ଛତ୍ରପୁର,୨୮ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ତହସିଲ ଅନ୍ତର୍ଗତ ସୁନ୍ଦରପୁର ଗ୍ରାମରେ ଲୋକଙ୍କୁ ରାଜସ୍ବ ସେବା ଯୋଗାଇଦେବା ଲାଗି ସରକାରୀ ଅର୍ଥ ଖର୍ଚ୍ଚରେ ନିର୍ମାଣ କରାଗଲା ନୂତନ କୋଠା। ହେଲେ, ଏଯାବତ୍ ତାହାକୁ ହସ୍ତାନ୍ତର ନ କରାଯିବା ଫଳରେ ଲୋକେ ରାଜସ୍ବ ସେବା ସଠିକ୍ ଭାବେ ପାଇ ପାରୁ ନ ଥିବା ଅଭିଯୋଗ ହୋଇଛି। ଗ୍ରାମରେ ଥିବା ଏକ ଭଙ୍ଗା ପୁରୁଣା କୋଠାରେ ରାଜସ୍ବ ସେବା ଯୋଗାଇ ଦିଆଯାଉଥିବା ବେଳେ ଲୋକଙ୍କ ପାଇଁ ସେଠାରେ ପର୍ଯ୍ୟାପ୍ତ ସୁବିଧା ନ ଥିବାରୁ ଲୋକେ ଉକ୍ତ କାର୍ଯ୍ୟାଳୟକୁ ଯିବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି। ଏହାକୁ ନେଇ ସ୍ଥାନୀୟ ବାସିନ୍ଦାମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିବା ମଧ୍ୟ ଦେଖିବାକୁ ମିଳୁଛି। ନୂତନ ଭାବେ ନିର୍ମିତ କୋଠାର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ବେଳେ ରଙ୍ଗମରାଠାରୁ ଆରମ୍ଭ କରି ଟାଇଲ, କବାଟ୍ ଆଦି ଖଞ୍ଜା ସରିଛି। ତଥାପି କୋଠାକୁ କାହିଁକି ହସ୍ତାନ୍ତର କରାଯାଉନାହିଁ ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି।
ଅନ୍ୟପଟେ ବର୍ଷା ହେଲେ ପୁରୁଣା କୋଠାରୁ ପାଣି ଝରିବା ସହ ସେଠାରେ ଲୋକଙ୍କ ପାଇଁ ବସିବା, ପାନୀୟ ଜଳ ଆଦି ସୁବିଧା ନ ଥିବାରୁ ନୂତନ କୋଠା ହସ୍ତାନ୍ତର ପରେ କାର୍ଯ୍ୟାଳୟକୁ ଆସୁଥିବା ଲୋକେ ସମସ୍ତ ସୁବିଧା ପାଇପାରିବେ ବୋଲିି କହିଛନ୍ତି ଗ୍ରାମବାସୀ। ଏଣୁ ସୁନ୍ଦରପୁର ରାଜସ୍ବ ଅଧୀନରେ ଆସୁଥିବା ସମସ୍ତ ପଞ୍ଚାୟତର ଲୋକଙ୍କ ସ୍ବାର୍ଥ ଲାଗି ନୂତନ କୋଠାକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ପାଇଁ ଦାବି ଜୋର ଧରିଛି। ଏନେଇ ରାଜସ୍ବ ଅଧିକାରୀଙ୍କୁ ପଚାରିବାରେ ଏନେଇ ଛତ୍ରପୁର ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଖୁବ୍ଶୀଘ୍ର ବିଦ୍ୟୁତ୍ ସଂଯୋଗ ହେଲେ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ସେ କହିଛନ୍ତି। ଅନ୍ୟପଟେ ସରକାର ଜନସାଧାରଣଙ୍କ ହିତ ନିମନ୍ତେ ଲକ୍ଷଲକ୍ଷ ଟଙ୍କା ବ୍ୟୟରେ ଉକ୍ତ କୋଠା ନିର୍ମାଣ କରାଯାଇଥିଲେ ମଧ୍ୟ ତାହା କାର୍ଯ୍ୟକ୍ଷମ ହୋଇନାହିଁ। ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବା ନିମନ୍ତେ ସୁନ୍ଦରପୁର ସରପଞ୍ଚ ଗଗନ କୁମାର ବେହେରା ଓ ଭାଜପା ନେତା ଅର୍ଜୁନ ବେହେରା ଦାବି କରିଛନ୍ତି।