Categories: ମେଟ୍ରୋ

ଶିଖରଚଣ୍ଡୀ ସ୍ଥିତି ଅନୁଧ୍ୟାନକଲା ଏନ୍‌ଜିଟି ଟିମ

ଭୁବନେଶ୍ୱର,୨୫।୬ (ବନ୍ଦନା ସେଠୀ)ଶିଖରଚଣ୍ଡୀ ପାହାଡ଼ରେ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ପାଇଁ ହୋଇଥିବା କ୍ଷୟକ୍ଷତିକୁ ଶନିବାର ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି) ଟିମ୍‌ ଦେଖିବା ସହ ସ୍ଥିତିର ସମୀକ୍ଷା କରିଛନ୍ତି। ରାଜଧାନୀର ଶୋଭା ବଢାଉଥିବା ତଥା ପରିବେଶ ସମ୍ବେଦନଶୀଳ ଶିଖରଚଣ୍ଡୀ ପାହାଡ଼କୁ କାଟି ବିକାଶ ନାମରେ ବିନାଶ କରାଯାଉଥିବା ଅଭିଯୋଗ ଆଣି ସ୍ଥାନୀୟ ବାସିନ୍ଦା ଓ ମା’ ଶିଖରଚଣ୍ଡୀ ଆଞ୍ଚଳିକ ସୁରକ୍ଷା ସମିତି ଆନ୍ଦୋଳନକୁ ଓହ୍ଲାଇବା ସହ ଏନ୍‌ଜିଟିରେ ମାମଲା ଦାଏର କରାଯାଇଥିଲା। ତେଣୁ ଏନ୍‌ଜିଟିର ୪ଜଣିଆ ଟିମ୍‌ ଗ୍ରାଉଣ୍ଡ୍‌ଜିରୋରେ ପହଞ୍ଚତ୍ ଘଟଣାରେ ତଦନ୍ତ କରିଛନ୍ତି। ପ୍ରଶାସନ କିଭଳି ଏକଚାଟିଆ ଭାବେ ଏତେ ବଡ ପାହାଡ଼କୁ କାଟି ସଫା କରିବା ପରେ କେବଳ ବୁଦା କଟାଯାଇଥିବା ସ୍ପଷ୍ଟୀକରଣ ଦେଇଛନ୍ତି ସେ ନେଇ ସମିତି ଓ ସ୍ଥାନୀୟ ଲୋକେ ତଥ୍ୟ ରଖିଛନ୍ତି। ପ୍ରକଳ୍ପ ପୂର୍ବରୁ ପାହାଡ଼ରେ ନିଆଁ ଲଗାଇ ଗଛଗୁଡିକୁ ନଷ୍ଟ କରାଯାଇଛି, ଯାହାର ଗଣ୍ଡି ଓ ମୂଳକୁ ମାଟିପଥର ଘୋଡ଼ାଇ ଲୁଚାଯାଇଛି। ବର୍ଷା ପରେ ତାହା ଉପରକୁ ଦିଶୁଥିବାବେଳେ ତାହାକୁ ସ୍ଥାନୀୟ ଲୋକେ ଏନ୍‌ଜିଟି ସଦସ୍ୟଙ୍କୁ ଦେଖାଇଛନ୍ତି। ଏଥିସହ ପ୍ରକଳ୍ପ ବନ୍ଦ ରଖିବାକୁ ଏନ୍‌ଜିଟି ଆଦେଶ ଦେଇଥିଲେ ବି ତାହାକୁ ଖାତିର ନ କରି ସ୍ଥାନୀୟ ପ୍ରଶାସନ କାମ ଜାରି ରଖିଥିବା ସେମାନେ ଅଭିଯୋଗ କରିଛନ୍ତି। ଏହାବାଦ୍‌ ପାହାଡ଼ରୁ କେତେ ଗଛ କଟା ଯାଇଛି, କେଉଁ ପ୍ରକଳ୍ପ ପାଇଁ ଗଛ କଟାଯାଇଛି, ପ୍ରଶାସନ ପକ୍ଷରୁ ପ୍ରକଳ୍ପ ପାଇଁ ପରିବେଶ ମଞ୍ଜୁରୀ ନିଆଯାଇଛି ନା ନାହିଁ, ଏନ୍‌ଜିଟିଙ୍କ ନିର୍ଦ୍ଦେଶ ସତ୍ତ୍ୱେ କାମ କାହିଁକି ଅଟକିଲା ନାହିଁ, ଏସବୁ ପ୍ରଶ୍ନର ଉତ୍ତର ମାଗିବା ସହ ଏନ୍‌ଜିଟି ଅଧିକାରୀମାନେ ଉପସ୍ଥିତ ପ୍ରଶାସନିକ ଅଧିକାରୀଙ୍କୁ ତାଗିଦ କରିଥିଲେ। ସେହିଭଳି ଶିଖରଚଣ୍ଡୀ ପାହାଡରୁ ଗଛ କଟା ହେବା ଦ୍ୱାରା କେତେ ଜୈବ ବିବିଧତା ନଷ୍ଟ ହୋଇଛି, କେତେ ବନ୍ୟଜନ୍ତୁ ପ୍ରଭାବିତ ହୋଇଛନ୍ତି, ସେ ନେଇ ଜଙ୍ଗଲ ବିଭାଗ ଅବଗତ ଅଛି କି ନାହିଁ, ସେସବୁ ଦିଗ ଉପରେ ଏନ୍‌ଜିଟି ଅଧିକାରୀମାନେ ଜାଣିବାକୁ ଚାହିଁଛନ୍ତି। ଜୁଲାଇ ୫ରେ ମାମଲାର ପରବର୍ତ୍ତୀ ଶୁଣାଣି ରହିଛି। ତେଣୁ ଏହା ପୂର୍ବରୁ ୭ଦିନ ମଧ୍ୟରେ ପ୍ରକଳ୍ପ ସହ ପରିବେଶ ମଞ୍ଜୁରୀ ନେଇ ସବିଶେଷ ତଥ୍ୟ ଦାଖଲ ପାଇଁ ଉଭୟ ୱାଟ୍‌କୋ ଓ ଖୋର୍ଦ୍ଧା ଜିଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି।
ଶିଖରଚଣ୍ଡୀ ପାହାଡ଼ ବ୍ୟତୀତ ଅନ୍ୟଯେଉଁ ସ୍ଥାନରେ ପାନୀୟ ଜଳ ପ୍ରକଳ୍ପ କରାଗଲେ ସମିତିର କୌଣସି ଆପତ୍ତି ନ ଥିବା କୁହାଯାଇଛି। ଅପରପକ୍ଷେ ପ୍ରଶାସନ ଯେଉଁ ସ୍ଥାନରୁ ଗଛ କାଟିଥିଲା ସେଠାରେ ସମିତି ପକ୍ଷରୁ ଶନିବାର ନୂଆ ଗଛ ଲଗାଯାଇଥିଲା। ଆଗାମୀ ଦିନରେ ପର୍ଯ୍ୟାପ୍ତ ବୃକ୍ଷରୋପଣ କରି ଶିଖରଚଣ୍ଡୀ ପାହାଡ଼କୁ ପୁନର୍ବାର ସବୁଜ ସୁନ୍ଦର କରିବା ପାଇଁ ସଂକଳ୍ପ ନିଆଯାଇଥିଲା। ଏନ୍‌ଜିଟି ସଦସ୍ୟଙ୍କ ସହିତ ବନ ବିଭାଗ ଅଧିକାରୀ, ଖୋର୍ଦ୍ଧା ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଜଟଣୀ ବିଧାୟକ ସୁରେଶ ରାଉତରାୟ, ପରିବେଶବିତ ପ୍ରଫୁଲ ସାମନ୍ତରା, ପ୍ରେରଣା ଅଧ୍ୟକ୍ଷ ଦିଲ୍ଲୀପ ଶ୍ରୀଚନ୍ଦନ, ଦାରୁଠେଙ୍ଗ, ପଟିଆ, ପଥରଗାଡ଼ିଆ, ଚନ୍ଦକା, ରଘୁନାଥପୁର, ଗାଡକଣ, ରଙ୍ଗମାଟିଆ, ଡମଣା, ଅନ୍ଧାରୁଆ, ଶିଖରଚଣ୍ଡୀ ନଗର, କୁଜୁମହଲ, ବାରଙ୍ଗ, କେନ୍ଦୁପଟଣା, ଗ୍ରାମ କମିଟି ସହ ସରପଞ୍ଚ ଓ ସମିତିସଭ୍ୟ ପ୍ରମୁଖ ଉପସ୍ଥିତ ଥିଲେ।