ଓଡ଼ିଶା,ଇଣ୍ଡୋନେସିଆର ନାଁ ସୁବର୍ଣ୍ଣ ଅକ୍ଷରରେ ଲିପିବଦ୍ଧ

କଟକ ଅଫିସ,୭ା୫: ୨ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ଇଣ୍ଡୋନେସିଆ ରାଷ୍ଟ୍ରଦୂତ ଇନା.ଏଚ୍‌ କ୍ରିଷ୍ଣମୂର୍ତ୍ତି। ଓଡ଼ିଶା ଓ ଇଣ୍ଡୋନେସିଆ ସମ୍ପର୍କକୁ ଆହୁରି ମଜଭୁତ କରିବା ପାଇଁ କଟକ ନୌବାଣିଜ୍ୟ ସଂଗ୍ରହାଳୟରେ ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ସଂଗ୍ରହାଳୟରେ ଥିବା ଇଣ୍ଡୋନେସିଆ ଗ୍ୟାଲେରି ବୁଲି ଦେଖିଥିଲେ କ୍ରିଷ୍ଣମୂର୍ତ୍ତି। ୧୯୫୦ ମସିହା ପରଠୁ ଏପର୍ଯ୍ୟନ୍ତ ଆମ୍ବାସାଡର ତାଲିକାରେ ପ୍ରଥମ ମହିଳା ଆମ୍ବାସାଡର ହେଉଛନ୍ତି କ୍ରିଷ୍ଣମୂର୍ତ୍ତି। ଏ ସମ୍ପର୍କରେ ସେ କହିଛନ୍ତି, ଏହା ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ। ବିଜୁବାବୁଙ୍କ ସମୟରୁ ଇଣ୍ଡୋନେସିଆ ସହ ଯେଉଁ ସମ୍ପର୍କ ରହିଛି ତାହାକୁ ଅଧିକ ମଜଭୁତ କରିବା ପାଇଁ ସମୟ ଆସିଛି। ଇତିହାସରେ ଓଡ଼ିଶା ଓ ଇଣ୍ଡୋନେସିଆର ନଁା ସୁବର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ରହିଛି। ପୂର୍ବରୁ ଓଡ଼ିଆ ସାଧବ ପୁଅମାନେ ଇଣ୍ଡୋନେସିଆ ଗସ୍ତ କରି ସେଠାରେ ବାଣିଜ୍ୟ କରୁଥିଲେ। ବର୍ତ୍ତମାନ ସମୟରେ ସମ୍ପର୍କର ସେତୁକୁ ବିକାଶ କରିବାର ସମୟ ଆସିଛି ା ତେଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ଦିଗରେ ଯଥେଷ୍ଟ କାର୍ଯ୍ୟପନ୍ଥା ହାତକୁ ନେଇଛନ୍ତି। ଏହି ଗସ୍ତ ସମ୍ପର୍କକୁ ନିଶ୍ଚୟ ଦୃଢ କରିବ ବୋଲି କ୍ରିଷ୍ଣମୂର୍ତ୍ତି ଆଶା ରଖିଛନ୍ତି। ଓଡ଼ିଶା ଓ ଇଣ୍ଡୋନେସିଆ ମଧ୍ୟରେ ରହିଥିବା ପୁରାତନ ସାଂସ୍କୃତିକ ଓ ନୌବାଣିଜ୍ୟ ପରମ୍ପରାକୁ ଉଜ୍ଜୀବିତ କରିବା ପାଇଁ କଳିଙ୍ଗ ଅନ୍ତର୍ଜାତୀୟ ଯୁବ ପ୍ରତିଷ୍ଠାନ ପକ୍ଷରୁ ଏଭଳି ପ୍ରୟାସ କରାଯାଇଛି ା ପ୍ରତିଷ୍ଠାନର ସଭାପତି ବିଭୁ ପ୍ରସାଦ ସ୍ବାଇଁ ଧନ୍ୟବାଦ ଦେଇଥିଲେ।