ଭିତରକନିକାରେ ବିଦେଶୀ ପକ୍ଷୀଙ୍କ ସଂଖ୍ୟା ବଢ଼ିଲା

ରାଜନଗର,୭।୧(ଡି.ଏନ.ଏ.):ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଚଳିତ ମାସ ୬ ତାରିଖ ଦିନ ବନ ବିଭାଗ ପକ୍ଷରୁ ହୋଇଥିବା ଗଣନାରୁ ଏହା ଜଣାପଡିଛି। ଗତବର୍ଷ ଭିତରକନିକାକୁ ୧ ଲକ୍ଷ ୧୮ ହଜାର ୩୨୬ ପକ୍ଷୀ ଆସିଥିବା ବେଳେ ଚଳିତ ବର୍ଷ ୧ ଲକ୍ଷ ୩୬ ହଜାର ୯୨ ପକ୍ଷୀ ଆସିଛନ୍ତି। ଅର୍ଥାତ୍‌ ଗତବର୍ଷଠାରୁ ଚଳିତ ବର୍ଷ ଭିତରକନିକାକୁ ୧୭ ହଜାର ୭୬୬ ପକ୍ଷୀ ଅଧିକ ଆସିଥିବା ଗଣନାରୁ ଜଣାପଡିଛି ା ଗତବର୍ଷ ଭିତରକନିକାକୁ ୧୧୫ ପ୍ରଜାତିର ପକ୍ଷୀ ଆସିଥିବା ବେଳେ ଚଳିତବର୍ଷ ୧୨୧ ପ୍ରଜାତିର ପକ୍ଷୀ ଆସିଛନ୍ତି ା ଚଳିତବର୍ଷ ଭିତରକନିକାରେ ପୂର୍ବ ଓ ମଧ୍ୟ ଏସିଆରୁ ଆସିଥିବା ପାଇଡଆବୋସେଟ ପକ୍ଷୀଙ୍କୁ ଦେଖିବାକୁ ମିଳିଛି। ଗତ ୧୩ ବର୍ଷ ଧରି ଏହି ପକ୍ଷୀଙ୍କୁ ଦେଖିବାକୁ ମିଳୁ ନ ଥିଲା। ଚଳିତବର୍ଷ ଏହି ଜାତୀୟ ୧୨୮ଟି ପକ୍ଷୀଙ୍କୁ ଗଣନା ବେଳେ ଚିହ୍ନଟ କରାଯାଇଛି। ଚଳିତବର୍ଷ ସରସା ହଂସ, ପାତି ହଂସ, କଳା ହଂସ, ଦୁବ ହଂସ, ପଣ୍ଡା ହଂସ, ହେରେନ, ଗେଣ୍ଡାଳିଆ, ଦାବେଣ୍ଟିଆ, ପାଣିଗୁରୁଣ୍ଡି, ଚନ୍ଦନପାଟିଆଗେଣ୍ଡି, ଚିତ୍ରାଖଡିହଂସ, ରଙ୍ଗାଗେଣ୍ଡି, ସାରସହଂସ ପ୍ରଭୃତି ପକ୍ଷୀମାନଙ୍କ ସମାଗମ ହୋଇଛି। ଏହି ପକ୍ଷୀଗୁଡିକ ପ୍ରଚଣ୍ଡ ଶୀତରୁ ରକ୍ଷା ପାଇବା ପାଇଁ ହିମାଳୟ ପାଦଦେଶ ଓ ଲଦାଖ, ସାଇବେରିଆ ଓ ଉତ୍ତର ଗୋଲାର୍ଦ୍ଧରୁ ଆସିଥିବା ରାଜନଗର ଡିଏଫ୍‌ଓ ବିକାଶ ରଞ୍ଜନ ଦାଶ ସୂଚନା ଦେଇଛନ୍ତି ା