ବୃହତ୍ତମ ‘ଟି-ରେକ୍ସ’ ଡାଇନୋସର ମୃତ୍ୟୁ ରହସ୍ୟରୁ ହଟିଲା ପରଦା

ସାସ୍କାଚେୱାନ(କାନାଡା),୭ା୯: ପ୍ରାୟ ୬ କୋଟି ୬୦ ଲକ୍ଷ ବର୍ଷ ପୂର୍ବେ ପୃଥିବୀ ପୃଷ୍ଠରୁ ବିଲୁପ୍ତ ହୋଇଯାଇଥିବା ବିଶ୍ୱର ସବୁଠାରୁ ବୃହତ୍ତମ ‘ଟାଇରାନୋସରସ୍‌ ରେକ୍ସ’ (ଟି-ରେକ୍ସ) ଡାଇନୋସର ‘ସ୍କଟି’ ର ମୃତ୍ୟୁକୁ ନେଇ ଏକ ନୂତନ ଏବଂ ରୋଚକ ତଥ୍ୟ ପଦାକୁ ଆସିଛି। ଏକ ପ୍ରାଚୀନ ଶବ ବ୍ୟବଚ୍ଛେଦରୁ ଗବେଷକମାନେ ସ୍ପଷ୍ଟ ହୋଇଛନ୍ତି ଯେ, ଅନ୍ୟ ଏକ ଡାଇନୋସର ସହ ଭୟଙ୍କର ଲଢ଼େଇ ସମୟରେ ପଞ୍ଜରା ହାଡ଼ରେ ଗୁରୁତର ଆଘାତ ଲାଗିବା ଯୋଗୁ ‘ସ୍କଟି’ର ମୃତ୍ୟୁ ହୋଇଥିଲା।
୧୯୯୧ ମସିହାରେ କାନାଡାର ସାସ୍କାଚେୱାନ୍‌ରୁ ଏହି ବିଶାଳକାୟ ଡାଇନୋସରର କଙ୍କାଳ ଉଦ୍ଧାର କରାଯାଇଥିଲା। ଏହାର ଲମ୍ବ ପ୍ରାୟ ୪୩ ଫୁଟ ଏବଂ ଜୀବିତ ଅବସ୍ଥାରେ ଓଜନ ପ୍ରାୟ ୧୯,୫୦୦ ପାଉଣ୍ଡ (ପ୍ରାୟ ଦୁଇଟି ହାତୀର ଓଜନ ସହ ସମାନ) ଥିଲା। ପାଲେଓଣ୍ଟୋଲୋଜି (ପ୍ରାଚୀନ ଜୀବବିଜ୍ଞାନ) ଇତିହାସରେ ଏହା ଏକ ବିରଳ ଘଟଣା, ଯେଉଁଥିରେ ନିୟୁତ ନିୟୁତ ବର୍ଷ ପରେ ମଧ୍ୟ କଙ୍କାଳ ସହ କିଛି ଜୈବିକ ମାଂସପେଶୀ ଓ ଟିସୁ ସୁରକ୍ଷିତ ରହିଥିଲା। ଜୀବାଶ୍ମର କୌଣସି କ୍ଷତି ନ ଘଟାଇ ଏହାର ସୂକ୍ଷ୍ମ ଅନୁଧ୍ୟାନ ପାଇଁ ରିସର୍ଚ୍ଚ ଟିମ୍‌ ଆମେରିକାର ଟେନେସିସ୍ଥିତ ‘ଓକ୍‌ ରିଜ ନ୍ୟାଶନାଲ ଲାବରେଟୋରି’ର ସହାୟତାରେ ନିଉଟ୍ରନ ଇମେଜିଂ ପ୍ରଯୁକ୍ତି ବ୍ୟବହାର କରିଥିଲେ। ଏହି ପ୍ରଯୁକ୍ତି ଦ୍ୱାରା ‘ସ୍କଟି’ର ପଞ୍ଜରା ହାଡ଼ ଏବଂ ସଂରକ୍ଷିତ ଟିସୁର ୩ଡି ଚିତ୍ର ପ୍ରସ୍ତୁତ କରାଯାଇ ଅଣୁବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ପରୀକ୍ଷା କରାଯାଇଥିଲା।
ସାସ୍କାଚେୱାନସ୍ଥିତ ରେଜିନା ବିଶ୍ୱବିଦ୍ୟାଳୟର ପଦାର୍ଥ ବିଜ୍ଞାନ ପ୍ରଫେସର ମୌରିସିଓ ବାର୍ବିଙ୍କ ଅନୁସାରେ, ‘ସ୍କଟି’ର ପଞ୍ଜରା ହାଡ଼ ମଧ୍ୟରେ କ୍ଷୁଦ୍ର ରକ୍ତବାହୀ ନଳୀର ଏକ ଜାଲ ବିଛାଡ଼ି ହୋଇ ରହିଥିବା ଦେଖିବାକୁ ମିଳିଛି, ଯାହା ପୂର୍ବରୁ କୌଣସି ଜୀବାଶ୍ମରେ ଦେଖାଯାଇ ନ ଥିଲା। ଲଢ଼େଇ ସମୟରେ ‘ସ୍କଟି’ର ପଞ୍ଜରା ହାଡ଼ ଭାଙ୍ଗିଯିବା ପରେ, ସେହି କ୍ଷତକୁ ଶୀଘ୍ର ଶୁଖାଇବା ପାଇଁ ହାଡ଼ ଚାରିପାଖରେ କ୍ଷୁଦ୍ର ରକ୍ତକୋଷଗୁଡ଼ିକ ସୃଷ୍ଟି ହୋଇଥିଲେ। ମାତ୍ର କ୍ଷତ ଅତି ଗୁରୁତର ଥିବାରୁ କାନାଡାର ଏକ ଲବଣାକ୍ତ ଜଳାଶୟ ନିକଟରେ କିଛି ସମୟ ମଧ୍ୟରେ ତାର ମୃତ୍ୟୁ ଘଟିଥିଲା। ଏହି ଗବେଷଣା ପରିଚାଳନା କରୁଥିବା ଗବେଷକ ଜେରିଟ୍‌ ମିଚେଲ୍‌ କହିଛନ୍ତି, ଏହି ନୂତନ ପ୍ରଯୁକ୍ତି ଦ୍ୱାରା ସଂଗ୍ରହାଳୟଗୁଡ଼ିକରେ ଥିବା ଅନ୍ୟାନ୍ୟ ପୁରାତନ ଜୀବାଶ୍ମରୁ ଲୁକ୍କାୟିତ ରହସ୍ୟ ଉନ୍ମୋଚନ କରିବାରେ ଗବେଷକମାନଙ୍କୁ ବଡ଼ ସଫଳତା ମିଳିପାରିବ।

Dharitri – Odisha’s No.1 Odia Daily

Share