Categories: ଜାତୀୟ

ନୌସେନାର ନୂଆ ପତାକା ଉନ୍ମୋଚିତ

ନୂଆଦିଲ୍ଲୀ,୩।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର କେରଳର କୋଚି ଶିପ୍‌ୟାର୍ଡରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଦେଶର ପ୍ରଥମ ବିମାନବାହୀ ଯୁଦ୍ଧଜାହାଜର ଜଳାବତରଣ କରିବା ଅବସରରେ ନୌସେନାର ନୂଆ ପତାକା (ଏନ୍‌ସାଇନ) ଉନ୍ମୋଚନ କରିଛନ୍ତି। ନୂଆ ପତାକାର ଉପର ଭାଗରେ ଭାରତର ଜାତୀୟ ପତାକା ଏବଂ ଏହା ପାଖକୁ ନୀଳ ରଙ୍ଗର ଅଷ୍ଟଭୁଜ ଆକୃତି ମଧ୍ୟରେ ଜାତୀୟ ସଙ୍କେତ ରହିଛି। ଛତ୍ରପତି ଶିବାଜୀଙ୍କ ସିଲ୍‌ ଦ୍ୱାରା ଅନୁପ୍ରାଣିତ ହୋଇ ଏଭଳି ଅଷ୍ଟକୋଣୀୟ ଡିଜାଇନ କରାଯାଇଛି। ନୂଆ ଏନ୍‌ସାଇନ ଗ୍ରହଣ କରି ଭାରତ ଏହାର ଦାସତ୍ୱର ବୋଝକୁ ହଟାଇଦେଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।
୧୯୩୪ରେ ନୌସେନାକୁ ରୟାଲ ଇଣ୍ଡିଆନ ନାଭି (ଆର୍‌ଆଇଏନ୍‌) ଭାବେ ନାମିତ କରାଯାଇଥିଲା। ସ୍ବାଧୀନତା ପରେ ଦେଶ ବିଭାଜନ ସହ ନୌସେନା ରୟାଲ ଇଣ୍ଡିଆନ ନାଭି ଓ ରୟାଲ ପାକିସ୍ତାନ ନାଭି ଭାବେ ବିଭକ୍ତ ହୋଇଥିଲା। ୧୯୫୦ ଜାନୁୟାରୀ ୨୬ରେ ଭାରତ ସାଧାରଣତନ୍ତ୍ରରେ ପରିଣତ ହେବା ସହ ‘ରୟାଲ’ ଶବ୍ଦ ହଟାଇ ଦିଆଯାଇ ନୌସେନା କେବଳ ଇଣ୍ଡିଆନ ନାଭି ଭାବେ ପରିଚିତ ହୋଇଥିଲା। ସେବେଠାରୁ ଚଳିଆସୁଥିବା ନୌସେନା ଏନ୍‌ସାଇନ୍‌ ଧଳା ରଙ୍ଗର ପତାକାରେ ଲାଲ୍‌ ରଙ୍ଗର ଭୂସମାନ୍ତର ଓ ଭୂଲମ୍ବ ପଟି ଥିଲା। ଏହି ଦୁଇ ଷ୍ଟ୍ରିପ୍‌ (କ୍ରସ୍‌ ଅଫ୍‌ ସେଣ୍ଟ ଜର୍ଜ) ମଧ୍ୟରେ ଭାରତର ଜାତୀୟ ସଙ୍କେତ ରହିଥିଲା। ୧୯୪୭ରେ ଭାରତ ସ୍ବାଧୀନ ହେବା ପରେ ପତାକାର ଉପର ଭାଗରେ ଥିବା ୟୁନିୟନ ଜାକ୍‌କୁ ହଟାଇ ସେଠାରେ ତ୍ରିରଙ୍ଗା ରଖାଯାଇଥିଲା। କ୍ରସ୍‌ ଅଫ୍‌ ସେଣ୍ଟ ଜର୍ଜ ଉପନିବେଶୀୟ ଶାସନ ସମୟର ପ୍ରତୀକ ହୋଇଥିବାରୁ ଶୁକ୍ରବାର ଉନ୍ମୋଚିତ ହୋଇଥିବା ନୌସେନାର ନୂଆ ପତାକାରେ ତାହାକୁ ହଟାଇ ଦିଆଯାଇଛି।

Share