ପ୍ରଥମଥର ଖୋଲିଲା ନାଇଟ୍‌ ବଜାର

ଭୁବନେଶ୍ୱର, ୧୬।୧ (ବ୍ୟୁରୋ):ହକି ବିଶ୍ୱକପ୍‌କୁ ଅଧିକ ରଙ୍ଗାରଙ୍ଗ କରିବା ସହ ଅତିଥି, ପର୍ଯ୍ୟଟକ, ଖେଳପ୍ରେମୀ ଓ ସହରବାସୀଙ୍କୁ ବିଶ୍ୱସ୍ତରୀୟ ଅନୁଭବ ଦେବା ପାଇଁ ଭୁବନେଶ୍ୱରରେ ଆରମ୍ଭ ହୋଇଛି ମନୋରଞ୍ଜନର ମହାକୁମ୍ଭ ‘ଡଟ୍‌ଫେଷ୍ଟ’। ଏକା ସଙ୍ଗରେ ଏହା ଲୋକଙ୍କୁ ନୃତ୍ୟ, ସଙ୍ଗୀତ, କମେଡି ସହିତ ଖାଦ୍ୟପେୟ ଏବଂ ବିକ୍ରିବଟାର ଭରପୂର ଖୋରାକ ଯୋଗାଉଛି। ଡଟ୍‌ଫେଷ୍ଟର ଅଂଶବିଶେଷ ଭାବେ ରବିବାର ଏକାମ୍ର ହାଟରେ ଖୋଲିଛି ‘ନାଇଟ୍‌ ବଜାର’। ୧୫ ଦିନ ଧରି ଚାଲିବାକୁ ଥିବା ନାଇଟ୍‌ ବଜାରରେ ସହରବାସୀ ବୁଲାବୁଲି ଓ ମନୋରଞ୍ଜନ କରିବା ସହ ବିଭିନ୍ନ ସାମଗ୍ରୀ କିଣିବାର ସୁଯୋଗ ପାଇବେ।
ଦ୍ୱିତୀୟ ସଂସ୍କରଣରେ ପ୍ରଥମଥର ପାଇଁ ‘ନାଇଟ୍‌ ବଜାର’ ଅନ୍ତର୍ଭୁକ୍ତ ହୋଇଥିବାବେଳେ ଏହାକୁ ନେଇ ଲୋକଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଦେଖିବାକୁ ମିଳିଛି। ଝଲମଲ ଆଲୋକ ସଜ୍ଜା ସାଙ୍ଗକୁ ଏକ ନୂଆ ରୂପ ପାଇଛି ଏକାମ୍ର ହାଟ। ଓଡ଼ିଶା ସମେତ ଦିଲ୍ଲୀ, କୋଲକାତା ଆଦି ବିଭିନ୍ନ ରାଜ୍ୟରୁ ଆସିଥିବା ଉଦ୍ୟୋଗୀମାନେ ଏଥିରେ ସାମିଲ ହୋଇଛନ୍ତି। ମାସ୍କ ଠାରୁ ଆରମ୍ଭ କରି ସମ୍ବଲପୁରୀ ଶାଢି, ବିଭିନ୍ନ ଭେରାଇଟିର ଡ୍ରେସ୍‌, ବାଉଁଶରୁ ପ୍ରସ୍ତୁତ ଗହଣା, ଘରସଜ୍ଜା ସାମଗ୍ରୀ, ପର୍ସ, ଘରସଜ୍ଜା ସାମଗ୍ରୀ, ଫୁଲଦାନୀ, ହୋମ୍‌ ଡେକୋର, ଖାଦ୍ୟ ସାମଗ୍ରୀ ଆଦିର ବିକ୍ରିବଟା ହେଉଛି। ଏହା ସାଙ୍ଗକୁ ଲୋକଙ୍କ ମନୋରଞ୍ଜନ କରିବା ପାଇଁ ଏକାମ୍ର ହାଟ ମଧ୍ୟରେ ୩ଟି ଷ୍ଟେଜ୍‌ରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଉଛି। ୨୯ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ଅପରାହ୍ନ ୫ଟାରୁ ରାତି ୧୨ଟା ଯାଏ ଏହି ମାର୍କେଟ ଖୋଲା ରହିିବ।