ଶତାବ୍ଦୀର ମୂକସାକ୍ଷୀ ଲୁଣିଲୁଣିଆ ଗଛ

ମହାକାଳପଡ଼ା, ୨୭।୪ (ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡା ବ୍ଲକ ଉପକୂଳ ଅଞ୍ଚଳ କୋଚିଳା ଗ୍ରାମ ସନ୍ନିକଟ ମହାନଦୀର ଶାଖା ଗୁପ୍ତଗିରି ନଦୀରେ ହୁଳୁହୁଳିଆବାଙ୍କ ନିକଟରେ ଶହେ ବର୍ଷରୁ ଊର୍ଦ୍ଧ୍ୱହେବ ଦଣ୍ଡାୟମାନ ହୋଇ ରହିଛି ଲୁଣିଲୁଣିଆ ଗଛ। ଏହିଠାରେ ଏକ ପାଲଟଣା ଡଙ୍ଗା ଦୁର୍ଘଟଣାରେ ୧୮ ବ୍ୟବସାୟୀଙ୍କ ସମେତ ନୌଚାଳକଙ୍କ ମୃତ୍ୟୁ ଘଟିଥିଲା ବୋଲି ସ୍ଥାନୀୟ ଲୋକଙ୍କଠାରୁ ଶୁଣିବାକୁ ମିଳେ।
୧୯୨୦ ମସିହାର ଘଟଣା। ଏହି ଅଞ୍ଚଳ ସମ୍ପୂର୍ଣ୍ଣ ଘଞ୍ଚ ଜଙ୍ଗଲ ପରିପୂର୍ଣ ଥିଲା। ଜଙ୍ଗଲ ମଧ୍ୟରେ ଦେଇ ଏକ ନଦୀ ପ୍ରବାହିତ ହେଉଥିଲା। ଜଙ୍ଗଲରେ ବାଘ, ହେଟା, ମିରିଗ, ବାର୍‌ହା ଦେଖାଯାଉଥିଲେ। ଶିକାରୀ ଭୟରେ ଜୀବଜନ୍ତୁମାନେ ଲୁଚିଛପି ଆସି ନଦୀରୁ ପାଣି ପିଉଥିଲେ। କେବେ କେବେ ଶିକାରୀମାନେ ମଧ୍ୟ ଜଙ୍ଗଲରେ ଲୁଚିଛପି ଜନ୍ତୁଙ୍କୁ ଶିକାର କରୁଥିଲେ। ନଦୀ ମଧ୍ୟରେ କୁମ୍ଭୀର ଭୟ ଓ ଜଙ୍ଗଲ ମଧ୍ୟରେ ବାଘର ଭୟ ଯୋଗୁ ଶିକାରୀଙ୍କ ଜୀବନ ମଧ୍ୟ ଯାଉଥିଲା ବୋଲି ବହୁ ଲୋକକଥା ଶୁଣିବାକୁ ମିଳେ। ସମୟ ବଦଳିଛି ଘଞ୍ଚ ଜଙ୍ଗଲ ଓ ବିରଳ ବନ୍ୟଜନ୍ତୁ ଲୋପ ପାଇଛନ୍ତି। ସେଦିନ ଗୁପ୍ତରେ ବନ୍ୟଜନ୍ତୁ ପାଣି ପିଉଥିବା ନଦୀର ନାମ ଗୁପ୍ତଗିରି ରହିଛି। ଏହି ଗୁପ୍ତଗିରି ନଦୀ କୂଳରେ ସେ ଦିନର ମୁକ ସାକ୍ଷୀ ପାଲଟି ଥିବା ଲୁଣି ଲୁଣିଆ ଗଛ ଦଣ୍ଡାୟମାନ ହୋଇ ଠିଆ ହୋଇଛି। ଏହି ଗଛର ଫଳ କିଛି ମିଠା, ଖଟା ଓ ଲୁଣି ଲାଗୁ ଥିବାରୁ ସେ ସମୟରେ ବନ୍ୟଜନ୍ତୁ ଓ ମଣିଷଙ୍କ ପ୍ରିୟ ଫଳ ପାଲଟି ଥିଲା।
ସଡ଼କପଥର ବହୁ ପୂର୍ବରୁ ଏହି ନଦୀ ଗୁପ୍ତରେ ପ୍ରବାହିତ ହୋଇଥିବାରୁ ଯାତାୟାତ ପାଇଁ ଜଳପଥ ହିଁ ଭରସା ଥିଲା। ନଦୀର ଜଳ ବର୍ଷ ସାରା ଲୁଣି ହୋଇଥିବାରୁ ଅଞ୍ଚଳରେ ଚାଷ ବାସରେ ସମସ୍ୟା ଦେଖାଦେଉଥିଲା। ଲୋକମାନେ ବାଧ୍ୟ ହୋଇ ଜଙ୍ଗଲ ଜାତ ପଦାର୍ଥ ଓ ନଦୀରୁ କଙ୍କଡ଼ା ମାଛ ଧରି ଜୀବିକା ନିର୍ବାହ କରୁଥିଲେ। ଏହି ନଦୀ ଜଳ ପଥରେ ସ୍ଥାନୀୟ ଧୀବରମାନେ ମାଛ ଧରିବା ସହ ଜଙ୍ଗଲ କାଠ ତଥା ରାଇ, ବନୀ, ସୁନ୍ଦରୀ, ହେନ୍ତାଳ(ରୁଅ) ଓ ମହୁ, ଚୂନ ମାରିବା ପାଇଁ ସାମୁଦ୍ରିକ ଶାମୁକାକୁ ଆଦି କଞ୍ଚା ମାଲ ଭାବେ ସଂଗ୍ରହ କରୁଥିଲେ। ଏହାକୁ ବିକ୍ରିବଟା ପାଇଁ ନଦୀପଥରେ କଟକ, ଚାନ୍ଦବାଲି, କୁଜଙ୍ଗ ଆଦି ଅଞ୍ଚଳକୁ ଡଙ୍ଗା ସାହାଯ୍ୟରେ ଯାତାୟାତ କରିଥାନ୍ତି ବୋଲି ଶୁଣିବାକୁ ମିଳେ। ଦିନକର ଘଟଣା ବିକ୍ରିବଟା ସାରି ଗୁପ୍ତଗିରି ନଦୀ ପଥରେ ବ୍ୟବସାୟୀମାନେ ଫେରୁଥିଲେ। ଏହି ସମୟରେ ପ୍ରବଳ ଝଡ଼ ତୋଫାନ ଯୋଗୁ ପାଲ ଟଣା ଡଙ୍ଗାଟି ଭାରସାମ୍ୟ ହରାଇ ହଠାତ ଓଲଟି ପଡ଼ିଥିଲା। ନଦୀର ପ୍ରଖର ସ୍ରୋତ ଯୋଗୁ ୧୮ ବ୍ୟବସାୟୀଙ୍କ ସମେତ ଡଙ୍ଗା ଚାଳକ ଭାସି ଯାଇ ମୃତ୍ୟୁବରଣ କରିଥିଲେ ବୋଲି ସ୍ଥାନୀୟ କୋଚିଳା ଗଁାର ଦୀନବନ୍ଧୁ ରାଉତ (୯୨), ଦିବାକର ଗୋଛାୟତ (୯୫) ପ୍ରମୁଖ ତାଙ୍କ ବାପା ଓ ଜେଜେ ବାପାଙ୍କଠାରୁ ଶୁଣିଥିବା କଥା କହିଛନ୍ତି। ସେ ସବୁକୁ ମୁକ ସାକ୍ଷୀ ଭାବେ ଦେଖିଥିବା ଲୁଣି ଲୁଣିଆ ଗଛ ଏବେ ଏହାର ଜ୍ୱଳନ୍ତ ଦୃଷ୍ଟାନ୍ତ। ଇତିମଧ୍ୟରେ ବିତିଯାଇଛି ଅନେକ ବର୍ଷ। ଘଟଣା ଦୁର୍ଘଟଣା ମଧ୍ୟରେ ଏହି ମୁକ ସାକ୍ଷୀ ଥିବା ଗଛଟିର ଶାଖା ପ୍ରଶାଖା ଭାଙ୍ଗିଛି। ତଥାପି ଆଜି ବୟସର ଅପରାହ୍ନରେ ଶୀତଳ ଛାୟା ପ୍ରଦାନ କରିବା ସହ ପଥିକଙ୍କ ଭୋକ ମେଣ୍ଟଉଛି। ବନ ବିଭାଗ ପକ୍ଷରୁ ଏହି ଗଛର ରକ୍ଷଣାବେକ୍ଷଣ ଓ ମଞ୍ଜି ସଂଗ୍ରହ କରି ନୂତନ ଚାରା ସୃଷ୍ଟି କରିବା ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଛି।