ଗଞ୍ଜାମର ବିଭିନ୍ନ ଅଞ୍ଚଳରେ ମୁତୟନ ହେଲେ ଏନ୍‌ଡିଆରଏଫ, ଓଡ୍ରାଫ ଟିମ୍‌

ଛତ୍ରପୁର,୨୬।୯(ଡି.ଏନ୍‌.ଏ.): ସମ୍ଭାବ୍ୟ ବାତ୍ୟା ଗୁଲାବ ପରିପ୍ରେକ୍ଷୀରେ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏନ୍‌ଡିଆରଏଫ୍‌ ଓ ଓଡ୍ରାଫ ଟିମ୍‌ ଗଞ୍ଜାମ ଜିଲାରେ ପହଞ୍ଚିଥିଲେ। ପରେ ସେମାନଙ୍କୁ ପାତ୍ରପୁର, ସୋରଡା, ଆସିକା, ପୁରୁଷୋତ୍ତମପୁର, ଶେରଗଡ଼, ଗଞ୍ଜାମ, ଗୋପାଳପୁର ପ୍ରଭୃତି ଅଞ୍ଚଳରେ ମୃତୟନ କରାଯାଇଛି। ସେମାନଙ୍କୁ ପୂର୍ବ ପ୍ରସ୍ତୁତି କରି ରଖିବାକୁ କୁହାଯାଇଛି । ଲାଇଫ ଜ୍ୟାକେଟ ଯଥେଷ୍ଟଷ୍ଠୟ ପରିମାଣରେ ନ ଥିବା ଯୋଗୁ ବହୁ ପରିମାଣରେ ଟ୍ୟୁବ୍‌ ମହଜୁଦ କରି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ମହଜୁଦ ରହିଥିବା ବୋଟ୍‌ଗୁଡିକର ଯାଞ୍ଚକରି ପୂର୍ବ ପ୍ରସ୍ତୁତି କରି ରଖିବା ପାଇଁ ଜଣାଇ ଦିଆଯାଇଛି । ଯେଉଁ ଖାଲୁଆ ବା ତଳିଆ ଅଞ୍ଚଳରେ ଜଳମଗ୍ନ ହେବାର ସମ୍ଭାବନା ରହିଛି ସେହି ସ୍ଥାନକୁ ପରିଦର୍ଶନ ନିମନ୍ତେ ଲୋକଙ୍କୁ ବାରଣ କରାଯାଇଛି । ଏଥି ସହିତ ଯାତାୟାତ ବିଚ୍ଛିନ୍ନ ହୋଇଯିବା ସମ୍ଭାବନା ଥିବା ସ୍ଥାନକୁ ନ ଯିବା ପାଇଁ କୁହାଯାଇଛି।