କୋକସରା,୧ା୮ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲାର ଦୁର୍ଗମ ଅଞ୍ଚଳରେ ଜନନୀ ଯନ୍ତ୍ରଣାର ଚିତ୍ର ସାମ୍ନାକୁ ଆସିଛି। କୋକସରା ବ୍ଲକ ଆମପାଣି ପଞ୍ଚାୟତ ସର୍ଗିପାନି ଗାଁର ଜାଗର ସାନ୍ତାଙ୍କ ସ୍ତ୍ରୀ ହୀରାମଣି ସାନ୍ତାଙ୍କ ଶୁକ୍ରବାର ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ଏ ନେଇ ପରିବାର ଲୋକ ସ୍ଥାନୀୟ ଆଶାକର୍ମୀ ଉର୍ମିଳା ଠାକୁରଙ୍କୁ ଖବର ଦେଇଥିଲେ। ଆଶା କର୍ମୀ ୧୦୨ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ହେଲେ ଗାଁକୁ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସଟି ଗାଁ ଭିତରକୁ ଯାଇପାରି ନ ଥିଲା। ଫଳରେ ପ୍ରାୟ ୩ କି.ମି. ପର୍ଯ୍ୟନ୍ତ ବୁହା ହୋଇ ଅଣାଯିବା ବେଳେ ଜଙ୍ଗଲ ମଝିରେ ଗର୍ଭବତୀ ଜଣକ ଏକ ଶିଶୁକୁ ଜନ୍ମ ଦେଇଥିଲେ। ପରେ ଉଭୟ ମା’ ଓ ଶିଶୁଙ୍କୁ ଆମ୍ବୁଲାନ୍ସରେ ନେଇ କୋକସରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ନବଜାତ ଶିଶୁର ସ୍ବାସ୍ଥ୍ୟ ଠିକ ଥିବାବେଳେ ମହିଳାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି ।


