ନନ୍ଦିଘୋଷ ରଥ ଖୋଲା ଆରମ୍ଭ

ପୁରୀ ଅଫିସ,୧୪ା୮: ସିଂହଦ୍ୱାର ସମ୍ମୁଖରେ ଥିବା ତିନିରଥ ଖୋଲା କାମ ଜାରି ରହିଛି। ବୁଧବାର ବଡଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ ଖୋଲା ଶେଷ ପରେ ଗୁରୁବାରଠାରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଖୋଲା ଆରମ୍ଭ ହୋଇଛି। ପ୍ରଥମ ଦିନରେ ଅଁଳା, କଳସ, ଓଲଟଶୁଆ, ଖପୁରି, ପାରାଭାଡ଼ି, ବଡ଼ ପୋଟଳ, ଖୋଲାଯାଇଛି। ୧୫ଜଣ ଭୋଇ ସେବକ, ୯ କମାର ସେବକ ଏବଂ ତିନିରଥର ମୁଖ୍ୟ ମହାରଣା ଏହି କାମରେ ଲାଗିଛନ୍ତି। ଅନ୍ୟପକ୍ଷେ ତାଳଧ୍ୱଜ ରଥର ଖୋଲାଯାଇଥିବା ସବୁ ଅଂଶକୁ ଶ୍ରୀଗୁଣ୍ଡିଚା ମନ୍ଦିର ପରିସରରେ ରଖାଯାଇଛି। ସୂଚନାଥାଉ କି, ଚଳିତବର୍ଷର ତିନିରଥ ଭଙ୍ଗାଯିବ ନାହିଁ। ୨୦୨୦ ମସିହା ଐତିହାସିକ ରଥଯାତ୍ରାର ସ୍ମୃତି ସ୍ବରୂପ ତିନିରଥକୁ ସଂରକ୍ଷଣ କରାଯିବ। ମହାପ୍ରଭୁଙ୍କ ପ୍ରମୋଦ ଉଦ୍ୟାନ ଜଗନ୍ନାଥ ବଲ୍ଲଭ ମଠ ପରିସରରେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ରଥଗୁଡ଼ିକୁ ବର୍ଷତମାମ୍‌ ଦେଖିପାରିବେ ବୋଲି ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି। ତିନିରଥ ଖୋଲା ଯିବା ପରେ ଏହାକୁ ଜଗନ୍ନାଥ ବଲ୍ଲଭ ପରିସରରେ ପୂର୍ଣ୍ଣାଙ୍ଗ ରୂପ ଦିଆଯିବ।