କାର୍ଯ୍ୟକ୍ଷମ ହୋଇପାରୁନି ନବନିର୍ମିତ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ

ମାଲକାନଗିରି, ୩୦ା୧(ଡି.ଏନ.ଏ.):ସରକାର ଜନସାଧାରଣଙ୍କ ସୁବିଧା ଲାଗି ବିଭିନ୍ନ ପଦକ୍ଷେପ ନେଉଛନ୍ତି। ସେମାନଙ୍କ ସୁବିଧା ପାଇଁ ବହୁ ଅର୍ଥ ବ୍ୟୟ କରି ବିଭିନ୍ନ କାର୍ଯ୍ୟାଳୟ ନିର୍ମାଣ କରୁଛନ୍ତି। ମାତ୍ର ଅନେକ କାର୍ଯ୍ୟାଳୟ ନିର୍ମାଣ ହେଉଥିଲେ ସୁଦ୍ଧା ସ୍ଥାନୀୟ ପ୍ରଶାସନର ଅବହେଳା ଯୋଗୁ ଏହା କାର୍ଯ୍ୟକ୍ଷମ ହୋଇପାରୁନି। ଏପରି ଦେଖିବାକୁ ମିଳିଛି ମାଲକାନଗିରି ଜିଲା ଖଇରପୁଟ ତହସିଲ ଅନ୍ତର୍ଗତ ମାଡକାପଦରରେ। ଏଠାରେ ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ନୂତନ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ କୋଠା ଦୁଇବର୍ଷ ହେଲା କାର୍ଯ୍ୟକ୍ଷମ ନ ହୋଇ ପଡିରହିଛି। ଦୁର୍ଗମ ଅଞ୍ଚଳର ଆଦିବାସୀଙ୍କ ଜମିଜମା, ଜାତିଗତ, ସ୍ଥାୟୀ ବାସିନ୍ଦା ଓ ଅନ୍ୟାନ୍ୟ ରାଜସ୍ବ ପ୍ରମାଣପତ୍ର ସୁବିଧାରେ ପାଇବା ଲାଗି ମାଡକାପଦରରେ ଏହି କାର୍ଯ୍ୟାଳୟ ନିର୍ମାଣ ହୋଇଥିଲା। ସ୍ଥାନୀୟ ଅଧିକାରୀଙ୍କ ଅବହେଳା ଯୋଗୁ ଏହା ବର୍ତ୍ତମାନଯାଏ କାର୍ଯ୍ୟକାରୀ ହୋଇନାହିଁ। ଫଳରେ ଲୋକେ ସେମାନଙ୍କ ବିଭିନ୍ନ କାର୍ଯ୍ୟ ଲାଗି ଖର୍ଚ୍ଚାନ୍ତ ହୋଇ ଖଇରପୁଟ କାର୍ଯ୍ୟାଳୟ ଉପରେ ନିର୍ଭର କରୁଛନ୍ତି। ଏହି ନବନିର୍ମିତ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଉପରେ ନିର୍ଭର କରୁଥିବା ଦୁଇଟି ପଞ୍ଚାୟତର ଅନେକ ରାଜସ୍ବ ଗ୍ରାମ ଓ ପଡ଼ାସାହିର ହଜାର ହଜାର ଲୋକ ଅସୁବିଧା ଭୋଗୁଛନ୍ତି। ଅନ୍ୟପକ୍ଷରେ କୋଠା ଚାରିପାଖରେ ଅନାବନା ଗଛ ଉଠି ଜଙ୍ଗଲ ହୋଇଗଲାଣି। କାର୍ଯ୍ୟାଳୟ ନିର୍ମାଣ ହେବାଠାରୁ ଏପର୍ଯ୍ୟନ୍ତ କୌଣସି କର୍ମଚାରୀଙ୍କୁ ଏଠାରେ ଦେଖିବାକୁ ମିଳିନାହିଁ। ଏହାକୁ ଶୀଘ୍ର କାର୍ଯ୍ୟକ୍ଷମ କରିବା ଦିଗରେ ପ୍ରଶାସନ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି।