ଭଞ୍ଜନଗର,୨।୬(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଶିଳ୍ପ ତାଲିମ କେନ୍ଦ୍ରର ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ ଓ ୧୫୦ ଶଯ୍ୟା ବିଶିଷ୍ଟ ଛାତ୍ରାବାସର ଶିଳାନ୍ୟାସ ମଙ୍ଗଳବାର ହୋଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ତାହାର ଶିଳାନ୍ୟାସ କରିଥିଲେ। ଛାତ୍ରାବାସଟି ୭ କୋଟି ୭ ଲକ୍ଷ ୫୩ ହଜାର ୩୩୮ ଟଙ୍କା ଖର୍ଚ୍ଚ ହେବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ଛାତ୍ରୀ ନିବାସଟି ୫ କୋଟି ୩୪ ଲକ୍ଷ ୬୭ ହଜାର ୧୪୨ ଟଙ୍କା ଖର୍ଚ୍ଚ ହେବା ଲକ୍ଷ୍ୟ ରଖାଯାଇଛି। ଏଥିସହ ପାନୀୟ ଜଳ ବ୍ୟବସ୍ଥା ସମେତ ଅନ୍ୟାନ୍ୟ ଉନ୍ନୟନ ବାବଦକୁ ଆଉ କିଛି ଲକ୍ଷ ଟଙ୍କା ବ୍ୟୟ ହେବ। ୧୧ ମାସ ମଧ୍ୟରେ ଉଭୟ ହଷ୍ଟେଲ କାର୍ଯ୍ୟ ସରିବା ଲକ୍ଷ୍ୟ ରଖାଯାଇଛି। ଏହି ଅବସରରେ ଭାଜପା ନେତା ବିଷ୍ଠୁ ପ୍ରସାଦ ପ୍ରଧାନ,ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ସତ୍ୟ ରଞ୍ଜନ ପରିଡ଼ା, ନିର୍ବାହୀ ଯନ୍ତ୍ରୀ ପ୍ରତାପ ନାୟକ, ଶିଳ୍ପ ତାଲିମ କେନ୍ଦ୍ର ଅଧ୍ୟକ୍ଷ ଧନଞ୍ଜୟ ବାଙ୍କିରାଓ ପ୍ରମୁଖ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ ଯେ, ୨୦୨୩ ମସିହା ନଭେମ୍ବର ମାସ ୧୫ ତାରିଖରେ ଭଞ୍ଜନଗର ଶିଳ୍ପ ତାଲିମ କେନ୍ଦ୍ର ପ୍ରତିଷ୍ଠା ହୋଇଥିଲା। କିନ୍ତୁ ସେ ସମୟରେ ସରକାର ହଷ୍ଟେଲ ନିର୍ମାଣ କରି ନ ଥିଲେ। ତେଣୁ ଛାତ୍ରୀଛାତ୍ରମାନେ ଏଠାରେ ରହି ପାଠ ପଢ଼ିବାରେ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏହାକୁ ଆଖି ଆଗରେ ରଖି ନୂଆ ସରକାର ୨୦୨୪-୨୫ ବଜେଟରେ ଉକ୍ତ ଦୁଇ ହଷ୍ଟେଲ ନିର୍ମାଣ ପାଇଁ ଅର୍ଥ ବ୍ୟବସ୍ଥା କରିଥିଲେ। ବର୍ତ୍ତମାନ ତାହାର କାମ ଆରମ୍ଭ ହେବାକୁ ଯାଉଛି।