ଧୋତି ପିନ୍ଧାଇଲା ପୌରପାଳିକା

ଅନୁଗୋଳ ଅଫିସ, ୫।୪: ଅନୁଗୋଳ ସହରସ୍ଥିତ ଗୋପବନ୍ଧୁ ଉଦ୍ୟାନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଟ ଚୌଧୁରୀଙ୍କ ନବନିର୍ମିତ ପ୍ରତିମୂର୍ତ୍ତିର ପୋଷାକକୁ ନେଇ ବିବାଦ ଦେଖାଦେବା ପରେ ତୁରନ୍ତ ତ୍ରୁଟି ସଂଶୋଧନ କରିଛି ପୌରପାଳିକା। ଅନୁଗୋଳ ପୌର କର୍ତ୍ତୃପକ୍ଷ ଏ ନେଇ ସୋମବାର କ୍ଷମାପ୍ରାର୍ଥନା କରିଥିବା ବେଳେ ପ୍ରତିଶ୍ରୁତି ଅନୁଯାୟୀ ମଙ୍ଗଳବାର ପ୍ରତିମୂର୍ତ୍ତିରେ ପରିଧାନ କରାଯାଇଥିବା ପ୍ୟାଣ୍ଟ ଓ ବୁଟ୍‌ ସ୍ଥାନରେ ଧୋତି, ଚପଲ ପିନ୍ଧାଇଛନ୍ତି। ହେଲେ ଏହାସତ୍ତ୍ୱେ ବିବାଦ ଥମି ନାହିଁ। ନବକୃଷ୍ଣଙ୍କ ଝିଅ ତଥା ସର୍ବୋଦୟ ନେତ୍ରୀ କୃଷ୍ଣା ମହାନ୍ତି ପିନ୍ଧାଯାଇଥିବା ଧୋତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ନବବାବୁ ଏଭଳି ଧୋତି ପରିଧାନ କରୁ ନ ଥିଲେ। ତାଙ୍କୁ ନାଗପୁରିଆ ଭଳି ଧୋତି ପିନ୍ଧାଯାଇଛି। ପୌରପରିଷଦ ଭୁଲ୍‌ ପରେ ଭୁଲ୍‌ କରିଚାଲିଛି। ପ୍ରତିମୂର୍ତ୍ତି ନିର୍ମାଣରେ କରିଥିବା ତ୍ରୁଟି ସୁଧାରିବାକୁ ଘରକୁ ଆସି ଫଟୋ ନେଲେ ନାହିଁ। କେତେଜଣ ଲୋକଙ୍କ ଅହଂକାର ପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି। ରାଜସ୍ବ ଓ ସମୟ ଖର୍ଚ୍ଚ ହେଉଥିଲେ ମଧ୍ୟ ଭଲ କାରିଗରଙ୍କୁ ନେଇ କାହିଁକି ପୂର୍ବଜଙ୍କ ମୂର୍ତ୍ତି ପ୍ରସ୍ତୁତ କରାଯାଉନାହିଁ ବୋଲି କୃଷ୍ଣା ମହାନ୍ତି ପ୍ରଶ୍ନ କରିଛନ୍ତି।
ଥାନାରେ ଏତଲା
ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ତ୍ରୁଟିପୂର୍ଣ୍ଣ ପ୍ରତିମୂର୍ତ୍ତି ନିର୍ମାଣ ବିବାଦ ଥାନାରେ ପହଞ୍ଚିଛି। ଅନୁଗୋଳ ବାରସିଂହା ଅଞ୍ଚଳର ରଞ୍ଜନ କୁମାର ପାତ୍ର ଏ ନେଇ ଅନୁଗୋଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏତଲାରେ ସେ ଦର୍ଶାଇଛନ୍ତି, ଜିଲାର ପୂର୍ବସୂରୀଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା କରାଯାଇଥିଲେ ମଧ୍ୟ ବିଭିନ୍ନ ସ୍ଥାନରେ ତ୍ରୁଟି ପରିଲକ୍ଷିତ ହୋଇଛି। ତେଣୁ ପୂଜ୍ୟପୂଜାଙ୍କ ପ୍ରତି ଚରମ ଅବହେଳା କରାଯିବା ସହ ଅପମାନ ଦିଆଯାଇଛି। ଜାଣିଶୁଣି କେତେଜଣ ବ୍ୟକ୍ତି ଏପରି କରିଥିବାରୁ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରଞ୍ଜନ ନିବେଦନ କରିଛନ୍ତି।