Categories: ଫୁରସତ

ପରିବର୍ତ୍ତନର ନାଁ ବାଇଡେନ୍‌

ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେଲା। ରାଷ୍ଟ୍ରପତି ଟ୍ରମ୍ପ୍‌ ହାରିିଗଲେ ଓ ପୂର୍ବତନ ଉପରାଷ୍ଟ୍ରପତି ବାଇଡେନ୍‌ ଜିତିଲେ। ଏମିତି ଦେଖିଲେ ସାଧା କଥା। ନିର୍ବାଚନ ଏକ ସ୍ବାଭାବିକ ଗଣତାନ୍ତ୍ରିକ ପ୍ରକ୍ରିୟା। ପୂର୍ବରୁ ମଧ୍ୟ ଅନେକ ଶାସକ ପରାଜିତ ହୋଇଛନ୍ତି। କିନ୍ତୁ ସାମଗ୍ରିକ ଭାବେ ବିଚାର କଲେ ଅହଂକାରୀ ରିପବ୍ଲିକାନ୍‌ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ପରାଜୟ ଓ ଅନୁଭବୀ ଡେମୋକ୍ରାଟ୍‌ ଜୋ ବାଇଡେନ୍‌ଙ୍କ ପୁନଃ ଅଭ୍ୟୁଦୟ ଭୂ-ରାଜନୈତିକ ପ୍ରେକ୍ଷାପଟରେ ଅନେକ ପରିବର୍ତ୍ତନର ସଙ୍କେତ ଦିଏ। ୭୪ ବର୍ଷୀୟ ଶକ୍ତିଶାଳୀ ନେତା ଟ୍ରମ୍ପ୍‌ଙ୍କୁ ତାଙ୍କ ପାର୍ଟିର ଗୋଟିଏ ପରେ ଗୋଟିଏ ଦୁର୍ଗରେ ଧରାଶାୟୀ କରିବା ସହଜ କି ସମ୍ଭବ ନ ଥିଲା। ହେଲେ ଏହି ଅସମ୍ଭବକୁ ବାସ୍ତବର ରୂପ ଦେଇଛନ୍ତି ୭୭ ବର୍ଷୀୟ ରାଜନେତା ବାଇଡେନ୍‌।
ଆମେରିକାର ମଙ୍ଗ ଜୋ ବାଇଡେନ୍‌ଙ୍କ ହାତକୁ ଏମିତି ସମୟରେ ଆସିଛି ଯେତେବେଳେ କରୋନା ମହାମାରୀ ଯୋଗୁ ଏହି ପାଶ୍ଚାତ୍ୟ ଦେଶ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ଅବଶିଷ୍ଟ ପୃଥିବୀ ସବୁ କଥାରେ ଆମେରିକାକୁ ଦେଖୁଥିବାବେଳେ ଘାତକ କୋଭିଡ୍‌ ମାଡ଼ରେ ସବୁଠୁ ଶକ୍ତିଶାଳୀ ରାଷ୍ଟ୍ରର ଅଣ୍ଟା ନଇଁ ଯାଇଛି। କୁଢ଼ କୁଢ଼ ଶବ, ଭଣ ଭଣ ସଂକ୍ରମଣ, ମୃତ୍ୟୁର ଆତଙ୍କ ଓ ପରିଜନଙ୍କ ଚିତ୍କାର ସହ ବଢ଼ିଚାଲିଥିବା କବର ସଂଖ୍ୟା କହିଦେଉଛି ଯେ, ସ୍ଥିତି ଆଦୌ ଭଲ ନାହିଁ। କୋଭିଡ୍‌-୧୯ ଭୂତାଣୁଜନିତ କଟକଣା ଦେଶର ଅର୍ଥନୀତିକୁ ରସାତଳଗାମୀ କରିଛି। ମାନ୍ଦାବସ୍ଥା ଓ ବେକାରି ସମସ୍ୟା ଦିନକୁ ଦିନ ଉତ୍କଟ ହେବାରେ ଲାଗିଥିବାବେଳେ ଭଙ୍ଗାଘର ସଜାଡ଼ିବା ବଡ଼ ଚ୍ୟାଲେଞ୍ଜ ସାଜିଛି।
ଗୋଟି ଗୋଟି କରି ଅନେକ ଆନ୍ତର୍ଜାତିକ ଚୁକ୍ତିରୁ ଆମେରିକା ଓହରିଯିବା ଟ୍ରମ୍ପ୍‌ଙ୍କ ଅସହିଷ୍ଣୁ ତଥା ଏକଚ୍ଛତ୍ରବାଦୀ ବିଚାରଧାରାକୁ ପଦାରେ ପକାଇଥିଲା। ଶରଣାର୍ଥୀ ସମସ୍ୟା ଓ ବର୍ଣ୍ଣଭେଦ ଆନ୍ଦୋଳନ ଟ୍ରମ୍ପ୍‌ ପ୍ରଶାସନକୁ ସବୁଠି ନିନ୍ଦିତ କରିଥିଲା। ଏସବୁ ବିଫଳତାକୁ ଟ୍ରମ୍ପ୍‌ଙ୍କ ପରାଜୟର ପ୍ରମୁଖ କାରଣ କୁହାଯାଉଥିବାବେଳେ ସବୁକିଛିର ସମାଧାନ ସମ୍ଭବ। ଏକତାରୁ ପରିବର୍ତ୍ତନ ସମ୍ଭବ ବୋଲି ନାରା ଦେଇ ନିର୍ବାଚନ ଜିତିଛନ୍ତି ବାଇଡେନ୍‌।
ହେଲେ ବିଦାୟୀ ରାଷ୍ଟ୍ରପତି ଟ୍ରମ୍ପ୍‌ ନିଜ ପରାଜୟକୁ ସ୍ବୀକାର ନ କରିବା ହ୍ବାଇଟ୍‌ ହାଉସ୍‌ ପରମ୍ପରାରେ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛି। ବର୍ତ୍ତମାନର ଅଭୂତପୂର୍ବ ରାଜନୈତିକ ସ୍ଥିତି ଆମେରିକାକୁ ଦୋଛକିରେ ଛଡ଼ା କରାଇଛି। କାରଣ ଆମେରିକାରେ ଏବେ ବସ୍ତୁତଃ ଦୁଇଜଣ ରାଷ୍ଟ୍ରପତି। ଜଣେ ଚୌକିରେ ବସିବାକୁ ଯାଉଛନ୍ତି ଏବଂ ତାଙ୍କ ପୂର୍ବସୁରୀ ଚୌକି ଛାଡ଼ୁନାହାନ୍ତି। ନିର୍ବାଚନ ଜିତିବାର ୬ ଦିନ ପରେ ବାଇଡେନ୍‌ଙ୍କୁ ଅଭିନନ୍ଦନ ଜଣାଇ ଆମେରିକା ପ୍ରତି ଚାଇନା ନିଜ ପୂର୍ବ ଆଭିମୁଖ୍ୟକୁ ଦୋହରାଇଛି କହିଲେ ଚଳେ। ତଥାପି ବେଜିଂ ସହ ଟ୍ରେଡ୍‌ ୱାର୍‌ ପରେ କରୋନା ଭୂତାଣୁକୁ ଚାଇନା ଭାଇରସ୍‌ର ଆଖ୍ୟା ଦେଇଥିବା ବ୍ୟବସାୟୀ ଟ୍ରମ୍ପ୍‌ଙ୍କ ତୁଳନାରେ ବୁଦ୍ଧିଜୀବୀ ବାଇଡେନ୍‌ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଧାରିବାରେ ସଫଳ ହୋଇପାରନ୍ତି।

Share