ଅସ୍ବାସ୍ଥ୍ୟକର ପରିବେଶରେ ପୌରପାଳିକା ମାର୍କେଟ, ଜମା ହୋଇ ରହୁଛି କୁଢ଼କୁଢ଼ ଅଳିଆ

କେନ୍ଦୁଝର,୨୦ା୧୦(ସ୍ବ.ପ୍ର.): କେନ୍ଦୁଝର ସହରର କେନ୍ଦ୍ରସ୍ଥଳ ଗାନ୍ଧୀଛକ ନିକଟରେ ଥିବା ପୌରପାଳିକା ମାର୍କେଟ ଅସ୍ବାସ୍ଥ୍ୟକର ପରିବେଶରେ ଚାଲିଛି। ମାର୍କେଟ ମଧ୍ୟରେ ଏବଂ ଡ୍ରେନ୍‌ ଗୁଡ଼ିକରେ କୁଢ଼କୁଢ଼ ଅଳିଆ ଜମା ହୋଇ ରହୁଛି। ମଇଳା ଆବର୍ଜନା ସଫେଇ ହେଉ ନ ଥିବାରୁ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି କରୁଛି। ଫଳରେ ମଶା, ମାଛି, ଡେଙ୍ଗୁ, ଡାଇରିଆ ଭଳି ମହାମାରୀ ବ୍ୟାପିବା ସମ୍ଭାବନା ରହିଛି। ଏଥି ସହ ଏଠାରେ ଥିବା ପ୍ରାୟ ସମସ୍ତ ଦୋକାନ ଘର ଭାଙ୍ଗି ରୁଜି କଲାଣି। ମାର୍କେଟ ପରିସରରେ ଥିବା ମାଛ ଓ ମାଂସ ଦୋକାନଗୁଡ଼ିକର ଅବସ୍ଥା ମଧ୍ୟ ସମାନ। ବ୍ୟବସାୟୀମାନେ ପେଟପାଟଣା ପାଇଁ ବାଧ୍ୟ ହୋଇ ଏଭଳି ପରିବେଶରେ ବ୍ୟବସାୟ କରୁଥିବା ବ୍ୟବସାୟୀ ଅନିଲ ଶଙ୍କର କହିଛନ୍ତି।

ପୂର୍ବରୁ ପୌରପାଳିକା ପକ୍ଷରୁ ଶପିଂ ମଲ ନିର୍ମାଣର ଯୋଜନା କରାଯାଇଥିଲେ ହେଁ ତାହା କାର୍ଯ୍ୟକାରୀ ହୋଇପାରୁନାହିଁ। ଏଥିସହ ଅସ୍ଥାୟୀ ଭାବରେ ବନବାସୀ ରାସ୍ତା କଡ଼ରେ ବସି ସେମାନଙ୍କ ସଂଗୃହୀତ ଓ ଉପତ୍ାଦିତ ଫଳମୂଳ, ପନିପରିବା ବିକ୍ରି କରୁଛନ୍ତି। ସେମାନଙ୍କ ପାଇଁ କିଛି ବ୍ୟବସ୍ଥା କଲେ ଉପକୃତ ହୋଇପାରନ୍ତେ ବୋଲି ମତପ୍ରକାଶ ପାଉଛି। ଜିଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିରୁ ୭ କୋଟି ଟଙ୍କା ବ୍ୟୟରେ ଗୋଟିଏ ପୋଖରୀର ସୌନ୍ଦର୍ଯ୍ୟକରଣ କରାଯାଉଛି। ଉଦ୍ୟାନ, ଅଡିଟୋରିୟମ, ଖେଳପଡ଼ିଆ ଆଦିରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। କିନ୍ତୁ ବ୍ୟବସାୟୀ ଅସ୍ବାସ୍ଥ୍ୟକର ପରିବେଶ, ଭଙ୍ଗା ଘରେ ବ୍ୟବସାୟ କରୁଛନ୍ତି। ଏହି ସ୍ଥାନର ବିକାଶ କରି ପ୍ରସ୍ତାବିତ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରାଯାଉ ନାହିଁ। ଏହା ପଛରେ ପ୍ରଶାସନର କ’ଣ ଆଭିମୁଖ୍ୟ ରହିଛି ଠିକ୍‌ ଜଣାପଡୁନାହିଁ ବୋଲି ମାଧପୁର ବାସିନ୍ଦା ପ୍ରଦୀପ ମହାନ୍ତି କହିଛନ୍ତି। ଢାଙ୍ଗରପଡ଼ାରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ମାଛ ଓ ମାଂସ ବିକ୍ରି ପାଇଁ ନୂତନ ଘର ନିର୍ମାଣ ହୋଇଛି। ଘର କାମରେ ଲାଗୁ ନ ଥିବାରୁ ଭୂତକୋଠିରେ ପରିଣତ ହେବାକୁ ବସିଛି ା ସେହି ଖଚ୍ଚର୍ର୍ରେ ଏହି ସ୍ଥାନର ଉନ୍ନତୀକରଣ କରି ଭଲ ମାର୍କେଟ କମ୍ପ୍ଲେକ୍ସ ପ୍ରସ୍ତୁତ କରାଯାଇପାରିଥାନ୍ତା ବୋଲି ଆଇନଜୀବୀ ଭରତ ଦାସ କହିଛନ୍ତି। ପୌରପାଳିକା ଉପାଧ୍ୟକ୍ଷ ବରଦା ପ୍ରସନ୍ନ ଦାସ କହିଛନ୍ତି ଯେ, ଏହି ସ୍ଥାନଟି ଅପନ୍ତରା ଓ ଅସୁରକ୍ଷିତ ହୋଇ ରହିଛି। ଏହାର ଉନ୍ନତୀକରଣ କରିବା ନେଇ ପଦକ୍ଷେପ ନିଆଯିବ।