୯୮ ପ୍ରାର୍ଥୀଙ୍କ ନାମାଙ୍କନ

କଟକ ଅଫିସ,୭ା୩: ଆସନ୍ତା ଏପ୍ରିଲ ୧୫ରେ ହେବାକୁ ଥିବା ଓଡ଼ିଶା ରାଜ୍ୟ ବାର୍‌ କାଉନ୍‌ସିଲ୍‌ ନିର୍ବାଚନ ନିମନ୍ତେ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ସୋମବାର ଶେଷ ହୋଇଛି। ବାର୍‌ କାଉନ୍‌ସିଲ୍‌ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ମାର୍ଚ୍ଚ ୧ରୁ ନାମାଙ୍କନପତ୍ର ଦାଖଲ ଆରମ୍ଭ ହୋଇଥିଲା। ସୋମବାର ଶେଷ ଦିବସ ସୁଦ୍ଧା କର୍ମକର୍ତ୍ତା ପଦ ନିମନ୍ତେ ମୋଟ ୩୪ ଜଣ ପ୍ରାର୍ଥତ୍ପତ୍ର ଦାଖଲ କରିଛନ୍ତି। ଏଥିସହ ୨୫ଟି ସଭ୍ୟ ପଦ ପାଇଁ ୯୮ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି। ସେହିପରି ସଭ୍ୟପଦ ପାଇଁ ସର୍ବକନିଷ୍ଠ ଆଇନଜୀବୀ ଭାବେ ବିଦ୍ୟାଲୋକ ମହାପାତ୍ର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଏହି ଅବସରରେ ବାର୍‌ କାଉନ୍‌ସିଲ୍‌ର ପୂର୍ବତନ ସଭାପତି ଚିନ୍ମୟ ମହାନ୍ତି ଓ ବର୍ତ୍ତମାନର ହାଇକୋର୍ଟ ବାର୍‌ ଆସୋସିଏସନ ସଭାପତି କାଳୀପ୍ରସନ୍ନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ମାର୍ଚ୍ଚ ୭ରୁ ୧୦ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ। କୌଣସି ପ୍ରାର୍ଥୀ ନାମାଙ୍କନ ପତ୍ର ପ୍ରତ୍ୟାହାର କରିବାକୁ ଚାହିଁଲେ ମାର୍ଚ୍ଚ ୧୧ରୁ ୧୭ ତାରିଖ ମଧ୍ୟରେ କରିପାରିବେ। ମାର୍ଚ୍ଚ ୧୭ତାରିଖ ସନ୍ଧ୍ୟା ୫ଟାରେ ବୈଧ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ଏପ୍ରିଲ ୧୫ ତାରିଖ ପୂର୍ବାହ୍ନ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ମତଦାନ ନିମନ୍ତେ ସମୟ ଧାର୍ଯ୍ୟ ହୋଇଛି। ଏପ୍ରିଲ ୨୧ରେ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ ବୋଲି ବାର୍‌ କାଉନ୍‌ସିଲ୍‌ ପକ୍ଷରୁ ସୂଚନା ମିଳିଛି।