ସରକାରୀ ଖାତାରେ ବଢ଼ୁନି ସଂଖ୍ୟା

ଅନୁଗୋଳ ଅଫିସ, ୧୧ା୫

ଅନୁଗୋଳ ଜିଲାରେ କରୋନାକୁ ବର୍ଷେ ପୂରଣ ହୋଇଛି। ୨୦୨୦ ମେ ୧୦ ଅର୍ଥାତ୍‌ ଠିକ୍‌ ବର୍ଷକ ତଳେ ଏକାବେଳେ ଜିଲାରୁ ୧୫ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ। ତେବେ ବର୍ଷକ ମଧ୍ୟରେ ମୋଟ୍‌ ଚିହ୍ନଟଙ୍କ ସଂଖ୍ୟା ୨୦ ହଜାର ଡେଇଁ ଯାଇଥିବାବେଳେ ଶତାଧିକ ଲୋକଙ୍କ ଜୀବନ ନେଇଛି ଏହି ମହାମାରୀ। ହେଲେ ସରକାରୀ ତାଲିକାରେ ମୃତକଙ୍କ ସମ୍ପର୍କରେ ଠିକ୍‌ ସୂଚନା ଦିଆଯାଉ ନ ଥିବା ଜିଲାବାସୀ ଅଭିଯୋଗ କରୁଛନ୍ତି।
ପ୍ରଥମ ଅପେକ୍ଷା କରୋନାର ଦ୍ୱିତୀୟ ଲହର ଅଧିକ ଭୟଙ୍କର ସାବ୍ୟସ୍ତ ହୋଇଛି। ଅନୁଗୋଳ ଜିଲାରେ ଖୋଲିଥିବା କୋଭିଡ୍‌ କେୟାର ସେଣ୍ଟର ଠାରୁ ଆରମ୍ଭ କରି କୋଭିଡ୍‌ ମେଡିକାଲ ପର୍ଯ୍ୟନ୍ତ ସବୁଆଡ଼େ ପ୍ରାୟତଃ ଶଯ୍ୟା ଖାଲି ନାହିଁ। ଇତିମଧ୍ୟରେ ଜିଲାରେ ମୋଟ୍‌ ପଜିଟିଭ୍‌ ସଂଖ୍ୟା ୨୦ ହଜାର ୪୦୪ରେ ପହଞ୍ଚତ୍ଛି। ଦୈନିକ ଏକାଧିକ ବ୍ୟକ୍ତିଙ୍କ ଜୀବନ କରୋନା ନେଉଥିବାବେଳେ ପୁରୁଣା ଶବାଗାରରେ ମୃତଦେହ ଲାଇନ ଲଗାଯାଉଛି। ସେଠାରୁ ମୃତଦେହଗୁଡ଼ିକୁ ନେଇ କରଡ଼ାଗାଡ଼ିଆ ଶ୍ମଶାନରେ ଦାହ କରାଯାଉଛି। ଗତବର୍ଷ ୫୧ଟି ମୃତଦେହ ଏଠାରେ ଦାହ କରାଯାଇଥିବାବେଳେ ଗୋଟିଏ ପୋତା ଯାଇଥିଲା। ଏହାବାଦ୍‌ ବିଭିନ୍ନ ଅଞ୍ଚଳର ଲୋକମାନେ ସେମାନଙ୍କ ସମ୍ପର୍କୀୟଙ୍କ ମୃତଦେହ ଗଁା ପାଖ ଶ୍ମଶାନକୁ ନେଇଥିବାବେଳେ ମେଡିକାଲ ସଫେଇ କର୍ମଚାରୀମାନେ ପିପିଇକିଟ୍‌ ପରିଧାନ କରି ଦାହ କରୁଥିବା ଦେଖିବାକୁ ମିଳିଥିଲା। ସେହିପରି ଜିଲାର କେତେଜଣ ସଂକ୍ରମିତ ଜିଲା ବାହାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁମୁଖରେ ପଡ଼ିଥିଲେ। ହେଲେ ଗତବର୍ଷ ସରକାରୀ ଭାବେ ଅନୁଗୋଳ ଜିଲାରେ ମୃତ୍ୟୁ ସଂଖ୍ୟା ୩୭ରେ ଅଟକିଥିଲା। କରୋନା ଦ୍ୱିତୀୟ ଲହର ଆସିବା ଦିନଠାରୁ ଇତିମଧ୍ୟରେ କରଡ଼ାଗାଡ଼ିଆ ଶ୍ମଶାନରେ ୫୨ଟି ମୃତଦେହ ଦାହ ସରିଲାଣି। ସୋମବାର ଜିଲାର ବିଭିନ୍ନ ସ୍ଥାନରୁ ୬ଟି ମୃତଦେହ ଶବାଗାରକୁ ଆସିଥିବା ଜଣାପଡ଼ିଛି। କିନ୍ତୁ ସରକାରୀ ତାଲିକାରେ ଏବେ ସୁଦ୍ଧା ମୋଟ୍‌ ୪୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ଦିଆଯାଇଛି।

ତର୍ଜମା ପରେ ଘୋଷଣା ହେଉଛି
କରୋନାରେ ମୃତ ବ୍ୟକ୍ତିଙ୍କ ସମ୍ପର୍କରେ ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଅଡିଟ୍‌ କରାଯାଇ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଉଛି। ତାହାକୁ ତର୍ଜମା କରାଯାଇ କୋଭିଡ୍‌ରେ ମୃତ୍ୟୁ ନେଇ ଘୋଷଣା ହେଉଛି। ବର୍ତ୍ତମାନ ସୁଦ୍ଧା ଜିଲାରେ ୨୦ ଜଣଙ୍କ କୋଭିଡ୍‌ରେ ମୃତ୍ୟୁ ହୋଇଥିବା ରାଜ୍ୟ ସରକାରଙ୍କୁ ରିପୋର୍ଟ ଦିଆଯାଇଛି।
-ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଜିଲାପାଳ
ଶବାଗାରରେ ମୃତଦେହ ରଖାଯାଉଛି
କୋଭିଡ୍‌ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ସଂକ୍ରମିତଙ୍କ ମୃତ୍ୟୁ ପରେ ମୃତଦେହ ଆଣି ପୁରୁଣା ଶବାଗାରରେ ରଖିବାର ବ୍ୟବସ୍ଥା ହୋଇଛି। ଏହାପରେ ଜିଲାପାଳଙ୍କ ନିକଟରୁ ନିର୍ଦ୍ଦେଶ ଆସିଲେ ମୃତଦେହ କରଡ଼ାଗାଡ଼ିଆ ଶ୍ମଶାନକୁ ପଠାଯାଇ ଦାହ କରାଯାଉଛି।
-ଧନଞ୍ଜୟ ବେହେରା, ଏଡିଏମ୍‌ଓ (ଜନସ୍ବାସ୍ଥ୍ୟ/ କୋଭିଡ୍‌ ପରିଚାଳକ)
ବିଳମ୍ବ ଗ୍ରହଣୀୟ ନୁହେଁ
କରୋନାରେ ଆକ୍ରାନ୍ତ ହୋଇ ଜିଲାରେ ଶତାଧିକ ଲୋକ ମୃତ୍ୟୁମୁଖରେ ପଡ଼ିଛନ୍ତି। କିନ୍ତୁ ସରକାରୀ ତଥ୍ୟରେ ମାତ୍ର ଏକ ପ୍ରତିଶତ ଦର୍ଶାଯାଉଛି। ମୃତ ବ୍ୟକ୍ତିଙ୍କ ସମ୍ପର୍କରେ ଅଡିଟ୍‌ରେ ବିଳମ୍ବ ଆଦୌ ଗ୍ରହଣୀୟ ନୁହେଁ। ପରିବାର ଲୋକ ମୃତ୍ୟୁର କାରଣ ଜାଣିବା ପାଇଁ ହକ୍‌ଦାର।
-ଭୂପେଶ ଚନ୍ଦ୍ର ପ୍ରଧାନ, ଆଇନଜୀବୀ
ଭୟ ନ ଥିବାରୁ ବଢ଼ୁଛି ସଂକ୍ରମଣ
ଗତବର୍ଷ କରୋନା ନାଁ ଶୁଣିଲେ ଲୋକ ଭୟ କରୁଥିଲେ। ଏଥର ଲୋକେ କରୋନା ସମ୍ପର୍କରେ ଅଧିକ ଜାଣିଛନ୍ତି। କିନ୍ତୁ ଅନେକ ଲୋକ ଏହାକୁ ହେୟଜ୍ଞାନ କରୁଥିବାର ଜିଲାରେ ସଂକ୍ରମଣ ଦ୍ରୁତଗତିରେ ବଢ଼ୁଛି। ମୃତ୍ୟୁ ସଂଖ୍ୟା ବଢ଼ୁଥିବାରୁ ଶବ ରଖିବାକୁ ଜାଗା ରହୁନାହିଁ।
-ସୁବୋଧ ମିଶ୍ର, ପୂର୍ବତନ ସଦସ୍ୟ, ରୋଗୀ କଲ୍ୟାଣ ସମିତି