Categories: ଜାତୀୟ

‘ହାଇଡ୍ରୋଜେନ୍‌ ବମ୍‌’ ପକାଇଲେ ନବାବ

ମୁମ୍ବାଇ,୧୦।୧୧: ମୁମ୍ବାଇ କ୍ରୁଜ ଡ୍ରଗ ମାମଲା ଦିନକୁ ଦିନ ବିବାଦ ଭିତରକୁ ଆସିଛି। ବୁଧବାର ଏକ ଖବରଦାତା ସମ୍ମିଳନୀ କରି ଏନସିପି ନେତା ନବାବ ମଲିକ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ବିରୋଧରେ ଅନେକ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ଦେବେନ୍ଦ୍ର ଫଡନାଭିସ ମୁଖ୍ୟମନ୍ତ୍ରୀ ଥିବା ସମୟରେ ମହାରାଷ୍ଟ୍ରରେ ନକଲି ନୋଟ ବ୍ୟବସାୟ କରୁଥିଲେ। ତାଙ୍କ ପୃଷ୍ଠପୋଷକତାରେ ଏହି ବ୍ୟବସାୟ ପାକିସ୍ତାନ ଏବଂ ବାଂଲାଦେଶ ପର୍ଯ୍ୟନ୍ତ ଚାଲିଥିଲା।
ମଲିକ ଅଭିଯୋଗ କରିଛନ୍ତି ଯେ ନଭେମ୍ବର ୮, ୨୦୧୬ରେ ବିମୁଦ୍ରୀକରଣ ପରେ ଦେଶର ଅନେକ ସ୍ଥାନରେ ନକଲି ନୋଟ ଧରାଯାଇଥିଲା, କିନ୍ତୁ ମହାରାଷ୍ଟ୍ରରେ ଗୋଟିଏ ବର୍ଷ ପର୍ଯ୍ୟନ୍ତ ଗୋଟିଏ ବି ମାମଲା ରୁଜୁ ହୋଇ ନ ଥିଲା। ଅକ୍ଟୋବର ୮, ୨୦୧୭ରେ, ମହାରାଷ୍ଟ୍ରରେ ହୋଇଥିବା ଚଢାଉରେ ୧୪ କୋଟିରୁ ୫୬ ଲକ୍ଷ ନକଲି ନୋଟ ଧରାଯାଇଥିଲା। ଦେବେନ୍ଦ୍ର ଫଡନାଭିସ ଏହି ବିଷୟକୁ ଘୋଡାଇବା ପାଇଁ କାର୍ଯ୍ୟ କରିଥିଲେ। ଏହି ଚଢାଉବେଳେ କେବଳ ଆଠ ଲକ୍ଷ ୮୦ ହଜାର ମିଳିଥିବା କହି ଏହି ମାମଲାକୁ ଚାପି ଦିଆଯାଇଥିଲା। ଏନେଇ ଏକ ମାମଲା ରୁଜୁ କରାଯାଇଥିଲା। କିଛି ଦିନ ମଧ୍ୟରେ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରାଯାଇଥିଲା। ଏହି ମାମଲା ଏନଆଇଏକୁ ପଠାଯାଇ ନାହିଁ। କାରଣ, ଯେଉଁମାନେ ନକଲି ମୁଦ୍ରା ର଼୍ୟାକେଟ ଚଳାଉଥିଲେ, ସେତେବେଳେ ତତ୍କାଳୀନ ସରକାରଙ୍କ ସୁରକ୍ଷା ଦାୟିତ୍ୱରେ ଥିଲେ।
ଏନସିପି ନେତା ଅଭିଯୋଗ କରିଛନ୍ତି ଯେ ଫଡନାଭିସ ମୁଖ୍ୟମନ୍ତ୍ରୀ ଥିବାବେଳେ କେବଳ ଅଣ୍ଡରୱାଲର୍‌ଡ ସହିତ ସଂଯୋଗ ଥିବା ଲୋକଙ୍କୁ ରାଜନୈତିକ ପଦବୀ ପ୍ରଦାନ କରିଥିଲେ। ସେ ମୁନ୍ନା ଯାଦବ ନାମକ ଜଣେ ବ୍ୟକ୍ତିଙ୍କୁ ନିର୍ମାଣ ବୋର୍ଡର ଚେୟାରମ୍ୟାନ କରିଥିଲେ। ସେ ଜଣେ ମାଫିଆ ଥିବାବେଳେ ତାଙ୍କ ବିରୋଧରେ ଅନେକ ହତ୍ୟା ମାମଲା ରୁଜୁ ହୋଇଥିଲା। ଅଭିଯୋଗ ହୋଇଛି ଯେ ସିଏମ ଫଡନାଭିସ ଦାଉଦଙ୍କ ଘନିଷ୍ଠ ସହଯୋଗୀ ରିୟାଜ ଭାଟିଙ୍କ ମାଧ୍ୟମରେ ଟଙ୍କା ଲୁଟିବା କାମ କରୁଥିଲେ।
ସୂଚନାଯୋଗ୍ୟ, ଫଡନାଭିସ ଖବରଦାତା ସମ୍ମିଳନୀ ଡକାଇ ନବାବ ମଲିକଙ୍କ ଅଣ୍ଡରଓ୍ବାଲର୍‌ଡ ସହ ସମ୍ପର୍କ ଥିବା କହିଥିଲେ।

Share