦ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିପାରନ୍ତି। ହର୍ଷିତଙ୍କ ଉପରେ କିନ୍ତୁ ଦଳର ଫିଜିଓ…

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପୁନଃ ଲାଗୁ ଦାବି କରି କଂଗ୍ରେସ…

ଭଞ୍ଜନଗର,୬ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା କଂଗ୍ରେସ (ପଶ୍ଚିମ) ସଂଗଠନ ପକ୍ଷରୁ ଦେଶରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପୁନଃ ଲାଗୁ ଦାବି କରି ଶୁକ୍ରବାର ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରାଙ୍କୁ ଏକ…

ପଞ୍ଚମ ଶ୍ରେଣୀ ମେଧା ବୃତ୍ତି ପରୀକ୍ଷାଫଳ ପ୍ରକାଶିତ: କିଏ କେଉଁ ତାଲିକାରେ ରହିଲେ ଦେଖନ୍ତୁ ପୂରା ଲିଷ୍ଟ…

ପାଟଣା,୬।୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ପଞ୍ଚମ ଶ୍ରେଣୀ ମେଧା ବୃତ୍ତି ଓ ଅର୍ଥନୈତିକ ଅନଗ୍ରସର ବୃତ୍ତି ପରୀକ୍ଷାଫଳ ୨୦୨୫ ଶୁକ୍ରବାର ପ୍ରକାଶ ପାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri