ଏନଏସି ପାରିଲାନି, ଗାଁ ସଫେଇ କଲେ ଯୁବଗୋଷ୍ଠୀ

ଗଞ୍ଜାମ ଅଫିସ୍‌,୧୦।୯: ଗତ ଅଗଷ୍ଟ ୩୦ରୁ ଗଞ୍ଜାମ ଏନଏସିର ପରିମଳ କାର୍ଯ୍ୟ ଠପ ହୋଇଯାଇଛି l ଯାହା ଫଳରେ ସହରରେ ପରିମଳ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି l ପୂର୍ବରୁ ଏହି କାର୍ଯ୍ୟ ଠିକା ନେଇଥିବା ଠିକାଦାରଙ୍କ ଅବଧି ସରିବା ପରେ ଏହି ସମସ୍ୟା ଦେଖା ଦେଇଛି। ଏଥିପାଇଁ ସହରର ବିଭିନ୍ନ ୱାର୍ଡରେ କୁଢ଼ କୁଢ଼ ଅଳିଆ ଆବର୍ଜନା ପଡ଼ିଥିବା ଦେଖିବାକୁ ମିଳିଛି l ଏନେଇ ପୁଇଁତୋଳା ଆଠ ନମ୍ବର ୱାର୍ଡ ଯୁବ ଗୋଷ୍ଠୀ ଟ୍ରାକ୍ଟର ସାହାଯ୍ୟରେ ଗ୍ରାମରେ ପଡ଼ିଥିବା ପ୍ରାୟ ଆଠ ଦିନର ଅଳିଆ ସଫେଇ କରିଥିଲେl ଏ ସମ୍ପର୍କରେ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଭୁ କଲ୍ୟାଣ ଦାସଙ୍କୁ ପଚାରିବାରୁ ସେ କହିଥିଲେ ପରିମଳ କାର୍ଯ୍ୟ ପାଇଁ ନୂଆ ଟେଣ୍ଡର ହୋଇଛି l ଉକ୍ତ ଟେଣ୍ଡର ଭୁବନେଶ୍ୱରର ଏକ ସଂସ୍ଥା ନେଇଥିବା ବେଳେ ସ୍ଥାନୀୟ ଅଂଚଳର ସୁଇପରଙ୍କ ସହ ଠିକା ନେଇଥିବା ସଂସ୍ଥା ତାଳମେଳ ରହୁନି l ଯାହା ଫଳରେ ଏହି ସମସ୍ୟା ସୃଷ୍ଟି ହୋଇଛି l ଏଥିପାଇଁ ଏନଏସି ସ୍ଥାୟୀ ସୁଇପରଙ୍କ ଦ୍ୱାରା କିଛି ୱାର୍ଡ ସଫେଇ କାର୍ଯ୍ୟ ଚାଲିଛି l ଦିନେ ଦୁଇଦିନ ଭିତରେ ସ୍ଥାୟୀ ସମାଧାନ କରାଯିବ ବୋଲି ସେ କହିଛନ୍ତି। ଅନ୍ୟପଟେ ସ୍ଥାନୀୟ ଅଂଚଳର ସୁଇପରଙ୍କ କହିବା ଅନୁଯାୟୀ ଯେ ପୂର୍ବରୁ ଆମେ ୩୫ ଜଣ ପରିମଳ କାର୍ଯ୍ୟ କରିଆସୁଛୁ l ବର୍ତ୍ତମାନ ଯେଉଁ ସଂସ୍ଥା ପରିମଳ କାର୍ଯ୍ୟ ହାତକୁ ନେଇଛି ସେ କେବଳ ୨୪ ଜଣ ସୁଇପରଙ୍କୁ ନେଇ କାର୍ଯ୍ୟ କରିବାକୁ ଚାହୁଁଛିl ଏଣୁ ଆମେ ବାଧ୍ୟ ହୋଇ କାର୍ଯ୍ୟ ବନ୍ଦ କରିଛୁ ବୋଲି ସେମାନେ କହିଛନ୍ତି l ଯଦି ୩୫ରୁ ଗୋଟିଏ ବି ସୁଇପରଙ୍କୁ ଛାଡିଲେ ଆମେ କାମରେ ସହଯୋଗ କରିବୁ ନାହିଁ ବୋଲି ଚେତାବନୀ ଦେଇଛନ୍ତି l