ଅବହେଳିତ ଶହୀଦ ସ୍ମୃତିସ୍ତମ୍ଭ

ଖୋର୍ଦ୍ଧା,୩୦ା୬ (ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲା ସଂସ୍କୃତି ଭବନ ପରିସରରେ ୨୦୧୧ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶହୀଦ ସ୍ତମ୍ଭ ଉଦ୍‌ଘାଟନ କରିଥିଲେ। ଶହୀଦଙ୍କ ସ୍ମୃତି ଉଦ୍ଦେଶ୍ୟରେ ନିର୍ମିତ ହୋଇଥିବା ସ୍ତମ୍ଭ ଚାରିପଟେ ଗଛଲତା ମାଡ଼ିଗଲାଣି। ଏକଦା ଏହି ସ୍ତମ୍ଭ ନିର୍ମାଣ ବେଳେ ଦେଶମାତୃକା ଲାଗି ଶହୀଦ ହୋଇଥିବା ବୀରପୁରୁଷଙ୍କ ନାମଫଳକ ଲଗାଇବା ପାଇଁ ସ୍ଥିର ହୋଇଥିଲା। ତାହା ମଧ୍ୟ ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିଲା ନାହିଁ। ସ୍ତମ୍ଭ ସ୍ମାରକୀ ଚାରିପଟେ ଅନାବନା ଗଛଲତା ସହ ଉପର ଭାଗରେ ବରଗଛ ଉଠିଲାଣି। ଏହା ଭଗ୍ନ ଅବସ୍ଥାରେ ରହିଛି। ସ୍ତମ୍ଭର ଚାରିପଟେ ବୀରତ୍ୱ ଚିହ୍ନ ସ୍ବରୂପ ପାଇକ ବୀରଙ୍କ ଯୋଦ୍ଧା ବେଶ ଚିତ୍ରିତ ହୋଇଥିବା ବେଳେ ଏହା ଏବେ ନଷ୍ଟ ହେବାକୁ ବସିଛି। ଶହୀଦ ସ୍ତମ୍ଭର ପୁନରୁଦ୍ଧାର ପ୍ରତି ଗୁରୁତ୍ୱ ଦିଆଯାଉନାହିଁ। ସେହିପରି ବରୁଣେଇ ପାହାଡ଼ ପାଦଦେଶରେ ମଧ୍ୟ ଶହୀଦ ସ୍ତମ୍ଭ ରହିଛି। ତେବେ ଏହାର ଚାରିପାଖ ବିପର୍ଯ୍ୟସ୍ତ ହୋଇପଡିଥିବା ବେଳେ ଅଳିଆ ଆବର୍ଜନା ମଧ୍ୟରେ ଏହା ଲୁଚିବାକୁ ବସିଲାଣି। ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଏହା ଭଗ୍ନ ଅବସ୍ଥାକୁ ଚାଲି ଆସିଲାଣି। ତେବେ ଜିଲା ସଂସ୍କୃତି ଭବନଠାରେ ନିର୍ମିତ ଶହୀଦ ସ୍ତମ୍ଭର ପୁନରୁଦ୍ଧାର କେବେ ହେବ ଏ ସମ୍ପର୍କରେ କେହି ମୁହଁ ଖୋଲିବାକୁ ନାରାଜ। ଅନ୍ୟପଟେ ବରୁଣେଇଠାରେ ରହିଥିବା ଶହୀଦ ସ୍ତମ୍ଭର ପୁନରୁଦ୍ଧାର କରାଯିବ ବୋଲି ପୌର ପ୍ରଶାସନ ପକ୍ଷରୁ କୁହାଯାଇଛି। ଏ ସମ୍ପର୍କରେ ବରିଷ୍ଠ ବୁଦ୍ଧିଜୀବୀ ଜ୍ଞାନରଞ୍ଜନ ଦାଶ କହିଛନ୍ତି, ଶହୀଦମାନେ ଏ ଦେଶର ଗର୍ବ ଓ ଗୌରବ। ଆଜି ପର୍ଯ୍ୟନ୍ତ ସ୍ବାଧୀନତା ସଂଗ୍ରାମରେ ଝାସ ଦେଇ ଶହୀଦ ହୋଇଥିବା ସଂଗ୍ରାମୀଙ୍କ ଫଳକଟିଏ ମଧ୍ୟ ଶହୀଦ ସ୍ତମ୍ଭ ନିକଟରେ ଲାଗିପାରିଲା ନାହିଁ। ଏନେଇ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଛି। ଯେଉଁ ଜାତି ନିଜ ପୂର୍ବ ଇତିହାସକୁ ଭୁଲିଯାଏ, ସେ ଜାତିର ପତନ ସୁନିଶ୍ଚିତ। ଆଗାମୀ ପିଢିଙ୍କ ପାଇଁ ଶହୀଦ ସ୍ତମ୍ଭର ସୌନ୍ଦର୍ଯ୍ୟକରଣ, ପୁନରୁଦ୍ଧାର ଜରୁରୀ ବୋଲି ସେ କହିଛନ୍ତି।